ଭୀମଭୋଇ ସାମର୍ଥ ଶିବିରରେ ଅନିୟମିତତା ଓ ନିମ୍ନମାନର ଖାଦ୍ୟ ବିତରଣ ଅଭିଯୋଗ କଲେ ଭିନ୍ନକ୍ଷମ ମହାସଂଘ

ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ପୈାର ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ପ୍ରଥମ ଥର ରାୟଗଡା ପୈାରାଂଚଳର ଭିନ୍ନକ୍ଷମମାନଙ୍କୁ ନେଇ ଗତ ମଙ୍ଗଳବାର ୧୨ତାରିଖ ଦିନ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଥିବା ଭୀମଭୋଇ ସାମର୍ଥ ଶିବିରରେ ଅନିୟମିତତା ଓ ନିମ୍ନମାନର ଖାଦ୍ୟ ବିତରଣ କରାଯାଇଥିବା ଅଭିଯୋଗ ଆଣିଲା ରାୟଗଡା ଜିଲ୍ଳା ଭୀନ୍ନକ୍ଷମ ମହାସଂଘ । ଉକ୍ତ ଶିବିରରେ ମଧ୍ୟାହ୍ନ ଭୋଜନରେ ଭିନ୍ନକ୍ଷମ ତଥା ତାଙ୍କ ସାଙ୍ଗରେ ଆସିଥିବା ଅଭିଭାବକମାନଙ୍କୁ ବହୁତ ନିମ୍ନମାନର ଖାଦ୍ୟ ବିତରଣ କରାଯାଇଥିବା ନେଇ ଆଜି ରାୟଗଡା ଜିଲ୍ଳା ଭିନ୍ନକ୍ଷମ ମହାସଂଘ ସଂପାଦକ ଅମରେନ୍ଦ୍ର ନାଥ ଓ ଅନ୍ୟ ସଦସ୍ୟମାନେ ଅଭିଯୋଗ ଶୁଣିବା ପରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ପୈାର ନିର୍ବାହୀ ଅଧିକାରୀ ୟାସିର ବିଲାଲ ଅହମ୍ମଦଙ୍କୁ ସାକ୍ଷାତ କରି ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏପରିକି ଅଶୋକ କଲ୍ୟାଣ ମଣ୍ଡପ ପାଚେରିକୁ ଲାଗି ରହିଥିବା ଆହାର କେନ୍ଦ୍ରରୁ ୫ ଟଙ୍କିଆ ଭୋଜନ ଆଣି ଭିନ୍ନକ୍ଷମ ଭାଇଭଉଣୀମାନଙ୍କୁ ବଂଟନ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ତରଫରୁ ଭୀମଭୋଇ ସାମର୍ଥ ଶିବିର କାର୍ଯ୍ୟକ୍ରମ ପାଇଁ ପର୍ଯ୍ୟାପ୍ତ ଅନୁଦାନ ରାଶି ଦିଆଯାଉଛି । ତଥାପି ଭିନ୍ନକ୍ଷମମାନଙ୍କୁ ଅପମାନ ସଦୃଶ ଏଭଳି ବ୍ୟବହାର ସମସ୍ତଙ୍କ ମନରେ କଷ୍ଟ ଦେଇଛି ବୋଲି କହିବା ସହ ରାୟଗଡା ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ସୀମାଂଚଳ ମହାପାତ୍ରଙ୍କ ତତ୍ୱାବଧାନରେ ଏବଂ ରାୟଗଡା ପୈାର ପରିଷଦ ସାମାଜିକ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ପରିଚାଳନା ହୋଇଥିବା ପୈାରାଂଚଳର ପ୍ରଥମ ଶିବିରରେ ହିଁ ଯଦି ଭିନ୍ନକ୍ଷମ ଭାଇଭଉଣୀମାନଙ୍କୁ ନିମ୍ନମାନର ଖାଦ୍ୟ ବଂଟନ କରାଯାଉଛି ତାହାହେଲେ ଆଗାମୀ ଦିନରେ ହେବାକୁ ଥିବା ବ୍ଳକସ୍ତରୀୟ ଶିବିର କାର୍ଯ୍ୟକ୍ରମଗୁଡିକରେ ବିଭାଗ ପକ୍ଷରୁ ଭିନ୍ନକ୍ଷମମାନଙ୍କୁ କିଭଳି ବ୍ୟବସ୍ଥା କରାଯିବାକୁ ଅଛି ତାହା ଆପେ ଅନୁମେୟ ବୋଲି ଶ୍ରୀ ନାଥ ପ୍ରକାଶ କରିଛନ୍ତି । ଅପରପକ୍ଷେ ଉକ୍ତ ଶିବିରରେ ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟର ଏନସିସି କ୍ୟାଡେଟମାନେ ମଧ୍ୟ କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ଭାଇଭଉଣୀମାନଙ୍କୁ ନେବା ଆଣିବାରେ ସହଯୋଗ କରିବା ସହ ଅନ୍ୟାନ୍ୟ ସେବା କାର୍ଯ୍ୟରେ ସହଯୋଗ କରିଥିଲେ । ତେବେ ସେମାନଙ୍କୁ ମଧ୍ୟ ଆହାର କେନ୍ଦ୍ରରୁ ୫ଟଙ୍କିଆ ଖାଦ୍ୟ ଦିଆଯାଇଥିବା ନେଇ କ୍ୟାଡେଟ୍ ମାନେ ପ୍ରକାଶ କରିଥିବା ବିଷୟରେ ମହାବିଦ୍ୟାଳୟର ଏନସିସି ଅଧିକାରୀ ଲେଫନାଂଟ ଉଦୟ ନାୟକ ମଧ୍ୟ ନିଜ ପ୍ରତିକିୟା ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.