ରାଜ୍ୟ ସରକାରଙ୍କ ଦୁର୍ନିତି ପ୍ରସଙ୍ଗକୁ ନେଇ ଗର୍ଜିଲେ ବିଜେପି ନେତା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି(ଲିଙ୍ଗରାଜ ମିଶ୍ର): ନର୍ଲା ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ଦୁର୍ନିତି ପ୍ରସଙ୍ଗକୁ ନେଇ ବ୍ଲକ ଘେରାଉ କରାଯାଇଥିଲା । ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ନର୍ଲା ମଣ୍ଡଳ ସଭାନେତ୍ରୀ ପ୍ରଣତି ମହାନନ୍ଦଙ୍କ ନେତୃତ୍ୱରେ ତଥା ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ମନ୍ମୟ ଚାନ୍ଦ(ଜିତୁ)ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନର୍ଲାର ଶତାଧିକ ବିଜେପି କର୍ମୀ, ନେତୃ ମଣ୍ଡଳି ଓ ମହିଳା ମୋର୍ଚ୍ଚାର ସଦସ୍ୟା ମାନେ ନର୍ଲା ଚାରିଛକରୁ ହାତରେ ଦଳୀୟ ପତାକା ଧରି, ଲିଫଲେଟ ବଣ୍ଟନ କରି ଏକ ଭବ୍ୟ ରାଲିରେ ରାଜ୍ୟ ସରକାରଙ୍କ ଦୁର୍ନିତି ପ୍ରସଙ୍ଗ ଉପରେ ବିଭିନ୍ନ ନାରାବାଜୀ କରି ବ୍ଲକକୁ ଯାଇଥିଲେ । ବ୍ଲକ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ପୂର୍ବତନ ନର୍ଲା ମଣ୍ଡଳ ସଭାପତି ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏଥିରେ ବିଜେପି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ବରିଷ୍ଠ ନେତା ଭାରତ ଭୂଷଣ ଦେଓ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ,ଜିଲ୍ଲା ଉପସଭାପତି ଅନିରୁଦ୍ଧ ପଧାନ, କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ତଥା ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ କୁମାର ନାଏକ, ଶ୍ରୀକାନ୍ତ ହୋତା, ପଦ୍ମଲୋଚନ ମିଶ୍ର, ସୁରେଶ ଭୋଇ, କୁମରମଣି ଶବର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ରୀନାରାଣି ଭୋଇ, ଜିଲ୍ଲା ଉପସଭାପତି ପ୍ରଶାନ୍ତ ସାହୁ, ହିରୋ ମହଲାଙ୍କ ସମେତ ୨୦୦ ରୁ ଉର୍ଦ୍ଧ୍ୱ ବିଜେପି କର୍ମୀ ଆବାସ ଯୋଜନାରୁ ଆରମ୍ଭ କରି ବାର୍ଦ୍ଧକ୍ୟ ଭତ୍ତା ପର୍ଯ୍ୟନ୍ତ ବିଭିନ୍ନ ଯୋଜନାକୁ ହରିଲୁଟ କରି ଖାଇ୍ଯାଉଥିବା, ରାଜ୍ୟ ସରକାରଙ୍କ କର୍ମଚାରୀ ମାନେ ପ୍ରତ୍ୟେକ କାର୍ଯ୍ୟ ପାଇଁ ପିସି ନେଉଥିବା ଓ ରାଜ୍ୟ ନବୀନ ସରକାରଙ୍କ ଶାସନ କାଳରେ ନାରୀ ଆଜି ସୁରକ୍ଷିତ ନୁହଁ । ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଯୋଜନା, କେନ୍ଦ୍ରୀୟ ଅନୁଦାନ ଓ ଅନ୍ୟ ବାବଦରେ ଓଡିଶାକୁ ବିଗତ ୯ ବର୍ଷରେ ୧୮ ଲକ୍ଷ ୮୩ ହଜାର କୋଟି ଟଙ୍କାରୁ ଉର୍ଦ୍ଧ ସହାୟତା ଦେଇଛନ୍ତି । କିନ୍ତୁ ଓଡିଶାରେ ଚାଲିଥିବା ଭ୍ରଷ୍ଟାଚାରୀ ବିଜେଡି ସରକାର କେନ୍ଦ୍ରୀୟ ଯୋଜନାକୁ ହରିଲୁଟ କରି ଗରିବ ଲୋକଙ୍କ ବିକାଶରେ ବାଧକ ସାଜିଛି । ଓଡିଶାରେ ୫୦ ପ୍ରତିଶତ ପିସିରେ ସରକାର ଚାଲିଛି । ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ଗରିବ ଲୋକଟିଏ ବିଜେଡ଼ିର ନେତା ଓ ଅଫିସର ମାନଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ଦେଉଛି । ଗରିବ ହିତାଧିକାରୀଙ୍କୁ ଘର ନ ଦେଇ ଦୁର୍ନୀତି ଓ ଜାଲିଆତି ହେଉଛି l ଘରକୁ ଟ୍ୟାପ୍ ଯୋଗେ ପିଇବା ପାଣି ଯୋଗାଇ ଦେବା ପାଇଁ ମୋଦି ସରକାର ଜଳ ଜୀବନ ମିଶନରେ ଓଡିଶାକୁ ଦେଇଥିବା ୧୫ ହଜାର କୋଟି ଅର୍ଥରାଶିକୁ ବିଜେଡିର ନେତା ଅଫିସରମାନେ ଲୁଟ୍ କରୁଛନ୍ତି । ବିଧବା ଭତ୍ତା ଓ ବାର୍ଦ୍ଧକ୍ୟ ଭତ୍ତାଟିଏ ପାଇବା ପାଇଁ ଅସହାୟ ଲୋକଟିଏକୁ ହଜାରେ ଟଙ୍କା ଲାଞ୍ଚ ମଗାଯାଉଛି । ମନରେଗାରେ କେନ୍ଦ୍ରରୁ ଆସୁଥିବା କୋଟି କୋଟି ଟଙ୍କା ଗରିବ ଲୋକଙ୍କୁ ମଜୁରୀ ଆକାରରେ ନ ମିଳି ବିଜେଡିର ଠିକାଦାର ପକେଟକୁ ଯାଉଛି । ମୋଦି ସରକାର ଧାନକିଣା ବାବଦରେ ଚାଷୀଙ୍କୁ ଦେଉଥିବା ଏମଏସ୍ପି ବାବଦ ଅର୍ଥକୁ ବିଜେଡିର ଦଲାଲମାନେ ଲୁଟୁଥିବା କଥା ପ୍ରମାଣିତ ହୋଇସାରିଛି । ଭ୍ରଷ୍ଟାଚାରରେ ସୀମା ଟପିଯାଇଛି ରାଜ୍ୟ ନବୀନ ସରକାର ବୋଲି ନେତୃବର୍ଗ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଏହି ଦୁୁର୍ନିତି ଖୋର ରାଜ୍ୟ ସରକାରଙ୍କୁ ରାଜ୍ୟବାସୀ ଗାଦୀଚ୍ୟୁତ କରନ୍ତୁ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାପରେ ଏକ ୧୫ ଦଫା ଦାବୀ ସମ୍ବଳିତ ଦାବୀପତ୍ର ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏମ.ଜଗଜୀବନ ଚୌଧୁରୀଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।