ଇଞ୍ଜାମାମ କହିଲେ ହରଭଜନ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାହୁଁଥିଲେ

ଓଡ଼ିଆ ବାର୍ତ୍ତା/ ଚଣ୍ଡୀଗଡ: ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ ହକଙ୍କ ଏକ ବୟାନ ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ଭାରତର ଅଫ ସ୍ପିନର ହରଭଜନ ସିଂ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାହୁଁଥିଲେ ବୋଲି କହିଛନ୍ତି । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଭଜି ଏହି ବୟାନରେ କ୍ଷୁବ୍ଧ ହୋଇ କହିଛନ୍ତି ସେ କେଉଁ ନିଶା ସେବନ କରି ଏ ଭଳି କହୁଛନ୍ତି । ମୁଁ ଭାରତୀୟ ଭାବେ ନିଜକୁ ଗର୍ବ ଅନୁଭବ କରେ । ମୁଁ ଏକ ଭାରତୀୟ ଶିଖ ଅଛି ଓ ରହିବି । ମୂର୍ଖଲୋକମାନେ ସବୁବେଳେ ଏ ଭଳି ମୂର୍ଖାମୀ କଥା କହିବେ ବୋଲି ଭଜି କହିଛନ୍ତି । ମୌଲାନା ତାରିକ ଜମୀଲଙ୍କୁ ଭେଟିବା ପରେ ହରଭଜନ ଇସଲାମ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ । ଏପରିକି ସେ ଧର୍ମ ପରିବର୍ତନ କରିବାକୁ ଚାହୁଁଥିଲେ ବୋଲି ହକ କହିଛନ୍ତି । ମୌଲାନା ପାକିସ୍ତାନ ଟିମ ସହିତ ଅଧିକାଂଶ ସମୟ ନମାଜ ପଢ଼ିବାକୁ ଆସିଥାନ୍ତି ।

ହରଭଜନ ଭାରତ ପକ୍ଷରୁ ୧୦୩ ଟେଷ୍ଟରେ ୪୧୭ ୱିକେଟ, ୨୩୬ ଦିନିକିଆରେ ୨୬୯ ୱିକେଟ ହାସଲ କରିଛନ୍ତି । ଏହା ବ୍ୟତୀତ ୨୮ଟି ଟି୨୦ରେ ୨୫ ୱିକେଟ ନେଇଛନ୍ତି । ଅପରପକ୍ଷରେ ହକ ପାକିସ୍ତାନ ପକ୍ଷରୁ ୩୭୫ ଦିନିକିଆରେ ୧୧୭୦୧ ଓ ୧୨୦ ଟେଷ୍ଟରେ ୮୮୩୦ ରନ କରିଛନ୍ତି । ୧୯୯୨ ବିଶ୍ୱକପ ବିଜୟୀ ପାକିସ୍ତାନ ଦଳର ସେ ସଦସ୍ୟ ଥିଲେ । ଅବସର ପରେ ସେ ଆଫଗାନିସ୍ତାନ ଟିମର କୋଚ ଦାୟିତ୍ୱ ତୁଲାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.