ଅଁଳାଭଟ୍ଟା ଗ୍ରାମ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ଅଁଳାଭଟ୍ଟା ଗ୍ରାମ ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ୨୦୨୪ ଅନୁଷ୍ଠିତ ହୋଇଯାଇଅଛି। ଅଁଳାଭଟ୍ଟା ଗ୍ରାମ ପଞ୍ଚାୟତର ସରପଞ୍ଚ ବଗବତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କୁକୁଡି ଗ୍ରାମର ଗୋନ୍ତିଆ ଧନଞ୍ଜୟ ନେଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଆଞ୍ଚଳିକ ସାଧନ କେନ୍ଦ୍ର ପୋଡାଖୋଲର ସଂଯୋଜକ ନବ କିଶୋର ନାଏକ ଯୋଗଦେଇ କଳାହାଣ୍ଡି ଉତ୍ସବର ଉଦ୍ଦେଶ୍ୟ ଓ ଐତିହ୍ୟ ବିଷୟରେ ଆଲୋକପାତ କରିଥିଲେ। ସର୍ବପ୍ରଥମେ ଅଁଳାଭଟ୍ଟା ଗ୍ରାମ ର ଇଷ୍ଟଦେବୀ ମାଁ ରକ୍ତମାଉଳି ମନ୍ଦିରରୁ ସରପଞ୍ଚଙ୍କ ନେତୃତ୍ବରେ ଏକ ମଶାଲ ଶୋଭାଯାତ୍ରା ବାହାରି ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ସାଂସ୍କୃତିକ ମଞ୍ଚ ନିକଟରେ ସ୍ଥାପନ କରିବା ସହିତ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ମଞ୍ଚ ଉଦ୍ଘାଟନ କରାଯାଇଥିଲା। ଏହା ପରେ ପରେ ଘୁମୁରା ଗାୟକ ତଥା ଲେଖକ ବିରେନ୍ଦ୍ର ରାଉତ ଜଗନ୍ନାଥଙ୍କ ଭଜନ ଗାନ କରିଥିବା ବେଳେ କଳାହାଣ୍ଡି କଳାପରିଷଦର ବିରବାଦ୍ୟ ଘୁମୁରା ନୃତ୍ୟ ପରିବେଷଣ କରାଯାଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ସମିତି ସଭ୍ୟା ଡାଳିମ୍ବ ପୁଝାରୀ, ଅଞ୍ଚଳର ବିଶିଷ୍ଟ ସମାଜସେବୀ ଚୁଡ଼ାମଣି ନାଏକ ଯୂଧିଷ୍ଟିର ଦିଶାରୀ, ନାଏବ ସରପଞ୍ଚ ଚାନ୍ଦିନୀ ବାଣୁଆ ଗ୍ରାମ ପଞ୍ଚାୟତ ର ୱାର୍ଡ଼ ସଭ୍ୟ ସଭ୍ୟା ପ୍ରମୁଖ ମଞ୍ଚାସୀନ ରହିଥିଲା। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାକୁ ଶିକ୍ଷକ ଦୁର୍ଯୋଧନ ବେସ୍ରା ପରିଚାଳନା କରିଥିବା ବେଳେ ଶିକ୍ଷକ ମାନସ ପାତ୍ର, ପୂର୍ଣ୍ଣ ଚନ୍ଦ୍ର ଦାସ, ଗଣେଶ ସ୍ବାଇଁ, ଶୁଭ୍ରାଂଶୁ ପ୍ରଧାନ, ଜ୍ୟୋତି ରାମ ବଳ ସହଯୋଗ କରିଥିଲେ। ଏହି ଭଳି ମହିଳା ପ୍ରତିଯୋଗିତା ଗୁଡ଼ିକୁ ଏମବିକେ ଦୀପଶିଖା ଦାସ ପରିଚାଳନା କରିଥିଲେ। ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ଗ୍ରାମ ରୋଜଗାର ସେବକ କ୍ଷିରସିନ୍ଦୁ ନାଏକ, ଯୋଗାଣ ସହାୟକ ନିରଞ୍ଜନ ନାଏକ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ସଭା ଶେଷ ରେ ଶିକ୍ଷକ ମାନସିଂହ ଦିଶାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.