ବୟାନ ଦେବା ପୂର୍ବରୁ ଚିନ୍ତା କରନ୍ତୁ ରାହୁଲ ଗାନ୍ଧୀ -କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବେକାରୀ ଏବଂ ମୁଦ୍ରାସ୍ଫୀତିକୁ ଦାୟୀ କରି ସମାଲୋଚନା କରିଛନ୍ତି। କଂଗ୍ରେସ ନେତା କେତେବେଳେ କ’ଣ କହିବେ ତାହା କାହାକୁ ଜଣା ନଥିବା ଦର୍ଶାଇ ନିତ୍ୟାନନ୍ଦ ରାୟ ରାହୁଲ ଗାନ୍ଧୀଙ୍କ ଜାତୀୟ ପ୍ରସଙ୍ଗ ବୁଝିବା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ବୟାନ ଦେବା ପୂର୍ବରୁ ଚିନ୍ତା କରିବା ପାଇଁ ପରାମର୍ଶ ଦେବା ସହ ରାହୁଲ ଗାନ୍ଧୀ କେଉଁ ପ୍ରସଙ୍ଗରେ କଣ କହୁଛନ୍ତି ଭାବି ଲୋକେ ତାଜୁବ ହେଉଛନ୍ତି। ଏହାପୂର୍ବରୁ ଶନିବାର ରାହୁଲ ଗାନ୍ଧୀ ସୁରକ୍ଷା ଭଙ୍ଗକୁ ବେକାରୀ ଓ ମୁଦ୍ରାସ୍ଫୀତି ସହ ଯୋଡ଼ି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ନୀତିକୁ ଦାୟୀ କରିଥିଲେ। ଚାକିରୀ ଅଭାବ ଓ ଦିନକୁ ଦିନ ବଢୁଥିବା ଦରଦାମ ଏବଂ ଯୁବକଙ୍କ ହତାଶାର ସିଧାସଳଖ ପରିଣାମ ଏହି ଘଟଣା ବୋଲି ସେ କହିଥିଲେ। ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି, ଆଗାମୀ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଆସିବ ବୋଲି ନିତ୍ୟାନନ୍ଦ ରାୟ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଦଳର ବିକାଶ ମୂଳକ ପଦକ୍ଷେପ, ନାଗରିକଙ୍କ ପାଖରେ କଲ୍ୟାଣକାରୀ ଯୋଜନା ପହଞ୍ଚିବା ଏବଂ ଭାରତର ବୈଶ୍ୱିକ ମାନ୍ୟତା ବୃଦ୍ଧି ପାଇବାକୁ ସେ ଦଳର ସଫଳତା ବୋଲି କହିଛନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.