ପ୍ରବଳ ଉତ୍ସାହ ଉଦ୍ଦୀପନା ଏବଂ ନୂତନ ଆଶାର ଆଲୋକରେ ଉଦ୍ଭାସିତ ହେବାପାଇଁ ନୂତନ ବର୍ଷ ୨୦୨୪କୁ ସ୍ବାଗତ କରିଛି ସାରା ବିଶ୍ବ। ଏମିତି ବର୍ଷ ପରେ ପର୍ବ ଗଡ଼ି ଚାଲିଛି। ପୂରାତନ ବର୍ଷକୁ ବିଦାୟ ଦେଇ ନୂତନ ବର୍ଷକୁ ସ୍ବାଗତ କରାଯାଉଛି। ବିଗତ ବର୍ଷର ସ୍ମୃତି ବିଜଡ଼ିତ ଅତୀତକୁ ନୂତନ ବର୍ଷ ପ୍ରାରମ୍ଭରେ ରୋମନ୍ଥନ କରାଯାଉଛି।
ସମୟର ତାଳ ସହ ପାଦ ମିଳାଇ ଚାଲିବାକୁ ଚେଷ୍ଟା କରୁଛି ମଣିଷ। ପୁରାତନ ବର୍ଷରେ ହୋଇଥିବା ଭୁଲକୁ ନୂତନ ବର୍ଷରେ ସୁଧାରିବାକୁ ଚେଷ୍ଟା କରାଯାଉଛି। ଏମିତି ବିତିଚାଲିଛି ସମୟ। ଭଲମନ୍ଦ, ସୁଖଦୁଃଖ, ହାନିଲାଭର ହିସାବ ନିକାଶ ମଧ୍ୟରେ ସମୟ ଗଡ଼ିଚାଲିଛି ସ୍ବାଭାବିକ ଧାରାରେ। ନୂତନ ବର୍ଷର ସୂର୍ଯ୍ୟ କିରଣରେ ମାନବ ସଭ୍ୟତା କିଛି ସମୟ ପାଇଁ ନୂତନ ସଂକଳ୍ପ ନେଉଛି ସତ, ତେବେ ଧାରାବାହିକ ସମୟର ସ୍ରୋତରେ ଧୀରେ ଧୀରେ ତାହା ଭାସିଯାଉଛି।
କ୍ୟାଲେଣ୍ଡରର ପୃଷ୍ଠା ଓଲଟି ଚାଲିଛି। ଏହା ଭିତରେ ସମୟ ମଧ୍ୟ ଗତାନୁଗତିକ ଧାରାରେ ପ୍ରବାହିତ ହେଉଛି। ଏହି ସମୟ ଭିତରେ ଦେଶ ପାଇଁ, ଜାତି ପାଇଁ ଓ ବିଶ୍ବ ସମୁଦାୟ କିଛି ଭଲକାମ କରିବାର ଆହ୍ବାନ ଦେଉଛି ନବବର୍ଷ। ତେବେ ଏଥିପାଇଁ ଆମେ ସଜାଗ ରହିଲେ ଦେଶ, ଜାତି ଓ ବିଶ୍ବର ଅଶେଷ ମଙ୍ଗଳ ସାଧିତ ହୋଇପାରିବ, ଏଥିରେ ଦ୍ବିରୁକ୍ତି ନାହିଁ।
ମେ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ନୂତନ ସଂସଦ ଭବନ ଉଦ୍ଘାଟନ ଉତ୍ସବରେ ଦେଶର ୨୧ଟି ପ୍ରମୁଖ ବିରୋଧୀ ଦଳ ଯୋଗ ଦେେଲ ନାହିଁ। ସେମାନଙ୍କ ଏ ଉତ୍ସବ ବର୍ଜନ କରିବା ସାଧାରଣ ଜନତାଙ୍କ ପାଇଁ ଅସ୍ବାଭାବିକ ଜଣା ପଡ଼ିପାରେ। କ’ଣ ଆବଶ୍ୟକତା ଥିଲା ଏପରି ଏକ ମହାନ୍ ଘଟଣାକୁ ବର୍ଜନ କରିବା? କିନ୍ତୁ ବିରୋଧୀ ଦଳମାେନ ଦର୍ଶାଇଥିବା କାରଣକୁ ତର୍ଜମା କଲେ ହୃଦବୋଧ ହେବ ତାଙ୍କର ଏ ପଦକ୍ଷେପ ଅଯଥାର୍ଥ ନ ଥିଲା।
ବିରୋଧୀଙ୍କ ବର୍ଜନକୁ ରାଜନୀତୀକରଣ କୁହାଯାଇଛି। କିନ୍ତୁ ତା’ ଆଗରୁ ଏ ଉତ୍ସବର ରାଜନୀତି ଓ ହିନ୍ଦୁତ୍ବ କରଣ ହୋଇ ସାରିଥିଲା। ବିରୋଧୀ ଦଳମାନଙ୍କ ଯୁକ୍ତି ଥିଲା ସଂସଦର ଉଦ୍ଘାଟନ ପାଇଁ ରାଷ୍ଟ୍ରପତି ହିଁ ଉପଯୁକ୍ତ ବ୍ୟକ୍ତି। ରାଷ୍ଟ୍ରପତି ଆସିଥିଲେ ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ସମାବେଶରେ ଏ ଉଦ୍ଘାଟନ ହୋଇଥାନ୍ତା। କିନ୍ତୁ ମୋଦୀ ଏହା ନ କରି ରାଷ୍ଟ୍ରପତିଙ୍କ ଅବମାନନା କରିଛନ୍ତି।
ସଂବିଧାନ କ’ଣ କହୁଛି ଦେଖିବା। ଧାରା ୫୨ ଅନୁସାରେ ଦେଶରେ ଏକ ରାଷ୍ଟ୍ରପତି ରହିବେ। ଧାରା ୫୩ ଅନୁସାରେ ତାଙ୍କ ଉପରେ ସମସ୍ତ ପ୍ରଶାସନିକ କ୍ଷମତା ନ୍ୟସ୍ତ ହେବ। ସଂସଦ ଉପରେ ସଂବିଧାନର ଧାରା ୭୯ କୁହେ ଦେଶରେ ଏକ ପାର୍ଲାମେଣ୍ଟ (ସଂସଦ) ରହିବ ଯାହାର ଅଂଶ ହେଲେ ରାଷ୍ଟ୍ରପତି ଓ ୨ଟି ଗୃହ, ଲୋକସଭା ଓ ରାଜ୍ୟସଭା। ପ୍ରଧାନମନ୍ତ୍ରୀ ଏ ଧାରାରେ ସ୍ଥାନିତ ନୁହନ୍ତି। ଏହାକୁ ବିଚାର କଲେ ଜଣାପଡ଼ିବ ବିରୋଧୀ ଦଳମାନଙ୍କ ଯୁକ୍ତିରେ କିଛି ଅସଙ୍ଗତି ନ ଥିଲା।
ରାଷ୍ଟ୍ରପତି ଆସିଥିଲେ ସବୁ ବିରୋଧୀ ଦଳ ଆସିଥାନ୍ତେ ଓ ଉତ୍ସବର ଗରିମା ଓ ଗୌରବ ବୃଦ୍ଧି ପାଇଥାନ୍ତା। ବିରୋଧୀ ଦଳ ପ୍ରଧାନମନ୍ତ୍ରୀଙ୍କ ସଂସଦର ଉଦ୍ଘାଟନକୁ ମୋଦୀଙ୍କ ଗର୍ବ ଓ ଅହଂକାରର ପ୍ରତିଫଳନ ବୋଲି କହୁଛନ୍ତି। ଏହା ସତ୍ୟ ଯେ ନୂତନ ସଂସଦ କାର୍ଯ୍ୟକାରୀ ହେବା ଆଗରୁ ଦେଶର ବର୍ଦ୍ଧିଷ୍ଣୁ ବିଭାଜିତ ମନୋଭାବର ଶିକାର ହୋଇଗଲା। ଏହା ମଧ୍ୟ ରହସ୍ୟମୟ ଯେ ସରକାରୀ ଦଳ ରାଷ୍ଟ୍ରପତିଙ୍କୁ ନ ଡାକିବା ବିଷୟରେ କିଛି ସନ୍ତୋଷଜନକ ଉତ୍ତର ବା ତଥ୍ୟ ଉପସ୍ଥାପନ କରିନାହାନ୍ତି।
ଏହା କୁହାଯାଇପାରେ ଯେ ରାଷ୍ଟ୍ରପତି ଏକ ଆଳଙ୍କାରିକ ପଦ। ପ୍ରଧାନମନ୍ତ୍ରୀ ଯାହା କହିବେ, ରାଷ୍ଟ୍ରପତି ତାହା କରିବେ। ମୋଦୀଙ୍କ ପରି ବ୍ୟକ୍ତିତ୍ବ ଥାଉଁ ଥାଉଁ ରାଷ୍ଟ୍ରପତିଙ୍କୁ ଡାକିବାର ଆବଶ୍ୟକତା କ’ଣ? ଏଭଳି ଯୁକ୍ତି କେବଳ ତ୍ରୁଟିପୂର୍ଣ୍ଣ ନୁହେଁ, ରାଷ୍ଟ୍ରପତିଙ୍କ ପ୍ରତି ଅବମାନନା ମଧ୍ୟ। ତା’ ପରେ ଆସିବା ସେଙ୍ଗୋଲ ବା ରାଜଦଣ୍ଡ ପ୍ରସଙ୍ଗକୁ। ୭୫ ବର୍ଷ ପୂର୍ବେ ତାମିଲନାଡୁ ମଠର ଅଧୀନମ ମଠ ମହନ୍ତମାନେ ଏ ରାଜଦଣ୍ଡକୁ ଦିଲ୍ଲୀ ଆଣି ୧୪ ଅଗଷ୍ଟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ପ୍ରଦାନ କରିଥିଲେ। ରାଜତନ୍ତ୍ରରେ ଏହା କ୍ଷମତା ହସ୍ତାନ୍ତରର ସନ୍ତକ ଥିଲା।
ନେହରୁ ଏହା ଗ୍ରହଣ କରିଥିଲେ ଓ ଏହାକୁ ଆଲ୍ଲାହାବାଦର ଏକ ସଂଗ୍ରହାଳୟରେ ରଖାଗଲା। ଏହା ସ୍ବାଧୀନତା ଉତ୍ସବ ପାଳନର ଅଂଶ ବିଶେଷ ନ ଥିଲା। ଏବେ ମେ ୨୭ ତାରିଖ ସନ୍ଧ୍ୟାରୁ ୨୮ ତାରିଖ ସଂସଦ ଉଦ୍ଘାଟନ ପର୍ଯ୍ୟନ୍ତ ଏହାକୁ ଏକ ଧର୍ମୀୟ ରୂପ ଦେଇ ଅତି ଆଡ଼ମ୍ବରପୂର୍ଣ୍ଣ ବାତାବରଣ ସୃଷ୍ଟି କରାଗଲା ଯାହା ଥିଲା ଅତି ବିସ୍ମୟକର ଓ ଅଦ୍ଭୁତପୂର୍ବ। ଭାରତବାସୀ ଏହାର ନାମ ଶୁଣି ନ ଥିଲା ବେଳେ ଏହାର ସ୍ଥାପନା ବେଳେ କୁହାଗଲା ଏହା ବର୍ତ୍ତମାନ ନୂତନ ଭାରତର ପ୍ରତୀକ।
ଏପଟେ ୨୦୨୨ ପରି ୨୦୨୩ ବର୍ଷ ଆରମ୍ଭରୁ ହାଣ୍ଡିଶାଳକୁ ଲାଗିଥିଲା ଝଟକା। ସରକାରୀ ଗ୍ୟାସ୍ କମ୍ପାନୀଗୁଡ଼ିକ ନିୟମିତ ଘରୋଇ ଗ୍ୟାସ୍ ଦର ବଢ଼ାଇ ଚାଲିଥିଲେ। ଏଥି ମଧ୍ୟରେ ପଦାର୍ପଣ କରିଛି ୨୦୨୪। ନୂତନ ବର୍ଷ କିପରି ଫଳ ଦେବ ସେଥିପାଇଁ ସମସ୍ତେ ସନ୍ଦିହାନ। ତେବେ ବି ଏକ ନୂତନ ଆଶା ଉଙ୍କି ମାରିଛି ସମସ୍ତଙ୍କ ମନରେ। ତେବେ ସେ ଯାହାହେଉ; ନୂତନ ବର୍ଷ ୨୦୨୪ ବିଶ୍ବ ପାଇଁ ମଙ୍ଗଳମୟ ହେଉ, ସମସ୍ତେ ଶାନ୍ତିରେ ସହାବସ୍ଥାନ କରନ୍ତୁ, ଏତିକି କାମନା।