ମୋ ଜଙ୍ଗଲ ଜମି ଯୋଜନା ସମ୍ବନ୍ଧୀୟ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭାଗୃହରେ “ମୋ ଜଙ୍ଗଲ ଜମି ଯୋଜନା” ସମ୍ବନ୍ଧୀୟ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜଙ୍ଗଲ ଅଧିକାର ଆଇନ ୨୦୦୬ ଅଧିନରେ ସମୟ ବଦ୍ଧ ଭାବରେ ଲୋକଙ୍କ ଦାବୀ ପ୍ରକ୍ରିୟା ସାରିବା ପାଇଁ ଓଡିଶା ସରକାର ଆରମ୍ଭ କରିଥିବା “ମୋ ଜଙ୍ଗଲ ଜମି ଯୋଜନା”ର କାର୍ଯ୍ୟାନ୍ବୟନ ପ୍ରକ୍ରିୟା ସମ୍ବନ୍ଧରେ ଗୋଷ୍ଠୀ ସ୍ତରର ସ୍ବେଚ୍ଛାସେବୀ ମାନଙ୍କୁ ଦିନିକିଆ ତାଲିମ ପ୍ରଦାନ କରାଯାଇଛି।ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଏହି ଶିବରରେ ସ୍ଥାନୀୟ ତହସିଲଦାର କବିରାଜ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଠିତ ଏହି ତାଲିମ ଶିବରରେ ବ୍ଲକର ବିଭିନ୍ନ ଗ୍ରାମରୁ ପ୍ରାୟ ୪୦ ଜଣ ସ୍ବେଚ୍ଛାସେବୀ ୬ ଜଣ ରାଜସ୍ବ ନିରୀକ୍ଷକ ଯୋଗଦେଇ ଦାବୀ ଦାଖଲ ପ୍ରକ୍ରିୟା ଉପରେ ତାଲିମ ଗ୍ରହଣ କରିଥିଲେ।ସମ୍ମାନିତ ଅତିଥି ଭାବେ ଥୁଆମୂଳ ରାମପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲିଙ୍କ ଉପସ୍ଥିତିରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପରିଚାଳନା କରିଥିଲେ।ତାଲିମର ସମ୍ବଳ ଅନୁଷ୍ଠାନ ଭାବେ “ପ୍ରଦାନ” ଏବଂ “ଅନ୍ତୋଦୟ” ପକ୍ଷରୁ ତାଲିମ ଦାତା ମାନେ ଯୋଗଦେଇ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଆସନ୍ତା ୩୧ ମାର୍ଚ୍ଚ ୨୦୨୪ ମଧ୍ୟରେ ବିଭିନ୍ନ ଗ୍ରାମର ଦାବୀ ପୂରଣ କରି ଲୋକଙ୍କୁ ଜଙ୍ଗଲ ଜମିର ଅଧିକାର ଦେବା ତାଲିମର ମୁଖ୍ୟ ଉଦ୍ଦେଶ୍ୟ ରହିଛି।କିନ୍ତୁ ୨୦୧୫ ମସିହାରୁ ଦାଖଲ କରାଯାଇ ଶହଶହ ସଂଖ୍ୟାର ଦାବୀପତ୍ର ସରକାରୀ ଅଧିକାରୀଙ୍କ ପାଖରେ ପଡିରହିଥିବା ଯୋଗୁଁ ଏହି ଯୋଜନାର ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଙ୍ଗଲ ଗ୍ରାମ ଗୁଡିକୁ ରାଜସ୍ବ ଗ୍ରାମରେ ପରିଣତ କରିବାରେ ହେଉଥିବା ବିଳମ୍ବ ବିଡମ୍ବନାର ବିଷୟ।ଏହି ଗ୍ରାମ ଗୁଡିକ ରାଜସ୍ବ ଗ୍ରାମର ମାନ୍ୟତା ପାଇଲେ ବିକାଶର ନୂତନ ସୂର୍ଯ୍ୟାଲୋକ ପାଇପାରିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.