ଭଦ୍ରା ପଞ୍ଚାୟତରେ ପିଡିଏସ ଚାଉଳ ଆତ୍ମସାତ ଘଟଣା: ପିଇଓଙ୍କୁ କୋର୍ଟ ଚାଲାଣ, ଯୋଗାଣ ସହାୟକ ଫେରାର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଭଦ୍ରା ପଞ୍ଚାୟତର ପିଡିଏସ ଚାଉଳ ଆତ୍ମସାତ ଘଟଣାରେ ପ୍ରଶାସନ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭଦ୍ରା ପଞ୍ଚାୟତର ତତ୍କାଳୀନ କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରିୟ ସାହୁ (୪୮) ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଗତ ଅକ୍ଟୋବର, ନଭେମ୍ୱର, ଡିସେମ୍ବର ମାସରେ ଭଦ୍ରା ପଞ୍ଚାୟତକୁ ଆସିଥିବା ପିଡ଼ିଏସ ଚାଉଳ ହଡପ ହୋଇଥିବା ନେଇ ଗତ ୪ ତାରିଖ ଦିନ ସଇଁତଲା ବିଡ଼ିଓଙ୍କ ଠାରେ ହିତାଧିକାରୀମାନେ ଅଭିଯୋଗ କରିଥିଲେ। ଏ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ଓ ଯୋଗାଣ ବିଭାଗର ମିଳିତ ଭାବେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ବେଳେ ୯୭ କ୍ଵିଣ୍ଟାଲ ଚାଉଳ ଆତ୍ମସାତ ହୋଇଥିବା ଜଣାପଡିଥିଲା। ଏ ନେଇ ସଇଁତଲା ବିଡିଓ ବିନୟ କୁମାର ଭୋଇଙ୍କ ନିର୍ଦ୍ଧେଶ କ୍ରମେ ଯୋଗାଣ ଅଧିକାରୀ ପଦ୍ମଲୋଚନ ମାଝୀ ସଇଁତଲା ଥାନାକୁ ପହଂଚି ତତକାଳୀନ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ) ସତ୍ୟପ୍ରିୟ ସାହୁ ଓ ଯୋଗାଣ ସହାୟକ ସତ୍ୟ ଛତ୍ରୀୟାଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଥାନା କେସ ନଂ ୩୭୨/୨୩ ଏକ ମାମଲା ରୁଜୁ କରି ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱବଧାନରେ ଥାନା ସେକେଣ୍ଡ ଅଫିସର ଆଲୋକ ପ୍ରସାଦ ଭୋଇ ତଦନ୍ତ ଆରମ୍ଭ କରି ଭଦ୍ରା କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରିୟ ସାହୁଙ୍କୁ ନିଜ ଘର ତୁଷୁରା ଥାନା ଅନ୍ତର୍ଗତ ଆଟଗାଁରୁ ଗିରଫ କରି ସଇଁତଲା ଥାନାରେ ପଚରା ଉଚରା ପରେ ରବିବାର ରାତି ପ୍ରାୟ ୧୧ ଟା ସମୟରେ ସଇଁତଲା କୋର୍ଟକୁ ଚାଲାଣ କରାଯାଇଥିଲା। ଏଥିରେ ଜାମିନ ନା ମଞ୍ଜୁର ହେବାରୁ ଟିଟିଲାଗଡ଼ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଯାଇଛି। ଅନ୍ୟପକ୍ଷରେ ଯୋଗାଣ ସହାୟକ ସତ୍ୟ ଛତ୍ରିୟା (୩୮) ମଧ୍ୟ ଫେରାର ଥିବାରୁ ତାକୁ ପୋଲିସ ଖୋଜୁଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.