୧୦ ଦିନିଆ ଏମବିଏ ପାଠ୍ୟକ୍ରମ ବୋଲି କିଛି ନାହିଁ କହି ଛାତ୍ରଛାତ୍ରୀଙ୍କୁ ସତର୍କ କରାଇଲା ଏଆଇସିଟିଇ


ନୂଆଦିଲ୍ଲୀ: ଦେଶର ବିଭିନ୍ନ କେନ୍ଦ୍ରରେ ନକଲି ଏମବିଏ ପାଠ୍ୟକ୍ରମ ଦିଆଯାଉଥିବା ନେଇ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଛାତ୍ରଛାତ୍ରୀଙ୍କୁ ଚେତାବନୀ ଦେଇଛି। ଏଆଇସିଟିଇର ଉପଯୁକ୍ତ ଅନୁମୋଦନ ବିନା ୧୦ ଦିନିଆ ଏମବିଏ ପାଠ୍ୟକ୍ରମକୁ ପ୍ରୋତ୍ସାହନ ଦେଉଥିବା କିଛି ସଂସ୍ଥା ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ଠାରୁ ସାବଧାନ ରହିବାକୁ ପରିଷଦ ଛାତ୍ରଛାତ୍ରୀମାନଙ୍କୁ ସତର୍କ କରାଇଦେଇଛି।

ଏଆଇସିଟିଇ ସ୍ପଷ୍ଟ କରିଛି ଯେ ଏମବିଏ ଭଳି ସ୍ନାତକୋତ୍ତର ଡିଗ୍ରୀ ପାଠ୍ୟକ୍ରମ ୧୦ ଦିନରେ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ। କାରଣ ଏହା ଏକ ଦୁଇ ବର୍ଷର କାର୍ଯ୍ୟକ୍ରମ। ଯାହା ଏତେ କମ୍ ଦିନରେ ଶେଷ ହୋଇପାରିବ ନାହିଁ।

ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ, କୌଣସି ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟ ଏଆଇସିଟିଇର ଅନୁମୋଦନ ବିନା ସ୍ନାତକୋତ୍ତର ଡିଗ୍ରୀ ପାଇଁ ଏମବିଏ ପାଠ୍ୟକ୍ରମ ସମେତ ବୈଷୟିକ ପାଠ୍ୟକ୍ରମ ପ୍ରଦାନ କରିପାରିବେ ନାହିଁ ବୋଲି ପରିଷଦ ଗୁରୁତ୍ୱାରୋପ କରିଛି।

ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ ଏହି ୧୦ ଦିନିଆ ଏମବିଏ କ୍ରାସ୍ ପାଠ୍ୟକ୍ରମ ବିଭ୍ରାନ୍ତିକର। ଏଆଇସିଟିଇ ଛାତ୍ରଛାତ୍ରୀ ଓ ଅଂଶୀଦାରମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଏବଂ ଏଭଳି ଜାଲିଆତି ଅଫରର ଶିକାର ନ ହେବାକୁ ପରାମର୍ଶ ଦେଇଛି। ନାମ ଲେଖାଇବା ପୂର୍ବରୁ ଯେକୌଣସି ଏମବିଏ ପ୍ରୋଗ୍ରାମର ସତ୍ୟତା ଏବଂ ବୈଧତା ଯାଞ୍ଚ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରାଯାଇଥିଲା।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.