ରାୟଗଡାରେ ଯୁବକଙ୍କୁ ହତ୍ୟା ଘଟଣା, ସଂପୃକ୍ତ ୩ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ପାରିବାରିକ ତିକ୍ତତା ମଧ୍ୟରେ ଭଉଣୀର ପ୍ରେମ ସଂପର୍କକୁ ନେଇ ହତ୍ୟା ଷଡଯନ୍ତ୍ର ରଚିଥିଲା ମୁଖ୍ୟ ଅଭିଯୁକ୍ତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରରେ ଗତକାଲି ଶୁକ୍ରବାର ପୂର୍ବାହ୍ନରେ ୨୧ବର୍ଷିୟ ପ୍ରମୋଦ କୁମାର କଲକା ନାମକ ଜଣେ ଯୁବକକୁ ଛୁରୀ ଭୂଷି ହତ୍ୟା କରିଥିବା ଅଭିଯୋଗରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଶନିବାର ଘଟଣାରେ ସଂପୃକ୍ତି ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରି ମୋଟ ୩ଜଣ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି ରାୟଗଡା ଥାନା ପୋଲିସ। ୨୪ ଘଂଟା ନ ପୁରୁଣୁ ହତ୍ୟା ଘଟଣାର ଫର୍ଦ୍ଦାଫାଶ କରିଛି ରାୟଗଡା ଥାନା ପୋଲିସ। ଅଭିଯୁକ୍ତମାନଙ୍କ ଠାରୁ ହତ୍ୟା ଘଟଣାରେ ବ୍ୟବହୃତ ଏକ ରକ୍ତ ଜୁୁଡୁବୁଡୁ ଛୁରୀ ସହଗୋଟିଏ ସ୍କୁଟିକୁ ଜବତ କରାଯାଇଛି। ରାୟଗଡା ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାୟଗଡା ଥାନା ପରିସରରେ ଏସଡିପିଓ ରଶ୍ମିରଂଜନ ସେନାପତି ସାମ୍ବାଦିକ ସମ୍ମିଳନୀ କରି ହତ୍ୟା ଘଟଣାରେ ସଂପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ପ୍ରକାଶ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ରାୟଗଡା ଜିଲ୍ଳା ଶେଷଖାଲ ଥାନା ଅନ୍ତର୍ଗତ ଖିଲିମିଶିଗୁଡା ଗ୍ରାମର ମୀନାରାଓ ହିମିରିକାଙ୍କ ୨୬ବର୍ଷୀୟ ପୁଅ ଦୀପନ କୁମାର ହିମିରିକା, ଦେବୀ କଣ୍ଡାଗରୀଙ୍କ ୨୪ବର୍ଷର ପୁଅ ଆରୟା ଓରଫ ମୁରଲୀ କଣ୍ଡାଗରୀ ଏବଂ ଅର୍ଜୁନ ଜିଲ୍ଳାକାରାଙ୍କ ୨୪ବର୍ଷୀୟ ପୁଅ ରାଜୁ ଓରଫ ହେମନ୍ତ ଜିଲାକାରା। ମୁଖ୍ୟ ଅଭିଯୁକ୍ତ ଦୀପନଙ୍କ ସହ ମୃତ ପ୍ରମୋଦଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ ତିକ୍ତତା ରହି ଆସିଥିବା ବେଳେ ଦୀପନଙ୍କ ଭଉଣୀ ସହ ପ୍ରମୋଦର ପ୍ରେମ ସଂପର୍କ ଉଭୟଙ୍କ ମଧ୍ୟରେ ଆହୁରି ଶତ୍ରୁତାକୁ ବୃଦ୍ଧି କରିଥିଲା। ନିଜ ଭଉଣୀ ଠାରୁ ଦୂରେଇ ରହିବା ପାଇଁ ପ୍ରମୋଦକୁ ଅନେକ ସମୟରେ ମୁଖ୍ୟ ଅଭିଯୁକ୍ତ ଦୀପନ ଧମକ ଦେଇ ଆସୁଥିବା ବେଳେ ପ୍ରମୋଦ କିନ୍ତୁ ଧମକକୁ ଗୁରୁତର ସହ ନେଇ ନ ଥିଲା। ପ୍ରମୋଦ କଥା ଶୁଣୁ ନ ଥିବାରୁ ଜୀବନରୁ ମାରି ଦେବାର ନିଷ୍ପତି ନେଇ ନିଜ ସହଯୋଗୀ ଆରିୟା ଓ ରାଜୁଙ୍କ ସହଯୋଗରେ ଷଡଯନ୍ତ୍ର ରଚିଥିଲା ମୁଖ୍ୟ ଅଭିଯୁକ୍ତ ଦୀପନ। ୧୫ ତାରିଖ ଶୁକ୍ରବାର ପୂର୍ବାହ୍ନରେ ପ୍ରମୋଦ ନିଜ ମାମୁଁ ପୂର୍ବତନ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ଝିଅକୁ ନେଇ ସ୍କୁଲରୁ ଘରକୁ ଫେରୁଥିବା ସମୟରେ ସହରର ଗୈାତମ ନଗର ମଝିଘରିଆଣୀ ମଣ୍ଡପ ରାସ୍ତାରେ ମୁଖ୍ୟ ଅଭିଯୁକ୍ତ ଦୀପନ, ଆରିୟା ଓ ରାଜୁ ଏକାଥରକେ ପ୍ରମୋଦକୁ ଆକ୍ରମଣ କରି ଛୁରୀ ଭୁଷୀ ହତ୍ୟା କରିଥିଲେ। ପରେ ଘଟଣା ସ୍ଥଳରୁ ସ୍କୁଟି ଯୋଗେ ଫେରାର ହୋଇଥିବା ବେଳେ ହତ୍ୟା ଘଟଣାକୁ ନେଇ ଥାନାରେ ମୃତ ପ୍ରମୋଦଙ୍କ ଭାଇ ପ୍ରଦୀପ କଲକା ଏତଲା ଦେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପୂର୍ବକ ପୋଲିସ ତଦନ୍ତ କରି ଘଟଣାର ୩ ଘଂଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଦୀପନ ଓ ଆରିୟାକୁ ଗିରଫ କରିଥିବା ବେଳେ ୨୪ ଘଂଟା ନ ପୁରୁଣୁ ଆଉ ଜଣେ ଅଭିଯୁକ୍ତ ରାଜୁକୁ ଗରିଫ କରିବାରେ ସଫଳ ହୋଇଥିଲେ। ରାୟଗଡା ସ୍ୱଂୟ ଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି କଳା ବିଭାଗର ତୃତୀୟ ବର୍ଷରେ ଛାତ୍ର ଭାବେ ପ୍ରମୋଦ ଅଧ୍ୟୟନ କରୁଥିବା ବେଳେ ସେ ଏକ ଭଡା ଘରେ ନିଜ ସହପାଠୀମାନଙ୍କ ସହ ରହି ଆସୁଥିଲେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ଥାନା ଅଧିକାରୀ କମଳାକାନ୍ତ ବସନ୍ତ କୁମାର କହଁର ମଧ୍ୟ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.