୫ଟି ରାଜ୍ୟ ନିର୍ବାଚନର ବାର୍ତ୍ତା – ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ଦଳମାନଙ୍କର ଏକତା ହିଁ ଫାସିବାଦୀ ଶକ୍ତିଙ୍କୁ ପରାସ୍ତ କରିପାରିବ
ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ବରଠାରେ ଦୁଇଦିନ ଧରି ପାର୍ଟିର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥି ପୁର୍ବରୁ, ୧୫ ତାରିଖରେ ପାର୍ଟିର ସମ୍ପାଦକମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଥିଲା । ସିପିଆଇ ସାଧାରଣ ସମ୍ପାଦକ କମ୍ରେଡ଼ ଡି ରାଜା ବର୍ତ୍ତମାନର ରାଜନୈତିକ ଓ ଅର୍ଥନୈତିକ ପରିସ୍ଥିତି ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରିବା ସହିତ ସଂପ୍ରତି ଅନୁଷ୍ଠିତ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ସମୀକ୍ଷା କରିଥିଲେ । ଏହି ନିର୍ବାଚନର ଫଳାଫଳ ସ୍ପଷ୍ଟ ବାର୍ତ୍ତା ଦେଉଛିଯ, ଜନବିରୋଧୀ କର୍ପୋରେଟ୍ ପକ୍ଷପାତି ସାମ୍ପ୍ରଦାୟିକ ବିଜେପି ସରକାରକୁ ପରାସ୍ତ କରିବା ପାଇଁ ସମସ୍ତ ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ଓ ଦେଶପ୍ରେମୀ ଶକ୍ତିଙ୍କୁ ଐକ୍ୟବଦ୍ଧ ହୋଇ ଲଢ଼ିବାକୁ ପଡ଼ିବ । ଏହି ପରିପ୍ରେକ୍ଷୀରେ ତେଲେଙ୍ଗାନାରେ କଂଗ୍ରେସ ଓ ସିପିଆଇର ମିଳିତ ବୁଝାମଣାର ସଫଳତା ବେଶ୍ ଉତ୍ସାହପ୍ରଦ । ସିପିଆଇ ତେଲେଙ୍ଗାନା ରାଜ୍ୟ ଶାଖା ଏବଂ ରାଜ୍ୟର ଜନସାଧାରଣଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛି ।
ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ନିର୍ଦ୍ଧାରଣ ହୋଇଛି ଯେ, ୨୦୨୪ ସଂସଦୀୟ ନିର୍ବାଚନ ପାଖେଇ ଆସୁଥିବାବେଳେ ବିଜେପି ନେତୃତ୍ବର ଅହଙ୍କାର ଓ ଔଦ୍ଧତ୍ୟ ଏବଂ ସେମାନଙ୍କର ସାମ୍ପ୍ରଦାୟିକ ଧୃବୀକରଣ ଉଦ୍ୟମ ଅଧିକ ବୃଦ୍ଧି ପାଉଛି । ସିପିଆଇ ‘ଇଣ୍ଡିଆ’ ମେଣ୍ଟର ଏକ ଅଂଶୀଦାର ଦଳଭାବରେ ଏହି ଜନବିରୋଧୀ ଫାସିଷ୍ଟ ଶକ୍ତିଙ୍କୁ ପରାଜିତ କରି ଧର୍ମନିରପେକ୍ଷ ଗଣତାନ୍ତ୍ରିକ ଶକ୍ତିମାନଙ୍କର ବିଜୟକୁ ସୁନିଶ୍ଚିତ କରିବା ପାଇଁ ଦେଶର ସମସ୍ତ ବାମପନ୍ଥୀ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଦଳମାନଙ୍କ ମଧ୍ୟରେ ଏକତାକୁ ଦୃଢ଼ କରିବା ପାଇଁ ସଂକଳ୍ପବଦ୍ଧ ।
ଜାତୀୟ କାର୍ଯ୍ୟକାରିଣୀରେ ଜାତୀୟ ପରିସ୍ଥିତି ସମ୍ପର୍କରେ ଆଲୋଚନା କରାଯିବା ସହିତ ପାର୍ଟି ପକ୍ଷରୁ ଘୋଷଣା କରାଯାଇଛିଯେ, ଆଗାମୀ ୨୦୨୪ ସଂସଦୀୟ ନିର୍ବାଚନରେ ‘ଇଣ୍ଡିଆ’ ମେଣ୍ଟକୁ ଏକ ବିକଳ୍ପ ଶକ୍ତି ଭାବରେ ଶକ୍ତିଶାଳୀ କରି ବିଜେପିକୁ ପରାଜିତ କରିବା ପାଇଁ, ସିପିଆଇ ସମସ୍ତ ଉଦ୍ୟମ କରିବ। ସଂସଦରେ ଦଳର ପ୍ରତିନିଧୁତ୍ଵକୁ ବୃଦ୍ଧି କରିବା ପାଇଁ ସିପିଆଇ ପକ୍ଷରୁ ସମଗ୍ର ଦେଶରେ ଯୁକ୍ତିଯୁକ୍ତ ସଂଖ୍ୟକ ଆସନରେ ପ୍ରାର୍ଥୀ ଠିଆ କରାଯିବ । କହିବା ବାହୁଲ୍ୟଯେ, ଶ୍ରମିକ ଶ୍ରେଣୀ ଓ ଶ୍ରମଜୀବି ଜନତାର ସ୍ଵାର୍ଥର ସୁରକ୍ଷା ପାଇଁ ଏବଂ ଗଣତନ୍ତ୍ର ଓ ଧର୍ମନିରପେକ୍ଷତାର ପ୍ରତିରକ୍ଷା ଲାଗି ସିପିଆଇର ସଫଳତା ଅତ୍ୟନ୍ତ ଜରୁରି ହୋଇଛି ।
ପାର୍ଟି ପକ୍ଷରୁ ମତ ପ୍ରକାଶ ପାଇଛି ଯେ, ଧାରା ୩୭୦ ସମ୍ପର୍କରେ ସୁପ୍ରିମ୍ କୋର୍ଟର ରାୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏହା ଜନସାଧାରଣଙ୍କ ଆଶା-ଆକାଂକ୍ଷା ଏବଂ ସଂଘୀୟ ଢ଼ାଞ୍ଚାର ମୌଳିକ ନୀତିକୁ ଉପେକ୍ଷା କରୁଥିବା କେନ୍ଦ୍ର ସରକାରଙ୍କ ସଂଘୀୟ ବିଧୂ-ବିଧାନ ବିରୋଧୀ ଚରିତ୍ରକୁ ଦୃଢ଼ୀଭୂତ କରୁଛି ।ପାର୍ଟି ପକ୍ଷରୁ କୃଷକ ଏବଂ ଶ୍ରମିକଙ୍କ ସଂଗ୍ରାମ ପ୍ରତି ଦୃଢ଼ ସଂହତି ପ୍ରକାଶ କରାଯାଇଛି ଏବଂ ଆନ୍ଦୋଳନରତ ଅଙ୍ଗନଓ୍ୱାଡ଼ୀ, ଆଶା, ପାଚିକାଙ୍କ ଭଳି କର୍ମଚାରୀମାନଙ୍କ ସମାସ୍ୟାର ସମାଧାନ ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ସିପିଆଇ ଅହ୍ବାନ କରୁଛି । ଏହା ସହିତ ଦୀର୍ଘଦିନ ଧରି ଚାଲିଥିବା ଗ୍ରାମୀଣ ଡ଼ାକ ସେବକଙ୍କ ଧର୍ମଘଟ ପ୍ରତି ପାର୍ଟିର ଦୃଢ଼ ସମର୍ଥନ ଘୋଷଣା କରାଯାଇଛି ଏବଂ କେନ୍ଦ୍ର ସରକାର ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଦାବି ଜଣାଇଛି ।
ସିପିଆଇ ଜାତୀୟ କାର୍ଯ୍ୟକାରିଣୀ ପାର୍ଲାମେଣ୍ଟର ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତୃଟି ସମ୍ପର୍କରେ ଘୋର ଉଦ୍ବେଗ ପ୍ରକାଶ କରିଛି । ସଂସଦ ଭିତରେ ପ୍ରବେଶ କରିଥିବା ଲୋକଙ୍କ ସହିତ କଂଗ୍ରେସ ଏବଂ ବାମପନ୍ଥୀମାନଙ୍କୁ ଭିଡ଼ିଟାଣି ସମ୍ପର୍କ ଯୋଡ଼ିବାର ବିଜେପିର ଉଦ୍ୟମକୁ ପାର୍ଟି ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ଏଭଳି ଘଟଣା ବର୍ଦ୍ଧିଷ୍ଣୁ ବେରୋଜଗାରୀ ସମସ୍ୟାର ପ୍ରତିଫଳନ ଯାହାକି ମୋଦି ସରକାର ମାନିବାକୁ ପ୍ରତ୍ୟାଖାନ କରୁଛି ।ଆନ୍ତର୍ଜାତୀୟ ପରିସ୍ଥିତି ସମ୍ପର୍କରେ ଜାତୀୟ କାର୍ଯ୍ୟକାରିଣୀରେ ଆଲୋଚନା ହେବା ସଙ୍ଗେ ସଙ୍ଗେ ବହୁଦେଶରେ ସମ୍ପ୍ରତି ଦେଖାଦେଇଥିବା ବର୍ଦ୍ଧିଷ୍ଣୁ ଧୃବୀକରଣ ଏବଂ ଦକ୍ଷିଣପନ୍ଥୀ ଦିଗକୁ ଢ଼ଳିବା ଜନସାଧାରଣଙ୍କ ପାଇଁ ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପାର୍ଟି ପକ୍ଷରୁ କୁହାଯାଇଛି ।
ପାଲେଷ୍ଟାଇନ୍ ଏବଂ ଇସ୍ରାଇଲ୍ ଲଢ଼େଇ ପ୍ରସଙ୍ଗରେ ଭାରତର ସାମ୍ପ୍ରତିକ ଭୂମିକା ଏହାର ଐତିହାସିକ ଅବସ୍ଥାନର ଅନୁରୂପ ନୁହେଁ, କିନ୍ତୁ ଆନ୍ତର୍ଜାତିକ ସ୍ତରରେ ଇସ୍ରାଇଲ୍ ଏକଘରକିଆ ହୋଇଯାଇଥିବା ଅବସରରେ ଭାରତ ତାହାର ଭୂମିକାର ପରିବର୍ତ୍ତନ ଲାଗି ଉଦ୍ୟମ କରିବା, ତୁରନ୍ତ ଯୁଦ୍ଧ ବିରାମ ପାଇଁ ଜାତିସଂଘର ପ୍ରସ୍ତାବକୁ କରିଥିବା ସମର୍ଥନରେ ପ୍ରତିଫଳିତ ହୋଇଛି ବୋଲି ପାର୍ଟି ପକ୍ଷରୁ କୁହାଯାଇଛି । ନେପାଳ, ଶ୍ରୀଲଙ୍କା, ମାଳଦ୍ଵୀପ ଏବଂ ବଙ୍ଗଳାଦେଶ ପ୍ରଭୃତି ପଡ଼ୋଶୀ ଦେଶମାନଙ୍କରେ ଦେଖାଦେଇଥିବା ବର୍ଦ୍ଧିଷ୍ଣୁ ଭାରତ ବିରୋଧୀ ମନୋଭାବ ସାଙ୍ଗକୁ ମ୍ୟାନ୍ମାରରେ ପରିବର୍ତ୍ତିତ ଅବସ୍ଥା ଫଳରେ ଉତ୍ତର-ପୂର୍ବାଞ୍ଚଳ ପ୍ରତି ମାଡ଼ିଆସିଥିବା ବିପଦ ସମ୍ପର୍କରେ ସିପିଆଇ ଉଦ୍ବେଗ ପ୍ରକାଶ କରିଛି । ଓଡ଼ିଶାର ବିଜୁ ଜନତା ଦଳ ଓ ବିଜେପି ମଧ୍ୟରେ ଏକ ଅଲିଖୁତ ବୁଝାମଣା ଥିବା ଭଳି ପ୍ରତୀୟମାନ ହେଉଛି ଏବଂ ଏହାର ଫଳସ୍ଵରୂପ କେନ୍ଦ୍ରରେ ବିଜେପି ସରକାରର ସମସ୍ତ ଜନବିରୋଧୀ ନୀତିକୁ ବିଜେଡ଼ି ସମର୍ଥନ କରିବା ସହିତ ଓଡ଼ିଶାରେ ସାମ୍ପ୍ରଦାୟିକ ଶକ୍ତିର ପ୍ରସାରରେ ସହାୟକ ହେଉଛି । ଓଡ଼ିଶାରେ ଏହି ଶକ୍ତିମାନଙ୍କୁ ପରାସ୍ତ କରିବା ପାଇଁ ସିପିଆଇ ସମସ୍ତ ପ୍ରକାର ଉଦ୍ୟମ କରିବ ।





