ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆଜି ୩୧ ଡିସେମ୍ବର ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଳିତ ବର୍ଷର ଶେଷ ‘ମନ୍ କି ବାତ୍’ । ଦେଶବାସୀଙ୍କୁ ୨୦୨୪ ନବ ବର୍ଷର ଶୁଭେଚ୍ଛା ଜଣାଇବା ସହ ନୂଆବର୍ଷରେ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ସହ ସଫଳତା କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ପିଏମ ମୋଦି କହିଛନ୍ତି ଯେ, ମୋ ପରିବାରର ଲୋକଙ୍କୁ ଭେଟିବା ପରେ ମୁଁ ଯେପରି ଅନୁଭବ କରେ, ଏହି ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କ ସହ କଥା ହେବା ପରେ ମୁଁ ସମାନ ଅନୁଭବ କରୁଛି । ମୋଦି କହିଛନ୍ତି ଯେ, ଚଳିତ ବର୍ଷ ଆମ ଦେଶ ଅନେକ ବିଶେଷ ଉପଲବ୍ଧି ହାସଲ କରିଛି । ଏହା ହେଉଛି ୧୪୦ କୋଟି ଭାରତୀୟଙ୍କ ଶକ୍ତି । ଅନେକ ବର୍ଷର ପ୍ରତୀକ୍ଷା ପରେ ଏ ବର୍ଷ ନାରୀ ଶକ୍ତି ବନ୍ଦନ ଅଧିନିୟମ (ଆଇନ୍) ଗୃହୀତ ହୋଇଛି । ଭାରତ ପଞ୍ଚମ ସର୍ବବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ ହୋଇପାରିଥିବାରୁ ଅନେକ ଲୋକ ନିଜ ପତ୍ର ମାଧ୍ୟମରେ ଖୁସି ପ୍ରକାଶ କରିଛନ୍ତି । ଅନେକ ଲୋକ ମୋତେ ଜି-୨୦ ସମ୍ମିଳନୀର ସଫଳତା କଥା ମନେପକାଇଛନ୍ତି । ଆଜି ଭାରତର କୋଣ ଅନୁକୋଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ, ବିକଶିତ ଭାରତର ଭାବନାରେ ଏବଂ ଆତ୍ମନିର୍ଭରତାର ଭାବନାରେ ଭରପୂର । ୨୦୨୪ରେ ମଧ୍ୟ ଏହି ଭାବନା ଓ ଗତିଶୀଳତାକୁ ଆମକୁ ବଜାୟ ରଖିବାକୁ ହେବ । ଦିପାବଳୀରେ ହୋଇଥିବା ରେକର୍ଡ଼ ବ୍ୟବସାୟ ଏହା ପ୍ରମାଣିତ କରିଦେଇଛି ଯେ, ପ୍ରତ୍ୟେକ ଭାରତୀୟ ଭୋକାଲ୍ ଫର୍ ଲୋକାଲ୍ ମନ୍ତ୍ରକୁ ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି ମୋଦି ।ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆଜି ଆମର ମିଳିତ ଯାତ୍ରାର ୧୦୮ ତମ ପର୍ଯ୍ୟାୟ । ସଂଖ୍ୟା ୧୦୮ର ମହତ୍ତ୍ୱ ଏବଂ ଏହାର ପବିତ୍ରତା ଏଠାରେ ଗଭୀର ଅଧ୍ୟୟନର ବିଷୟ । ୧୦୮ଥର ଜପ, ୧୦୮ ଇଶ୍ୱରୀୟ କ୍ଷେତ୍ର, ମନ୍ଦିରରେ ୧୦୮ ସିଡ଼ି, ୧୦୮ ଘଣ୍ଟି … ଏହି ସଂଖ୍ୟା ଅର୍ଥାତ୍ ୧୦୮ଅସୀମ ବିଶ୍ୱାସ ସହିତ ଜଡିତ । ସେଥିପାଇଁ ମନ କି ବାତର ୧୦୮ ତମ ସଂସ୍କରଣ ମୋ ପାଇଁ ଅଧିକ ସ୍ୱତନ୍ତ୍ର ହୋଇପାରିଛି । ଏହି ୧୦୮ଟି ଏପିସୋଡରେ ଆମେ ଜନସାଧାରଣଙ୍କ ଅଂଶଗ୍ରହଣର ଅନେକ ଉଦାହରଣ ଆଜି ନେଇ ଆସିଛୁ ।





