ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଜରୁରୀ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଏକ ଜରୁରୀ ବୈଠକ ଆଶୁତୋଷ ମିଶ୍ରଙ୍କ ଆବାହକତ୍ୱରେ ତଥା ମଞ୍ଚର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଅମଲା ଭବନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ଅମଲା ସଂଘ କଳାହାଣ୍ଡି ଶାଖା ସଭାପତି ସୁକାନ୍ତ କୁମାର ମହାପାତ୍ର, ରାଜସ୍ୱ ଅମଲା ସଂଘ କଳାହାଣ୍ଡି ଶାଖା ସଭାପତି ନୀଳକଣ୍ଠ ଗୌଡ, ଟ୍ରେଜେରି ଅମଲା ସଂଘ କଳାହାଣ୍ଡି ଶାଖା ସଭାପତି କୁରେଶ୍ୱର ମାଝୀ, ନିବନ୍ଧକ ଅମଲା ସଂଘର ଅବିନାଶ ନନ୍ଦ, ମଞ୍ଚର ପରାମର୍ଶଦାତା ରୂପକେଶରୀ ଦଳେଇ ତଥା ଭବାନୀପାଟଣା ବ୍ଲକ ମିଳିତ ଅମଲା ମଞ୍ଚ ଅଧ୍ୟକ୍ଷ ବ୍ରଜବନ୍ଧୁ ମୁଣ୍ଡ ମଞ୍ଚାସୀନ ଥିଲେ । ମଂଚର ଅଧ୍ୟକ୍ଷ ଜିତେନ୍ଦ୍ର ମୁଣ୍ଡ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ସମୂହ ଛୁଟି ଆନ୍ଦୋଳନ କାର୍ଯ୍ୟକ୍ରମକୁ ଗଣତାନ୍ତ୍ରିକ ପଦ୍ଧତିରେ ଶାନ୍ତି ଶୃଙ୍ଖଳା ସହିତ ଅନୁଷ୍ଠିତ କରିବା ପାଇଁ ଅନୁରୋଧ କରିଥିଲେ l ଉପସ୍ଥିତ ସମସ୍ତ ସଦସ୍ୟ ଅମଲା ମଞ୍ଚର ଏକ ମାତ୍ର ଦାବି ପୂରଣ ଦିଗରେ ସରକାରଙ୍କ ଆଭିମୁଖ୍ୟକୁ ଦୃଢ଼ ପ୍ରତିବାଦ କରି ଥିଲେ। ସମସ୍ତେ ଆସନ୍ତା ୧୯ତାରିଖ ସୁଦ୍ଧା ସମୂହ ଛୁଟି ଦରଖାସ୍ତ ନିଜ କାର୍ଯ୍ୟାଳୟ ମୁଖ୍ୟଙ୍କୁ ଦାଖଲ କରିବା ପାଇଁ ଏକମତ ହୋଇଥିଲେ। ପ୍ରତିଶ୍ରୁତିର ଛଅ ମାସ ବିତିଯାଇଥିବା ସତ୍ତ୍ୱେ ସରକାର ଆଜି ପର୍ଯ୍ୟନ୍ତ କନିଷ୍ଠ ସହାୟକଙ୍କ ମୂଳ ଦରମା ଲେଭେଲ-୯ କରି ନ ଥିବାରୁ ପୁନର୍ବାର ଆନ୍ଦୋଳନ କରି ଦାବୀ ହାସଲ ପାଇଁ ଆସନ୍ତା ୨୦ ଠାରୁ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଅମଲା ସମୂହ ଛୁଟିରେ ରହିବେ । ବୈଠକରେ ସମସ୍ତ ବ୍ଲକ୍ ପାଇଁ ଅଧ୍ୟକ୍ଷ ଓ ଆବାହକ ଚୟନ କରାଯାଇଥିଲା। ବରିଷ୍ଠ ଅମଲା ଶିଶିର ଦାସ, ବିଶ୍ଵନାଥ ପାଢ଼ୀ, ଜଗତ ରାମ ଗହିର, ଅନମୋଲ ନାଏକ, ରାଜ କିଶୋର ସାହୁ, ଟଙ୍କଧର ସାହୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.