ଦୁଇ ବିଦ୍ୟାଳୟ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଭାନପୁର ଖେଳପଡିଆ ଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଆୟୋଜିତ କରାଯାଇଥିଲା। ଭାନପୁର ବିଦ୍ୟାଳୟ ଓ ପଡୋଶୀ ସରକାରୀ ଉଚ୍ଚ ବିଦ୍ୟାଳୟ ମଶାନକୁଣ୍ଡା ମଧ୍ୟରେ ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ମଶାନକୁଣ୍ଡା ବିଦ୍ୟାଳୟ ବିଜୟୀ ହୋଇଥିଲା। ଦୁଇ ବିଦ୍ୟାଳୟ ଦଳ ମଧ୍ୟରୁ ପ୍ରଥମେ ମଶାନକୁଣ୍ଡା ଦଳ ୧୦ ଓଭରରେ ଭାନପୁର ଦଳକୁ ୮୭ ଟାର୍ଗେଟ ଦେଇଥିଲା। ଜବାବରେ ଭାନପୁର ଦଳ ୬୯ ରନ ସଂଗ୍ରହ କରି ଅଲଆଉଟ ହୋଇଯାଇଥିଲା। ଏହି ମ୍ୟାଚରେ ମଶାନକୁଣ୍ଡା ବିଦ୍ୟାଳୟର ରାଜା ମିର୍ଦ୍ଧା ୭ ଉଇକେଟ ନେଇ ମେନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ। ଶିକ୍ଷକ ଗୋବିନ୍ଦ କମଲକର, ଲାଳେଶ୍ୱର ନାୟକ ଅମପେୟାର ଦାଇତ୍ୱ ତୁଲାଇଥିଲେ। ଶିକ୍ଷକ ବିଶାଳ ପାଣିଗ୍ରାହୀ ଏଥିରେ କମେଣ୍ଟ୍ରି କରିଥିବା ବେଳେ ସ୍କୋରର ଦାଇତ୍ୱ ତୁଲାଇଥିଲେ ଶିକ୍ଷକ ଶିବ କୁମାର କେଉଟ। ଉଭୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ବୃନ୍ଦ ଏହି ମ୍ୟାଚରେ ଉପସ୍ଥିତ ଥିଲେ। ଦୁଇ ବିଦ୍ୟାଳୟର ସମ୍ପର୍କକୁ ଘନିଷ୍ଠ କରିବା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଉତ୍ସାହ ଭରିଦେବା ହିଁ ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚର ମୂଳ ଲକ୍ଷ ଥିଲା ବୋଲି ଶିକ୍ଷକ ଭରତ ନିଆଲ ସୂଚନା ପ୍ରଦାନ କରିଛନ୍ତି। ଭାନପୁର ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବଦତ୍ତ କୁଆଁର ଏବଂ ମଶାନକୁଣ୍ଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିକାଶ ପଟେଲ ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.