ଓଡ଼ିଆ ବାର୍ତ୍ତା/ ମସ୍କୋ: ଏଆଇ ଦ୍ୱାରା ସୃଷ୍ଟି ହୋଇଥିବା ଡିପଫେକ୍ ସମସ୍ୟା ମଧ୍ୟ ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ସାଜିଛି । ବଡ ବଡ ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ମଧ୍ୟ ଏହି ଡିପଫେକ୍ର ଶିକାର ହୋଇଛନ୍ତି । ଏବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡ଼ିପ୍ଫେକର ଶିକାର ହୋଇଛନ୍ତି । ତାଙ୍କ ଭଳି ଦେଖାଯାଉଥିବା ଏଆଇ ରୋବଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଋଷିଆରେ ବର୍ଷ ଶେଷରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥାଏ । ଯେଉଁଥିରେ ଦେଶର ନାଗରିକ ଖୋଦ୍ ରାଷ୍ଟ୍ରପତିଙ୍କ ସହ ଦେଶର ବିଭିନ୍ନ ସମସ୍ୟା ଉପରେ ଖୋଲାଖୋଲି ଆଲୋଚନା କରିଥାନ୍ତି । ତେବେ ଚଳିତ ବର୍ଷ ହୋଇଥିବା ସମ୍ମିଳନୀର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପୁଟିନଙ୍କର ଜଣେ ଏଆଇ ରୋବଟ ତାଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖାଯାଇଛି । ଏଆଇ ରୋବଟ ଜଣକ ଅବିକଳ ପୁଟିନଙ୍କ ଭଳି ଦେଖାଯାଉଛନ୍ତି । କିନ୍ତୁ ସେ ନିଜକୁ ପିଟର୍ସବର୍ଗ ଷ୍ଟେଟ ୟୁନିଭରସିଟିର ଜଣେ ଛାତ୍ର ବୋଲି ପୁଟିନଙ୍କୁ ପରିଚୟ ଦେଇଛନ୍ତି । ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଭିଡିଓରେ ପୁଟିନ ଡିପିଫେକର ଶିକାର ହୋଇଛନ୍ତି ବୋଲି କୁହାଯାଉଛି । ଭିଡିଓରେ ନକଲି ପୁଟିନ, ରାଷ୍ଟ୍ରପତି ପୁଟିନଙ୍କୁ ନ୍ୟୁରାଲ ନେଟୱର୍କ ଓ ଏଆଇର ଭୟାବହତା ଉପରେ ତାଙ୍କର ଦୃଷ୍ଟିକୋଣ କଣ ଅଛି ବୋଲି ପ୍ରଶ୍ନ କରିଛନ୍ତି । ଏଥିସହ ସେ କଣ ତାଙ୍କର ଅବିକଳ ପ୍ରତିଛବି ଭାବରେ ରୋବଟ ରଖିଛନ୍ତି ବୋଲି କହିଛନ୍ତି । ଏପରି ପ୍ରଶ୍ନରେ ସମ୍ମୁଖରେ ବସିଥିବା ଜନତାଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି ହୋଇଛି । କିନ୍ତୁ ରାଷ୍ଟ୍ରପତି ପୁଟିନ ଗମ୍ଭୀରତାର ସହ ନକଲି ପୁଟିନଙ୍କ ଆଡେ ଦୃଷ୍ଟି ଫେରେଇଛନ୍ତି । ଉତ୍ତରରେ ପୁଟିନ୍ କହିଛନ୍ତି, ଆପଣ ମୋ ଭଳି ଦେଖାଯାଇପାରିବେ ଏବଂ ମୋ ଭଳି ସ୍ୱରରେ କଥାବାର୍ତ୍ତା ମଧ୍ୟ କରିପାରିବେ । କିନ୍ତୁ ମୁଁ କେବଳ ଜଣଙ୍କୁ ମୋ ଭଳି ହେବାକୁ ନିର୍ଦ୍ଦେଶ ଦେଇପାରିବି । ଆଉ ସେ ହେଉଛି ମୁଁ । ଅନ୍ୟଥା କାହାକୁ ଏଭଳି କରିବାକୁ ମୋର ନିର୍ଦ୍ଦେଶ ନାହିଁ । କିନ୍ତୁ ମୁଁ ଦେଖିପାରୁଛି ମୋର ନକଲ ପ୍ରସ୍ତୁତ ହୋଇ ସାରିଛି ।