ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୁଆ ଓଡ଼ିଶା ତରଫରୁ ସଡ଼କ ସୁରକ୍ଷା ସଚେତନତା ଓ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ରାଜ୍ୟର ଯୁବ ସମାଜଙ୍କ ମଧ୍ୟରେ ସାମାଜିକ ପ୍ରତିବଦ୍ଧତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଯୁବ ଶକ୍ତିକୁ ଗୁରୁତ୍ଵ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ଜଣେ ଜଣେ ସ୍ୱେଚ୍ଛାସେବୀ ଓ ଦାୟିତ୍ଵ ସମ୍ପନ୍ନ ନାଗରିକ ହେବା ପାଇଁ ଉଦ୍ୟମ ଆରମ୍ଭ ହେଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ପ୍ରକାଶିତ ମାର୍ଗଦର୍ଶିକା ଅନୁଯାୟୀ କ୍ରୀଡ଼ା, ସଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ଷେତ୍ରରେ ଯୁବ ବର୍ଗଙ୍କ ଅଂଶ ଗ୍ରହଣକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କୁ ରାଜ୍ୟର ବିକାଶରେ ସକ୍ରିୟ ଅଂଶୀଦାର କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରା ଯାଉଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାସ୍ଥିତ ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ନିକଟସ୍ଥ ଖଲିଆକାନି ଗ୍ରାମ ପାର୍ଶ୍ଵସ୍ଥ ବସଷ୍ଟପରେ ଏକ ସଡ଼କ ସୁରକ୍ଷା ସଚେତନତା ଓ ଦୁର୍ଘଟଣା ସମ୍ପର୍କିତ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ କୁମାର ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଗୋଲାମୁଣ୍ଡା ଥାନା ଭାରପ୍ରାପ୍ତ ପୋଲିସ୍ ଅଧିକାରୀ ଶ୍ୱେତପଦ୍ମା ସେଠ୍, ବୃନ୍ଦାବାହାଲ ପଞ୍ଚାୟତର ସରପଞ୍ଚ ଦିନେଶ କୁମାର ରାଉତ, ଖଲିଆକାନି ପଞ୍ଚାୟତର ପୂର୍ବତନ ସରପଞ୍ଚ ଗଙ୍ଗାଧର ରାଉତ,ପୂର୍ବତନ ସମିତି ସଭ୍ୟ ନବୀନ କୁମାର ରାଉତ, ସମାଜସେବୀ ପ୍ରସନ୍ନ କୁମାର ରାଉତ ପ୍ରମୁଖ ଯୋଗଦେଇ ସଡ଼କ ଦୁର୍ଘଟଣାରେ ଆହତ ମାନଙ୍କ ପାଇଁ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣର ଉପାଦେୟତା ବିଷୟରେ ଆଲୋଚନା କରିଥିଲେ। ସାମାଜିକ ସଚେତନତା ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ସରୋଜ କାନ୍ତ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଶିକ୍ଷକ ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ାଙ୍କ ତତ୍ବାବଧାନରେ ଛାତ୍ର ଛାତ୍ରୀ ମାନେ ପ୍ରାଥମିକ ଚିକିତ୍ସାର ବିଭିନ୍ନ କୌଶଳ ପ୍ରଦର୍ଶନ କରିବା ସହିତ ସଡ଼କ ଦୁର୍ଘଟଣାରେ ଆହତ ମାନଙ୍କର କିପରି ଜୀବନ ରକ୍ଷା କରାଯାଇ ପାରିବ ସେ ବିଷୟରେ ଜନ ସଚେତନତା ସୃଷ୍ଟି କରିଥିଲେ।ନୋଡାଲ ଅଧିକାରୀ ଅଧ୍ୟାପକ ପ୍ରବୀର କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଗୋଲାମୁଣ୍ଡା ପୋଲିସ ଟିମ୍ ସକ୍ରିୟ ସହଯୋଗ କରିଥିଲେ। ଅଧ୍ୟାପକ କବି ପ୍ରସାଦ ପଟ୍ଟନାୟକ, କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ବାରିକ,ଦିଲ୍ଲୀପ କୁମାର ସ୍ବାଇଁ, ପ୍ରମୋଦ ମହାନ୍ତି, ବୈକୁଣ୍ଠ ପଟେଲ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.