କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କ ସଂଗୀତରେ ଝୁମିଲେ ଦର୍ଶକ
ଆକର୍ଷଣ କରିଥିଲା ମାଲକାନଗିରି କଳାକାରଙ୍କ ମାର୍ଶାଲ ଆର୍ଟ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଚଇତି ମଞ୍ଚରେ କଳାକାରଙ୍କ ଦମଦାର କଳା ପରିବେଷଣରେ ଦୁଲୁକୁଛି ରାୟଗଡା | ଗୁରୁବାର ଚଇତି ମହୋତ୍ସବର ତୃତୀୟ ସନ୍ଧ୍ୟାର ସାଂସ୍କୃତିକ ଉତ୍ସବ କାର୍ଯ୍ୟକ୍ରମ ମଧ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା | ସନ୍ଧ୍ୟାରେ ମଞ୍ଚ ଉପରେ ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ଓ ଚତୁର୍ଦ୍ଧାମୂର୍ତ୍ତିଙ୍କ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ |
ଜିଲ୍ଲାପାଳ ଶ୍ରୀମତୀ ସ୍ଵଧାଦେବ ସିଂଙ୍କ ପୌରାହିତ୍ୟରେ ଆୟୋଜିତ ଚଇତି ମହୋତ୍ସବର ତୃତୀୟ ସନ୍ଧ୍ୟା ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ବସନ୍ତ କୁମାର ପ୍ରଧାନ ସଂଯୋଜନା କରିଥିଲେ | ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ସଂସ୍କୃତି ସଙ୍ଘର ଲୋକ ନୃତ୍ୟରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା |
ଆଦିବାସୀ କଲ୍ୟାଣ ଓ ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଠ ଅତିଥି ଭାବେ କୋରାପୁଟ ଲୋକ ସଭା ସାଂସଦ ସପ୍ତଗିରି ଉଲାକା ଯୋଗ ଦେଇଥିଲେ | ସମ୍ମାନିତ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର କୁମାର ଦାସ, ଓବିସି ଉପଦେଷ୍ଠା ପୃଥ୍ୱୀରାଜ ସାହୁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଜୟ କୁମାର ଗମାଙ୍ଗ, କୋଲନରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା କୁଲେସିକା, ଗୁଣୁପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଝିଲି ଶବର, ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷା କଇନା କିମ୍ଵାକା, କଲ୍ୟାଣସିଙ୍ଗପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅମ୍ରିତା କାଡ୍ରକା, ଗୁଣୁପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଗଉଡ ଗୁଡାରି ବେଳେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ |
ମହାରାଷ୍ଟ୍ରର ଲବାଣୀ ନୃତ୍ୟ,କଳାହାଣ୍ଡିର ପ୍ରତିଭା ଅନୁଷ୍ଠାନର ସିଙ୍ଗାରି ନୃତ୍ୟ,ମାଲକାନଗିରି ଜିଲ୍ଲା ସଂସ୍କୃତି ଦଳର କଳାକାର ମାନଙ୍କ ମାର୍ସଲ ଆର୍ଟ ପରିବେଷଣ ଦର୍ଶକଙ୍କୁ ବିଭୋର କରିପାରିଥିଲା | ସେହିପରି କୋରାପୁଟ ଜିଲ୍ଲା ସାଂସ୍କୃତିକ ଦଳର ଢେମସା ନୃତ୍ୟ, ରାୟଗଡା ଜିଲ୍ଲାର ମୁନିଗୁଡା ଓ ବିଷମକଟକ ବ୍ଲକ କଳା ସଂସ୍କୃତି ସଙ୍ଘର ଲୋକ ନୃତ୍ୟ, ଦେବଗିରି କଳା ପରିଷଦର ଲୋକ ନୃତ୍ୟ, ସୁନୀଲ ଖରା ନୃତ୍ୟ ଗ୍ରୁପର ଢେମସା ନୃତ୍ୟ, ଝଞ୍ଜାବତୀ କଳା ପରିଷଦ ରାୟଗଡାର ଆଦିବାସୀ ଢେମସା, ମନଦୀପ ମହିଳା ସଂସ୍ଥାନ ରାୟଗଡା କଳାକାରଙ୍କ ଦ୍ୱାରା ମହାରାଷ୍ଟ୍ରର ଲୋକ ନୃତ୍ୟ,
ଗୀତା ପରିବାର ରାୟଗଡାର ହରିନାମ ନୃତ୍ୟ, ଲିଟିଲ ଗ୍ରୁପ ଅମ୍ବାଗୁଡାର ଢେମସା ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ରହିଥିଲେ କଣ୍ଠଶିଳ୍ପୀ ଆନ୍ତରା ଚକ୍ରବର୍ତ୍ତୀ | ତାଙ୍କର ସଂଗୀତ ପରିବେଷଣରେ ଉପସ୍ଥିତ ଦର୍ଶକ ଓ ଶ୍ରୋତାମାନେ ନାଚି ଉଠିଥିଲେ | ତୃତୀୟ ସନ୍ଧ୍ୟାରେ ମଞ୍ଚ ମଣ୍ଡିତ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିମାନେ ଚଇତି ମହୋତ୍ସବ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ |