ଶୁଣିଲାନି ପ୍ରଶାସନ, ନିଜସ୍ୱ ଖର୍ଚ୍ଚରେ ରାସ୍ତା ମରାମତି କଲେ ସମାଜସେବୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ନିର୍ମାଣ ହୋଇଥିବା କୋକସରା ବ୍ଲକ ଝରିଆଗୁଡା ଠାରୁ ଗହନାମୁଣ୍ଡା ଓ ଡାଲଗୁମାକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ ଅବଧି ପୂର୍ବରୁ ଘଷଡା ହୋଇପଡ଼ିଥିଲା। ଏନେଇ ବିଭିନ୍ନ ସମୟରେ ସ୍ଥାନୀୟ ଅଞ୍ଚଳବାସୀ ରାସ୍ତା ମରାମତି କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଆସିଛନ୍ତି। ହେଲେ ନିର୍ମାଣ ହେବା ଦିନଠାରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇରହି ଥିଲେ ହେଁ ଥରୁଟିଏ ମରାମତି କଲାନି ବିଭାଗ। ଶେଷରେ ଦୁଇ ସମାଜସେବୀ ନିଜ ଉଦ୍ୟମରେ ଗୁରୁବାର ଖଲଖମାକୁ ମୋରମ ପକାଇ ମରାମତି କରାଇଛନ୍ତି। ସୂଚନା ଅନୁସାରେ, ଡ଼ଙ୍ଗରୀଗୁଡା ଗାଁ ମଝି ତିନି ଛକରୁ ଗଇନ୍ତାପଡା, ଝରିଆଗୁଡା ଦେଇ ଗହନାମୁଣ୍ଡାକୁ ସଂଯୋଗ କରୁଥିବା ପ୍ରାୟ ୫କିମି ରାସ୍ତା ଗତ ୨୦୧୮ ମସିହାରେ ନିର୍ମାଣ ହୋଇଥିଲା। ତେବେ ମରାମତି ଅଭାବରୁ ଝରିଆଗୁଡା କାଜୁ ବଗିଚା ନିକଟରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ପଡିରହିଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଏନେଇ ସ୍ଥାନୀୟ ଲୋକେ ମରାମତି କରାଇବା ପାଇଁ ବିଭିନ୍ନ ସମୟରେ ଦାବି କରିବା ସହ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶିତ ହୋଇଥିଲା, ହେଲେ ବିଭାଗ ଏଦିଗରେ ଥରୁଟିଏ ମଧ୍ୟ ଦୃଷ୍ଟି ଦେଲା ନାହଁ, ରାସ୍ତାଟି ଶୋଚନୀୟ ହୋଇରହିଥିବା ବେଳେ ବର୍ତ୍ତମାନ ଡାଲଗୁମା ଧାନ ମଣ୍ଡିରୁ ଏହି ରାସ୍ତାଦେଇ ବିଭିନ୍ନ ମିଲକୁ ବିପଦପୂର୍ଣ୍ଣ ଭାବେ ଧାନ ବୋଝେଇ ଟ୍ରକ୍ ଗୁଡ଼ିକ ଯାତାୟତ କରୁଥିଲା। ସାମାନ୍ୟ ଅସାମାନ୍ୟ ହେଲେ ଦୁର୍ଘଟଣା ଘଟିବା ନିଶ୍ଚିତ ରହିଛି, ଏହାକୁ ଦୃଷ୍ଟିରେ ରଖି କିଭଲି ସୁରୁଖୁରୁରେ ସାଧାରଣ ଲୋକଙ୍କ ସହ ଯାନବାହାନ ଚଳାଚଳ କରିପାରିବ ସେନେଇ ଦୁଇ ସମାଜସେବୀ କେତୁରାମ ମାଝୀ ଓ ପୂର୍ବତନ ସମିତି ସଭ୍ୟ ଭୁବନେ ମାଝୀ ନିଜ ଉଦ୍ୟମରେ ଟ୍ରାକ୍ଟର ଯୋଗେ ମୋରମ ଆଣି ଗ୍ରାମବାସୀଙ୍କ ସହଯୋଗରେ ରାସ୍ତାକୁ ମରାମତି କରାଇଛନ୍ତି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସୁରେଶ ବରିହାଙ୍କୁ ପଚାରିବାରୁ ଅବଧି ସରିଯାଇଛି, ମରାମତି ପାଇଁ ପ୍ରସ୍ତାବ ଦିଆଯାଇଛି ଅନୁଦାନ ଆସିଲେ ଶୀଘ୍ର ମରାମତି କରାଯିବ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.