ଫକୀରମୋହନ ବିଶ୍ବବିଦ୍ୟାଳୟରେ ତ୍ରିଦିବସୀୟ ଉନୁରୁମ୍ ଆନ୍ତର୍ଜାତିକ ଉତ୍ସବ 

ଦ୍ଵିତୀୟ ଦିବସରେ ‘ଆମ ସମୟର କଥା’ ଗଳ୍ପଚର୍ଚ୍ଚାରେ ଭାଗନେଲେ ୬ କଥାକାର

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଲୋକସାହିତ୍ୟ, ଲୋକକଳା ଓ ଲୋକସଂସ୍କୃତିର ନିଜତ୍ବକୁ ସୁରକ୍ଷିତ ରଖିବା ସହ ଯୁବବର୍ଗଙ୍କ ପାଖରେ ପହଞ୍ଚାଇବାରେ ପ୍ରୟାସରତ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଆୟୋଜନ କରିଛି ‘ଉନୁରୁମ୍’ ଆନ୍ତର୍ଜାତିକ ଉତ୍ସବ। ଏହି ତ୍ରିଦିବସୀୟ କାର୍ଯ୍ଯକ୍ରମରେ ବିଭିନ୍ନ ଦେଶରୁ ଆସିଥିବା ସାଂସ୍କୃତିକ ପ୍ରତିନିଧିମାନେ ସେମାନଙ୍କ କଳାନୈପୁଣ୍ୟ ଦେଖାଇଥିଲେ। ଉତ୍ସବର ଦ୍ବିତୀୟ ଦିବସରେ ‘ଆଦିତ୍ୟ ଭାରତ’ର ସହଭାଗିତାରେ ‘ଆମ ସମୟର କଥା: ଗଳ୍ପଚର୍ଚ୍ଚା’ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ପୌରୋହିତ୍ୟ କରିଥିବା ବେଳେ ଏହାକୁ ବିଭାଗୀୟ ମୁଖ୍ୟ ଡକ୍ଟର ଦେବାଶିଷ ପାତ୍ର ସଞ୍ଚାଳନା କରିଥିଲେ।
ପ୍ରାରମ୍ଭରେ ଅତିଥି କଥାକାର ରଜନୀକାନ୍ତ ମହାନ୍ତି, ସହଦେବ ସାହୁ, ଉଦୟ ନାରାୟଣ ଦାସ, ନିବାରଣ ଜେନା, ଗଙ୍ଗାଧର ବିଶ୍ଵାଳ, କୃଷ୍ଣ କୁମାର ମହାନ୍ତି, ଦେବାଶିଷ ସାମନ୍ତରାୟ ପ୍ରମୁଖ ବଟବୃକ୍ଷ ଚାରାରେ ପାଣି ଢାଳି ଉତ୍ସବକୁ ଉଦଘାଟନ କରିଥିଲେ। ଆଦିତ୍ୟ ଭାରତର ସଂସ୍ଥାପକ ଦେବାଶିଷ ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିବା ପରେ କୁଳପତି ପ୍ରଫେସର ତ୍ରିପାଠୀ ତାଙ୍କ ସଭାପତି ଅଭିଭାଷଣ ପ୍ରଦାନ ପୂର୍ବକ ନିଜର ଏକ ରୋଚକ ଗଳ୍ପ ପଠନ କରିଥିଲେ। ଏହି ଆସରରେ ଓଡ଼ିଶାର ସାତଜଣ ପ୍ରତିଷ୍ଠିତ ଗାଳ୍ପିକ ସହଦେବ ସାହୁ, ନିବାରଣ ଜେନା, ଉଦୟନାରାୟଣ ଦାସ, ଗଙ୍ଗାଧର ବିଶ୍ବାଳ, କୃଷ୍ଣ କୁମାର ମହାନ୍ତି, ଦେବାଶିଷ ସାମନ୍ତରାୟ, ରଜନୀକାନ୍ତ ମହାନ୍ତି, ଦେବାଶିଷ ପାତ୍ର ପ୍ରମୁଖ ଯୋଗଦେଇ ନିଜର ରଚିତ ଗଳ୍ପ ପଠନ କରିଥିବା ବେଳେ ଗାଳ୍ପିକ ରଜନୀକାନ୍ତ ମହାନ୍ତି ପଠିତ ଗଳ୍ପଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ଅଂଶଗ୍ରହଣ କରିଥିବା ସମସ୍ତ କଥାକାରଙ୍କୁ କୁଳପତି ପ୍ରଫେସର ତ୍ରିପାଠୀ ଉତ୍ତରୀୟ, ଫକୀରମୋହନଙ୍କ ପ୍ରତିକୃତି ଓ ସେବତୀ ଫୁଲଗଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ପ୍ରହ୍ଲାଦ ଖିଲ।

ପୂର୍ବାହ୍ନରେ ଭାଷା ଓ ସାହିତ୍ୟ ବିଭାଗର ସଭାଗୃହରେ ବହିଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭାଗୀୟ ମୁଖ୍ୟ ଡକ୍ଟର ଦେବାଶିଷ ପାତ୍ର‌‌‌ ସଭାପତିତ୍ବ କରିଥିବା ବେଳେ ସୁଜାତା ମହାପାତ୍ରଙ୍କ ଉପନ୍ୟାସ ‘ପ୍ରଜାକୋର୍ଟ’କୁ ବବୁଲୁ ପ୍ରଧାନ ଆଲୋଚନା କରିଥିଲେ। ସେହିଭଳି ରାଜେନ୍ଦ୍ର ରାଉଳଙ୍କ ‘ଶିବଦାସ’ ଗଳ୍ପ ପୁସ୍ତକକୁ କିଶୋର ମହନ୍ତ ଆଲୋଚନା କରିଥିଲେ। ନିଜ ନିଜ ପୁସ୍ତକ ସମ୍ପର୍କରେ ସୁଜାତା ମହାପାତ୍ର ଓ ରାଜେନ୍ଦ୍ର ରାଉଳ ସେମାନଙ୍କ ଉପଲବ୍ଧି ବର୍ଣ୍ଣନା କରିଥିଲେ। ଶେଷରେ ଶକୁନ୍ତଳା ମିର୍ଦ୍ଧା ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ସଂଧ୍ୟାକାଳିନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀଲଙ୍କାର ଲୋକନୃତ୍ଯ, ଦାନବରୁଘାଟିର ନୃତ୍ୟଶିଳ୍ପୀଙ୍କ ଦ୍ବାରା ମୁଣ୍ଡାରୀ, ସନ୍ଦାନି, ରଙ୍ଗନା କଳାନିକେତନ ଦ୍ବାରା ନେପାଳୀ ନୃତ୍ଯ ଓ ବଙ୍ଗଳାଦେଶର ଲୋକନୃତ୍ଯ ତଥା ଫକୀରମୋହନ ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ବିହୁ ନୃତ୍ଯ ପରିବେଷଣ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.