ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): କେ ଏନ ପୁର ପଞ୍ଚାୟତ ଅନ୍ତର୍ଗତ ବାଲିଆ ଗ୍ରାମର କୃଷ୍ଣ ଚନ୍ଦ୍ର ବେହେରା (୪୫) ସବୁଦିନ ପରି ମାଇନିଙ୍ଗ ଇରିଗେଶନ ବିଭାଗ ଅଧିନର ପିଲାଖାଇ ବନ୍ଧ ପୋଖରୀରୁ ଜାଲ ସାହାଯ୍ୟରେ ମାଛ ଧରିବାକୁ ଯାଇ ପାଣିରେ ବୁଡି ପ୍ରାଣ ତ୍ୟାଗ କରିଥିବା ଜଣାପଡିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ କୃଷ୍ଣ ଘରେ ନପହଂଚି ବାରୁ ଘର ଲୋକ ବ୍ୟସ୍ତ ହୋଇ ଚାରିଆଡେ ଖୋଜା ଖୋଜି କରି ପୋଖରୀ ପାଖକୁ ଯାଇ ହୁଡାରେ ସାଇକେଲ ଥିବା ଓ ଜାଲ ପଡି ଥିବାର ଦେଖିଥିଲେ। ସେମାନେ ପୋଖରୀ ଭିତରକୁ ଲାଇଟ ପକାଇ ଦେଖିଲା ବେଳକୁ କୃଷ୍ଣ ପୋଖରୀ ଭାସୁଥିବାର ଦେଖିବାକୁ ମିଳିଥିଲା। ସଙ୍ଗେ ସଙ୍ଗେ ପୁରୁଷୋତ୍ତମପୁର ଦମକଳ ବାହିନୀକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଫାୟାର ବିଭାଗ ପହଞ୍ଚି ଶବକୁ ଉଦ୍ଧାର କରି ପୁରୁଷୋତ୍ତମପୁର ମେଡିକାଲକୁ ନେଇଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ତେବେ ଆଜି ଶବ ବ୍ୟବ ଛେଦ ହେଲା ପରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବକୁ ଘର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। କୃଷ୍ଣଙ୍କ ବୃଦ୍ଧ ବାପା ମାଆ ଥିଲାବେଳେ ବାପା ପାରାଲେସିସରେ ଆକ୍ରାନ୍ତ। ନିଜର ଗୋଟିଏ ପୁଅ ଓ ଗୋଟିଏ ଝିଅ, ଝିଅଟିକୁ କିଛି ଦିନ ତଳେ ବିବାହ କରାଇ ରୁଣ କରଜରେ ବୁଡି ମାଛ ମାରି ଘର ଚଳାଇ କିଛି ରୁଣ ପରିଶୋଧ କରୁଥିଲା ବେଳେ ତାଙ୍କର ଅକାଳ ମୃତ୍ୟୁରେ ପରିବାର ଭାଙ୍ଗି ଯାଇଛନ୍ତି। ଏହି ପରିବାରକୁ କିଛି ସରକାରୀ ସାହାଯ୍ୟ ମିଳିଲେ ଭଲ ହୁଅନ୍ତା ବୋଲି ସରପଞ୍ଚ ରାଜଲକ୍ଷ୍ମୀ ବେହେରା, ସମିତି ସଭ୍ୟା ଶାରଳା ବେହେରା ଓ ଗ୍ରାମର ସମାଜସେବୀ ଏନ ରାମଚନ୍ଦ୍ର ରେଡି ଓ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.