ନର୍ଲା ତହସିଲ ଅଫିସରେ ଜନ ସାଧାରଣଙ୍କ ପାଇଁ ଶୌଚାଳୟ ନାହିଁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେନ୍ଦ୍ର ସରକାରଙ୍କ “ସ୍ୱଚ୍ଛ ଭାରତ ଯୋଜନା” ଓ ରାଜ୍ୟ ସରକାରଙ୍କ “ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା” ଯୋଜନାରେ ସାରା ଦେଶ ଓ ରାଜ୍ୟରେ ଲକ୍ଷ ଲକ୍ଷ ଶୌଚାଳୟ ନିର୍ମିତ ହୋଇ ସାରିଛି । ବର୍ତ୍ତମାନ ମଧ୍ୟ ଏହି ଯୋଜନା ଗୁଡିକରେ ଶୌଚାଳୟ ନିର୍ମାଣ କାମ ଚାଲିଥିବା ବେଳେ ପ୍ରତ୍ୟହ ଶହ ଶହ ସଂଖ୍ୟାରେ ବିଭିନ୍ନ କାମ ନେଇ ଆସୁଥିବା ଜନ ସାଧରଣଙ୍କ ପାଇଁ କଳାହାଣ୍ଡି ଜିଲ୍ଲା ନର୍ଲା ତହସିଲ ଅଫିସରେ ସାଧାରଣ ଲୋକଙ୍କ ପାଇଁ ଶୌଚାଳୟ ଟେ ନଥିବାରୁ ଲୋକେ ଝାଡା ଓ ପରିଶ୍ରା ଯିବା ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି। ନର୍ଲା ତହସିଲ ଅଫିସରୁ ଏହା ଅଧିନସ୍ଥ ପଲମ, ମୁସ୍କୁଟି, ଗିଗିନା, ରୁପ୍ରା, ଉଳିକୁପା, ନିଶାଣପୁର ପ୍ରଭୃତି ସ୍ଥାନ ୧୫ ରୁ ୩୫ କିମି ମଧ୍ୟରେ ପଡ଼ୁଥିବାରୁ ବହୁ ଦୁର ଦୂରନ୍ତରୁ ଜମିବାଡ଼ି ସମ୍ବନ୍ଧୀୟ ବିଭିନ୍ନ କାମ ନେଇ ନର୍ଲା ତହସିଲ ଅଫିସକୁ ଆସୁଥିବା ଲୋକେ ଏଠାରେ ସାଧରଣଙ୍କ ପାଇଁ ଶୌଚାଳୟ ନଥିବାରୁ ଅନେକ ଅସୁବିଧା ଭୋଗୁଛନ୍ତି । ନର୍ଲା ବ୍ଲକ ପରିସରରେ ୬ ଗୋଟି ସାଧାରଣ ଶୌଚାଳୟ ରହିଥିବା ବେଳେ ନର୍ଲା ତହସିଲ ଅଫିସ ପରିସରରେ ସାଧାରଣ ଲୋକଙ୍କ ପାଇଁ ପୁରୁଷ ଓ ମହିଳାଙ୍କ ପାଇଁ ଶୌଚାଳୟ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ସନ୍ଦୁଲ ନଦୀର ଅନତି ଦୂରରେ ନର୍ଲା ତହସିଲ ଅଫିସ ରହିଥିବାରୁ ସାନ୍ଦୁଲ ନଦୀ ତହସିଲ ଅଫିସ ଆସିଥିବା ସାଧାରଣ ଲୋକଙ୍କ ଏକମାତ୍ର ସାହା ଭରଷା ପାଲଟିଛି । ପୁରୁଷ ମାନେ ତ ଯାହା ଯେମିତି ଚଳେଇ ନେଇଛନ୍ତି। ହେଲେ ମହିଳା ମାନେ ଶୌଚାଳୟ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦୃଶ୍ୟମାନ ହେଉଛି । ଏଣୁ ଅଞ୍ଚଳ ବାସୀ ଜନସାଧାରଣଙ୍କ ତରଫରୁ ଦାବୀ ହେଉଛି ନର୍ଲା ତହସିଲ ଅଫିସ ପରିସରରେ ମହିଳା ଓ ପୁରୁଷ ଉଭୟଙ୍କ ପାଇଁ ଅତିଶୀଘ୍ର ଶୌଚାଳୟ ନିର୍ମାଣ କରାଯାଉ । ଏଠାରେ ପ୍ରକାଶ ଯୋଗ୍ୟଯେ ନର୍ଲା ତହସିଲ ଅଫିସ ର ଠିକ ସମ୍ମୁଖ ଭାଗରେ ରହିଛି ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନାକୁ ସଫଳ ରୂପାୟନ ପାଇଁ ସାରଥୀ ସାଜିଥିବା ସ୍ୱଚ୍ଛ ପରିମଳ ବିଭାଗ ( ଆରଡବ୍ଲୁଏସଏସ) ଅଫିସ ରହିଛି । ଏହି ଅଫିସ ଅଧୀନରେ ନର୍ଲା ବ୍ଲକ ସାରା ଶୌଚାଳୟ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ନର୍ଲା ତହସିଲ ଅଫିସ ପ୍ରତି ଓ ଏଠାକୁ ଆସୁଥିବା ହଜାର ହଜାର ଜନସାଧାରଣଙ୍କ ଶୌଚ କାର୍ଯ୍ୟର ସମସ୍ୟା ପ୍ରତି ଦୃଷ୍ଟି ନପଡିବା ଦୁର୍ଭାଗ୍ୟ ଜନକ ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି । ଏବିଷୟରେ ନର୍ଲା ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସରକାରୀ ଅଫିସ ଗୁଡିକରେ ଆମ ବିଭାଗ ତରଫରୁ ଶୌଚାଳୟ ନିର୍ମାଣ ପାଇଁ ପ୍ରୋଭିଜନ ନାହିଁ । ସେଇଟା ଆରଡି ବିଭାଗ ନିର୍ମାଣ କରିପାରିବ ବୋଲି ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.