କବି ଜୟନ୍ତ ମହାପାତ୍ରଙ୍କ ସମ୍ମାନାର୍ଥେ ଫକୀରମୋହନ ବିଶ୍ବବିଦ୍ୟାଳୟରେ ପୁରସ୍କାର ପ୍ରଚଳନ

● ‘ଜୟନ୍ତ ମହାପାତ୍ର କବିତା ପୁରସ୍କାର’ ନାମରେ ନାମିତ ହେବ
● ପ୍ରତିବର୍ଷ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ପ୍ରଦାନ କରାଯିବ ପୁରସ୍କାର

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): କବି ଜୟନ୍ତ ମହାପାତ୍ରଙ୍କ ସ୍ମୃତିରେ ଏକ ପୁରସ୍କାର ପ୍ରଚଳନ ପାଇଁ ଓଡ଼ିଆ ଇଂରାଜୀ ଗବେଷଣା ପରିଷଦ ତରଫରୁ ୨ ଲକ୍ଷ ୨୦ ହଜାର ଟଙ୍କାର ସ୍ଥାୟୀ ଅର୍ଥରାଶି ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଛି।

‘ଜୟନ୍ତ ମହାପାତ୍ର କବିତା ପୁରସ୍କାର’ ନାମରେ ନାମିତ ଏହି ପୁରସ୍କାର ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ଅନୁଷ୍ଠିତ ହେଉଥିବା ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ପ୍ରଦାନ କରାଯିବ। ଫକୀରମୋହନ ବିଶ୍ବବିଦ୍ୟାଳୟ ତଥା ସହବନ୍ଧିତ ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଓଡ଼ିଆ କବିତା ପ୍ରତିଯୋଗିତାରେ ଭାଗ ନେଇପାରିବେ। ସର୍ବଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ୧୦ ହଜାର ଟଙ୍କା ଓ ପ୍ରମାଣପତ୍ର ପ୍ରଦାନ କରାଯିବ।
ଉଲ୍ଲେଖଯୋଗ୍ୟ, କବି ଶ୍ରୀ ମହାପାତ୍ର ତାଙ୍କର ବ୍ୟକ୍ତିଗତ ପାଠାଗାର, ପଦ୍ମଶ୍ରୀ ଉପାଧି, ସମସ୍ତ ପୁରସ୍କାର, ସ୍ମୃତି ଉପହାର ଓ ଆଲମାରୀମାନ ଓଡ଼ିଶା ଇଂରାଜୀ ଗବେଷଣା ପରିଷଦ ଜରିଆରେ ଉକ୍ତ ବିଶ୍ବବିଦ୍ୟାଳୟକୁ ଦାନ କରି ପରିଷଦକୁ ଧନ୍ୟ କରିଥିଲେ।

ଏହି ପୁରସ୍କାର ପାଇଁ ଯେଉଁ ବଦାନ୍ୟ ବ୍ୟକ୍ତିମାନେ ସହଯୋଗର ହାତ ବଢ଼ାଇଛନ୍ତି, ସେମାନେ ହେଲେ ଜୟନ୍ତ ପ୍ରେମୀ ଶୈଳବାଳା ତ୍ରିପାଠୀ, ଇଂରାଜୀ ପରିଷଦର ସଭାପତି ଡ. ସାନ୍ତ୍ବନା ହାଲଦାର, ସମ୍ପାଦକ ପ୍ରାଧ୍ୟାପକ ରବିନାରାୟଣ ଦାଶ, ଉପସଭାପତି ଡ. ସୁବାସ ଚନ୍ଦ୍ର ପାତ୍ର, ପ୍ରାଧ୍ୟାପିକା ଡ. ବିନୋଦିନୀ ପାତ୍ର, ପ୍ରାଧ୍ୟାପକ ଡ. ଉତ୍ତମ କୁମାର ବିଶ୍ବାଳ, ବ୍ୟାଙ୍କ ଅଧିକାରୀ ଗୋପାଳ ଜେନା, କର୍ଣ୍ଣେଲ କ୍ଷେତ୍ରମୋହନ ମହାପାତ୍ର, ପ୍ରାଧ୍ୟାପକ ଡ. ରଞ୍ଜିତ କୁମାର ପତି, ଡା. ମନୋରଂଜନ ଦାସ, ଫକୀରମୋହନ କଲେଜର ଅଧ୍ୟକ୍ଷ ଡ. ଦିଲ୍ଲୀପ କୁମାର ଘୋଷ, ଆଇନଜୀବୀ ସାହିରୁଲ୍‌ ହକ୍‌, ପ୍ରାଧ୍ୟାପକ ଡ. ବିଜୟ କୁମାର ଦେ, ରୋଟାରୀ କ୍ଲବ ସଭାପତି ପ୍ରଦୀପ କୁମାର ପଣ୍ଡା, ସଂପାଦକ ସୁଧାଂଶୁ କୁମାର ପଣ୍ଡା, ସମାଜସେବୀ ରଂଜିତ ନାୟକ, ଶିକ୍ଷାବିତ୍‌ ଶ୍ରୀନିବାସ ସିଂହ, ପ୍ରାଧ୍ୟାପିକା ମେଧା ନାୟକ।

ଏହି ଅବସରରେ କୁଳପତି ପ୍ରଫେସର ତ୍ରିପାଠୀ ଗବେଷଣା ପରିଷଦ ଓ ବଦାନ୍ୟ ବ୍ୟକ୍ତିଙ୍କୁ ଏଥିନିମନ୍ତେ ଧନ୍ୟବାଦ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.