ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି। ଏନେଇ କୋକସରା ଥାନାରେ ଅଭିଯୋଗ ହେବାପରେ ଉକ୍ତ ଘଟଣାରେ ଧନସରା ଗ୍ରାମର ଜିତେନ୍ଦ୍ର ଶବର (୨୩) ଓ ଶଙ୍କର ରାଉତ (୨୩)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କୋକସରା ଥାନା ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ, ନୂଆବର୍ଷ ଦିନ ପୀଡ଼ିତା ଯୁବତୀ, ବଡ଼ ଭଉଣୀ ଓ ତାଙ୍କ ଘରେ କାମ କରୁଥିବା ଜଣେ ଚାକର ଗାଁ ନିକଟରେ ଥିବା ଡଙ୍ଗରୀ ପାଖକୁ ପିକନିକ୍ କରିବା ପାଇଁ ଯାଇଥିଲେ। ସେଠାରେ ରୋଷେଇ କରିବା ସମୟରେ ପୀଡିତା ଝିଅ ଡଙ୍ଗର ଆଖ ପାଖରେ ଫଟୋ ଉଠାବା ପାଇଁ ବୁଲା ବୁଲି କରୁଥିଲେ। ଏହି ସମୟରେ ଏକୁଟିଆ ଦେଖି ଦୁଇ ଜଣ ଯୁବକ ଜିତେନ୍ଦ୍ର ଓ ଶଙ୍କର ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରୁଥିବାବେଳେ ଝିଅ ତାଙ୍କ ପରିବାର ନିକଟରେ ଫୋନ୍ କରି ଦେଇଥିଲା। ଏହା ପରେ ସମ୍ପୃକ୍ତ ଦୁଇ ଯୁବକ ସେଠାରୁ ଫେରାର ମାରିଥିଲେ। ଏନେଇ ପୀଡ଼ିତାଙ୍କ ପରିବାର କୋକସରା ଥାନାର ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରିଥିଲା ପୁଲିସ। ଏବଂ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଗିରଫ କରି ତଦନ୍ତ ଚଲାଇଥିଲା। ପୀଡ଼ିତାଙ୍କ ବୟାନ ରେକର୍ଡ ପରେ ଆଜି ଜିତେନ୍ଦ୍ର ଓ ଶଙ୍କରଙ୍କୁ କୋର୍ଟ ଚାଲାଣ କରାଯାଇଥିବା କୋକସରା ଥାନା ପକ୍ଷରୁ ସୂଚନା ଦିଆଯାଇଛି।