ବାଇକକୁ ଧକ୍କାଦେଲା କାର : ୨ ଗୁରୁତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଶନିବାର ସନ୍ଧ୍ୟାରେ ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ କୁସୁମଖୁଣ୍ଟି ଠାରେ ଏକ ବାଇକକୁ କାର ଧକ୍କା ଦେବାରୁ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକରେ ଥିବା ଦୁଇ ଜଣ ସହ ଅନ୍ୟ ଦୁଇ ପଥଚାରୀ ମଧ୍ୟ ଆହତ ହୋଇଛନ୍ତି। ଛିଲପାମାଲ ଗ୍ରାମର ରବି ପୁଞ୍ଜି ଓ କୁସୁମଖୁଣ୍ଟିର କେଶବ ଶବର ଗୁରୁତର ହୋଇଥିବାବେଳେ ରେଙ୍ଗାଲପାଲି ଗ୍ରାମର ବଳରାମ ନାଏକ ଓ କୁସୁମଖୁଣ୍ଟିର ନନ୍ଦେ ଶବର ଆହତ ହୋଇଥିବା ଜଣାପଡ଼ିଛି।ସୂଚନା ଯେ’ ଆଜି ସନ୍ଧ୍ୟାରେ ନବରଙ୍ଗପୁର ପଟୁ ଦ୍ରୁତଗତିରେ ଆସୁଥିବା ଏକ କାର ବିପରୀତ ଦିଗରୁ ଆସୁଥିବା ଏକ ବାଇକକୁ ଯୋରରେ ଧକ୍କା ଦେବାରୁ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତାରେ ଯାଉଥିବା ଅନ୍ୟ ଦୁଇ ଜଣଙ୍କ ଉପରେ ପଡ଼ି ଯାଇଥିଲା। ଫଲରେ ବାଇକ୍ ଆରୋହି ଜଣେ ଗୁରୁତର ହୋଇଥିବାବେଳେ ଅନ୍ୟ ଦୁଇ ଜଣ ପଥଚାରୀ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ମୋଟେର ପୁଲିସକୁ ଖବର ଦେବାପରେ ସମସ୍ତ ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ କୋକସରା ଡ଼ାକ୍ତରଖାନାକୁ ପଠାଯାଇଛି। ତେବେ ପ୍ରାଥମିକ ଚିକିତ୍ସା ପରେ ରବି ପୁଞ୍ଜି ଓ କେଶବ ଶବର ଗୁରୁତର ଥିବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଅନ୍ୟପଟେ ଦୁର୍ଘଟଣା ଘଟାଇ ଥିବା କାର ଫେରାର ମାରିଥିବା ବେଳେ ପୁଲିସର ତଦନ୍ତ ଆରମ୍ଭ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.