ନବନିର୍ମାଣ କୃଷକ ସଙ୍ଗଠନର ମଣ୍ଡି ଚାଲ ଅଭିଯାନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ “ମଣ୍ଡି ଚାଲ ଅଭିଯାନ” ଅନୁଷ୍ଠିତ ହୋଇଯାଇଛି। ସଂଗଠନର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାରଙ୍କ ନେତୃତ୍ବରେ ସଂଗଠନର ଅନ୍ୟ କର୍ମକର୍ତ୍ତାମାନେ ଏହି ଅଭିଯାନରେ ସାମିଲ ହୋଇଥିଲେ। ସଂଗଠନର ପ୍ରତିନିଧିମାନେ ଉଲୁଣ୍ଡା ବ୍ଲକର କୋଟସମଲାଇ ମଣ୍ଡିରେ ପହଞ୍ଚିଥିଲେ। ସେହି ପଞ୍ଚାୟତର ଚାଷୀ ଭାଇମାନେ ସେଠାରେ ପହଞ୍ଚି ମଣ୍ଡିର ବିଭିନ୍ନ ସମସ୍ୟା ଯଥା ଭିତ୍ତି ଭୂମି, ଗୋଦାମ ଘର, ପର୍ଯ୍ୟାପ୍ତ ଛାଉଣୀ, ପେଣ୍ଡାଲ ଆଦି ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ମାର୍କେଟ ୟାର୍ଡ ପାଇଁ ତୁରନ୍ତ ଜାଗା ଚିହ୍ନଟ କରିବା ପାଇଁ ସଂଗଠନର ପ୍ରତିନିଧିମାନେ ଆରଏମସି ସେକ୍ରେଟାରୀଙ୍କୁ ତାଗିଦ୍ କରିଥିଲେ। ପରେ ଚାଷୀଙ୍କ ଧାନକୁ ବିନା କଟନୀ ଛଟନୀରେ ଉଠାଇବା ପାଇଁ ମିଲର୍ସମାନଙ୍କ ସହ ସଂଗଠନର ପ୍ରତିନିଧିମାନେ ଆଲୋଚନା କରିଥିଲେ। ଏହା ସହ ଚାଷୀମାନେ କିପରି ବସ୍ତା ପିଛା ଟଙ୍କା, ଟ୍ରାନ୍ସପୋର୍ଟ ଖର୍ଚ୍ଚ ଓ ମଣ୍ଡିରେ କିପରି ଭଲ ସମ୍ମାନ ପାଇବେ ସଂଗଠନର ପ୍ରତିନିଧି ଦଳ ଚାଷୀମାନଙ୍କୁ ସଚେତନ କରାଇଥିଲେ। ଓଡ଼ିଶାର ୮୦ ଭାଗ ଚାଷୀ ଭାଇ-ଭଉଣୀଙ୍କ ସହ ଏକତ୍ର ହୋଇ ନିଜ ହକ୍ ଓ ଅଧିକାର ପାଇବା ପାଇଁ ଆଗାମୀ ଦିନରେ ବିକଳ୍ପ ରାଜନୈତିକ ଦଳ ଚାଷୀ ସରକାର “ମୋ ଦଳ”କୁ ସମର୍ଥନ କରିବା ପାଇଁ ଆହ୍ଵାନ କରିଥିଲେ। ଆଗାମୀ ଦିନରେ ଉଲୁଣ୍ଡା ବ୍ଲକ ର ଯାଲୋଏ, ଉଲୁଣ୍ଡା ଆଦି ମଣ୍ଡି ସହ ଜିଲ୍ଲାର ଅନ୍ୟ ସବୁ ମଣ୍ଡିଗୁଡ଼ିକ ପରିଦର୍ଶନ କରି ଅବ୍ୟବସ୍ଥା ସମୁହର ପର୍ଦାଫାସ କରିବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ମିଲର୍ସ ଓ ବେପାରୀଙ୍କ ଭାଗିଦାରୀରେ ପ୍ରଶାସନ ଯଦି ସାମିଲ ରହେ ତାହେଲେ ଆଗକୁ ଜୋରଦାର ଆନ୍ଦୋଳନ ହେବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ସଂଗଠନର ଜୈମିନି ନାୟକ, ବିଜୟ ନାୟକ, ଦିନବନ୍ଧୁ ପ୍ରଧାନ, ରାଜକୁମାର ଅମାତ୍, ଆକାଶ ପ୍ରଧାନ ପ୍ରମୁଖ ଏହି ଅଭିଯାନରେ ସାମିଲ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.