ବାଗପୁରରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା- ୨୦୨୪ ଆରମ୍ଭ ହୋଇଛି। ଦିନ ଶୁକ୍ରବାର ନର୍ଲା ବ୍ଲକର ଭାନପୁର, ତୁଳାପଡା, ମୁସ୍କୁଟି, ଗିଗିନା, ନିଶାଣପୁର ଓ ପଲମ ଗ୍ରାମ ପଞ୍ଚାୟତର କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ସମ୍ପନ୍ନ ହୋଇ ସାରିଥିବା ବେଳେ ଆଜି ଶନିବାର ବାଗପୁର, ଶାନ୍ତପୁର ଓ ମାଣ୍ଡେଲ ଗ୍ରାମ ପଞ୍ଚାୟତରେ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ବାଗପୁର ସରପଞ୍ଚ ଗୋପାଳ ହାତୀଙ୍କ ନେତୃତ୍ୱରେ ପୂର୍ବାହ୍ନରେ ଗ୍ରାମର ଧରଣୀ ପୀଠରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସଂକୀର୍ତ୍ତନ ମଣ୍ଡଳୀ ଓ ଘୁମୁରା ବାଦ୍ୟର ତାଳେ ତାଳେ ମଶାଲ ବାଗପୁର ଗ୍ରାମ ପରିକ୍ରମା କରିବା ପରେ ବାଗପୁର ୟୁପି ସ୍କୁଲ ପରିସରରେ ଆୟୋଜିତ ଘୁମୁରା ମଞ୍ଚରେ ମଶାଲ ସ୍ଥାପନା କରାଯାଇଥିଲା। ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଇଁ ବାଗପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପୂର୍ବରୁ ସଙ୍ଗୀତ, ବକ୍ତୃତା, ଚିତ୍ରାଙ୍କନ, ପୁଚି ପ୍ରଭୃତି ଖେଳ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ବାଗପୁର ସରପଞ୍ଚ ଗୋପାଳ ହାତୀଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ସମ୍ମାନୀତ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ମହାନ୍ତି ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ। ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ କିରଣଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ସମାଜସେବୀ ଜଗଦିଶ ସାହୁ ଓ ଚୁଡଚନ୍ଦ୍ର ମାଝୀ ମଞ୍ଚ ପରିଚାଳନା କରିଥିଲେ। ବାଗପୁର ଏଓ ସୁଜନଚନ୍ଦ୍ର ବିଶି, ଜିଆରଏସ ମେଘନାଦ ବିଶ୍ୱାଳ, ଆଶା, ଅଙ୍ଗନୱାଡି କର୍ମୀ, ବିଦ୍ୟାଳୟର ଶିକ୍ଷକ ବୃନ୍ଦ, ଗ୍ରାମ ପଞ୍ଚାୟତ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ। ମଧ୍ୟାହ୍ନ ଭୋଜନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆକର୍ଷଣୀୟ ହୋଇଉଠିଥିଲା ପରିବେଶ। କାର୍ଯ୍ୟକ୍ରମ ଶେଷରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.