ଦମକଳ ଗାଡ଼ିକୁ ୨୪ ଘଣ୍ଟା ଏଲର୍ଟ ରହିବାକୁ ନିର୍ଦ୍ଦେଶ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗ୍ରାମରେ ଅଲୌକିକ ଘଟନା ଦେଖିବାକୁ ମିଳିଛି । ବିନା କାରଣରେ ପୂର୍ବାହ୍ନ ୮ ରୁ ୧୧ ସମୟ ମଧ୍ୟରେ ଅନେକ ଲୋକଙ୍କ ଘରେ ଆକଷ୍ମିକ ନିଆଁ ଲାଗି ଘରର ଆସବା ପତ୍ର, କନ୍ଥା ପଟା, ବହି ପତ୍ର, ଖଟ, ଧାନ ବସ୍ତା ସବୁ ପୋଡି ଭଷ୍ମୀଭୁତ ହେଉଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଗାଁ କୁ ଏହି ସପ୍ତାହକ ମଧ୍ୟରେ ଦମକଳ ତିନିଥର ଯାଇ ନିଆଁ ଲିଭାଇଥିବା ମଧ୍ୟ ଜାଣିବାକୁ ମିଳିଛି । ମାଣ୍ଡେଲ ସରପଞ୍ଚଙ୍କ ଠାରୁ ସୂଚନା ପାଇ ଆଜି ଗୁରୁବାର ନର୍ଲା ତହସିଲଦାର ଦାଇତ୍ୱରେ ରହିଥିବା ମ.ରାମପୁର ଅତିରିକ୍ତ ତହସିଲଦାର ଜଗଦିଶ କାରଟାମି ମାଣ୍ଡେଲ ଗାଁ କୁ ଯାଇ ନିଆଲାଗି ପୋଡିଯାଇଥିବା ୬ ଗୋଟି ଘରର ସ୍ଥିତି ଅନୁଧ୍ୟାନ କରିଥିଲେ । ଅନୁଧ୍ୟାନ ସମୟରେ ସାରଙ୍ଗ ବହିଦାର, ବିଷ୍ଣୁଚରଣ ବଡପଣ୍ଡା, ଯଦୁମଣି ବଗର୍ତ୍ତି, ଚେରୁ ବଗର୍ତ୍ତି, ମୁରଲି ପୋଢ, ଦେବରାଜ ବଡପଣ୍ଡା ଓ ସାହିର ଅନେକ ଲୋକ ଉପସ୍ଥିତ ଥିଲେ । ତହସିଲଦାର ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ୍ଯାଇଥିଲେ ଯେ ବିଜୁଳି ସଂଯୋଗିକରଣ ନଥିବା, ରନ୍ଧନ ଗେସ ରଖା ଯାଇ ନଥିବା, ଚୁଲି, କିମ୍ବା ଜାଲେଣି ନଥିବା ସ୍ଥାନରେ ରଖାଯାଇଥିବା କନ୍ଥା ପଟା, ଧାନ ବସ୍ତା, ଦଉଡିଆ ଖଟ ବ୍ୟବହାର କରାଯାଉଥିବା କପଡା ସବୁ ଆପଣା ଛାଏଁ ନିଆଁ ଲାଗି ପୋଡିଯାଉଛି । କେବଳ ଜଣକର ଘର ନୁହଁ । ଉକ୍ତ ସାହିର ୬ ଜଣଙ୍କର ଘରେ ଗତ ଗୋଟିଏ ମାସ ହେଲା ଏଭଳି ବିନା କାରଣାରେ ଆକଷ୍ମିକ ନିଆଁ ଲାଗି ପୋଡିଯାଉଥିବା ଘର ମାଲିକ ମାନଙ୍କ ଠାରୁ ଜାଣିବାକୁ ମିଳୁଛି । ଆକସ୍ମିକ ନିଆଁ ଲାଗିଲେ ଘର ଲୋକ ବାଲଟି ପାଣି ଆଣି ନିଆଁ ଲିଭାଉଛନ୍ତି । ବାରମ୍ବାର ନିଆଁ ଲାଗି ନିଆଁ ଲିଭାଯାଉଥିବାରୁ ଘରଦ୍ୱାର କାଦୁଅ ମଧ୍ୟ ହେଉଥିବା ଦେଖିବାକୁ ମିଳିଛି । ଗତ ୬ ମାସ ପୂର୍ବରୁ ଅଭୟ ବଗର୍ତ୍ତି ଘରେ ଏଭଳି ନିଆଁ ଲାଗିବା ଆରମ୍ଭ ହୋଇଥିଲା । ୧୫ ଦିନ ତଳେ ପୁଣି ଅଭୟ ବଗର୍ତ୍ତି ଘରେ ଠିକ ସେମିତି ନିଆଁ ଲାଗି କପଡା ଲତା, ଖଟ ସବୁ ଜଳିଗଲା । ଦମକଳ ଡାକି ନିଆଁକୁ ଆୟତ୍ତ କରିଥିଲେ ଘରଲୋକ ଓ ସାହିଭାଇ । ଇତି ମଧ୍ୟରେ ଅଭୟ ବଗର୍ତ୍ତିଙ୍କ ୩ ଥର ଘରେ ନିଆ ଲାଗି ଘର ସାମଗ୍ରୀ ସବୁ ଛାରଖାର ହୋଇ ସାରିଥିବା ବେଳେ ବୁଧବାର ସକାଳ ୯ ଘଣ୍ଟା ସମୟରେ ନୀର ବଗର୍ତ୍ତିଙ୍କ ଘରେ ସେହିଭଳି ନିଆଁ ଲାଗିଯାଇଥିଲା । ଦମକଳ ଆସି ନିଆଁ ଲିଭାଇଥିଲା । ସେହିଭଳି କମ୍ବୁ ବଗର୍ତ୍ତିଙ୍କ ଘରେ ଗତକାଲି ବୁଧବାର ଓ ଆଜି ସକାଳ ୧୦ ଘଣ୍ଟା ସମୟରେ ବେଡରୁମ ଓ ଧାନ ବସ୍ତା ସବୁ ରଖାଯାଇଥିବା ଘରେ ନିଆଁ ଲାଗି ସମସ୍ତ ସାମଗ୍ରୀ ପୋଡି ଛାରଖାର ହୋଇଯାଇଛି । ଏବେ ଘଣ୍ଟାଏ ତଳେ ୧.୩୦ ସମୟରେ ପୁଣି କମ୍ବୁ ବଗର୍ତ୍ତି ଘରେ ନିଆଁ ଲାଗିଯାଇଥିବା ଖବର ମିଳିଛି । ମାଣ୍ଡେଲ ସରପଞ୍ଚ ଶ୍ରୀ ଜାଲଙ୍କ ଠାରୁ ସୂଚନା ପାଇ ତହସିଲଦାର ଆସି ସ୍ଥିତି ସମୀକ୍ଷା କରି ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ନିଆଁ ଲାଗିବାର କାରଣ କିଛି ନଥିବା ବେଳେ ନିଆଁ ଲାଗୁଛି କିପରି ବୋଲି ଅନୁଧ୍ୟାନ କରିବା ସହିତ ମୁଁ ଏବିଷୟରେ ଏଡିଏମଙ୍କୁ ଜଣାଇବି ଓ ଦମକଳ ଗାଡିକୁ ଦୁଇି ଦିନ ଧରି ଏଠାରେ ଏଲର୍ଟ ରହିବାର ବ୍ୟବସ୍ଥା କରିବା ସହତ ସାଇଣ୍ଟିଫିକ ଦଳକୁ ସୂଚନା ଦିଆଯିବ ବୋଲି କହିଥିଲେ । ହେଲେ ସ୍ଥାନୀୟ ଲୋକେ କିନ୍ତୁ ଏହାକୁ ଗୁଣି ଗାରେଡିର ଚମତ୍କାରିତା ବୋଲି ମତବ୍ୟକ୍ତ କରିବା ସହିତ ଗୁଣି ଗାରେଡି ହିଁ ଏହାର ପ୍ରତିକାର ବୋଲି କହୁଛନ୍ତି । ଏବଂ ଗୁଣିଆକୁ ଡାକି ପୂଜାପାଠ ମଧ୍ୟ ଆରମ୍ଭ କରିଦେଇଥିବା ଜାଣିବାକୁ ମିଳୁଛି ।