ନୂଆବର୍ଷରେ ଏକ ସଙ୍ଗରେ ସୂର୍ଯ୍ୟ ନମସ୍କାର କରି ଗୁଜୁରାଟବାସୀ କଲେ ଗିନିଜ୍ ବିଶ୍ଵ ରେକର୍ଡ

ଓଡ଼ିଆ ବାର୍ତ୍ତା ନୂଆଦିଲ୍ଲୀ: ନୂତନବର୍ଷକୁ ସମ୍ପୁର୍ଣ୍ଣ ଅଲଗା ଢଙ୍ଗରେ ପାଳିଛନ୍ତୁ ଗୁଜୁରାଟବାସୀ । ଯାହା ଏବେ ଗିନିଜ ୱାର୍ଲଡ ରେକଡରେ ସ୍ଥାନ ପାଇଛି । ନୂଆବର୍ଷ ଅବସରରେ ଗୁଜୁରାଟର ଲୋକମାନେ ସୂର୍ଯ୍ୟ ନମସ୍କାର କରି ବର୍ତ୍ତମାନ ସବୁଠାରେ ଚର୍ଚ୍ଚାରେ । ସେପଟେ ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏକ ବିଶେଷ ବାର୍ତ୍ତା ଦେବା ସହ ଏକ ଅନୁରୋଧ ମଧ୍ୟ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପିଏମ ମୋଦୀ ଲେଖିଛନ୍ତି, ଗୁଜୁରାଟ ଏକ ଉଲ୍ଲେଖନୀୟ ସଫଳତାର ସହିତ ୨୦୨୪ କୁ ସ୍ୱାଗତ କରିଛି । ୧୦୮ଟି ସ୍ଥାନରେ ସବୁ ଲୋକମାନେ ମିଶି ସୂର୍ଯ୍ୟ ନମସ୍କାର କରି ବର୍ତ୍ତମାନ ଗିନିଜ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି । ଆମେ ସମସ୍ତେ ଜାଣୁ ଯେ, ଆମ ସଂସ୍କୃତିରେ ୧୦୮ ନମ୍ବର ଏକ ବିଶେଷ ମହତ୍ତ୍ୱ ବହନ କରିଥାଏ ।” ସେ ଆହୁରି ମଧ୍ୟ କହିଛନ୍ତି ଯେ,“ ସୂର୍ଯ୍ୟ ନମସ୍କାର ପାଇଁ ଆୟୋଜନ କରାଯାଇଥିବା ସମସ୍ତ ସ୍ଥାନ ଭିତରେ ମୋଢେରାର ସୂର୍ଯ୍ୟ ମନ୍ଦିର ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁଠାରେ ଅନେକ ଲୋକ ଅଂଶଗ୍ରହଣ କରିଥିଲେ | ଯୋଗ ଏବଂ ଆମର ସାଂସ୍କୃତିକ ଐତିହ୍ୟ ପ୍ରତି ଆମର ପ୍ରତିବଦ୍ଧତାର ଏହା ଏକ ଜ୍ଵଳନ୍ତ ଉଦାହରଣ | ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ସୂର୍ଯ୍ୟ ନମସ୍କାରକୁ ଆପଣ ମାନଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ଭାବରେ ଗ୍ରହଣ କରନ୍ତୁ । ଏଥିରୁ ଆପଣ ଅନେକ ଲାଭ ମଧ୍ୟ ପାଇପାରିବେ ।” ମୋଢେରା ସୂର୍ଯ୍ୟ ମନ୍ଦିର ଗୁଜୁରାଟର ପାଟନଠାରୁ ୩୦କିଲୋମିଟର ଦକ୍ଷିଣରେ ଥିବା ମୋଢେରା ଗ୍ରାମରେ ଅବସ୍ଥିତ। ନୂଆ ବର୍ଷ ସକାଳେ ଏହି ମନ୍ଦିରରେ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ଅଂଶଗ୍ରହଣ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି ମଧ୍ୟ ଅଂଶଗ୍ରହଣ କରିଥିଲେ। ଗିନିଜ ୱାର୍ଲ୍ଡ ରେକର୍ଡର ନିରିକ୍ଷକ ସ୍ଵପନିଲ୍ ଡାଙ୍ଗରିକାର ମଧ୍ୟ ମୋଡେରାରେ ପହଞ୍ଚିଥିଲେ ।  ଯିଏ ସୂର୍ଯ୍ୟ ନମସ୍କାର କରୁଥିବା ସର୍ବାଧିକ ସଂଖ୍ୟକ ଲୋକଙ୍କୁ ଯାଞ୍ଚ କରିବାକୁ ଆସିଥିଲେ | ସେ କହିଛନ୍ତି ଯେ, ଏହା ଏକ ନୂଆ ରେକର୍ଡ, ଏହା ପୂର୍ବରୁ କେହି ଏହି ରେକର୍ଡ ଭାଙ୍ଗିବାକୁ ଚେଷ୍ଟା କରିନାହାଁନ୍ତି | ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରମାଣ ଯାଞ୍ଚ କରିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ଏକାସାଙ୍ଗରେ ଏତେସଂଖ୍ୟକ ଲୋକ ସୂର୍ଯ୍ୟ ନମସ୍କାର କରିବା ଏହି ଦୃଶ୍ୟ ଏକ ନୂତନ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.