ଆସୁନାହାନ୍ତି ଅଧିକାରୀ: କୁଲିଆବନ୍ଧା ଆଦର୍ଶ ପଂଚାୟତର ହିତାଧିକାରୀ ହେଉଛନ୍ତି ହଇରାଣ !

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ କୁଲିଆବନ୍ଧା ଆଦର୍ଶ ପଂଚାୟତରେ ଅଧିକାରୀ ଆସୁନଥିବାରୁ ହିତାଧିକାରୀ ହଇରାଣ ହେଉଥିବାର ଅଭିଯୋଗ ହୋଇଛି। ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଦିନବେଳା ଅସ୍ଥାୟୀ କର୍ମଚାରୀ ବା ନାଇଟ ୱାଚର ତାଲା ଖୋଲି ରହୁଛନ୍ତି। ଯେକୌଣସି କାମରେ ଗ୍ରାମବାସୀ ପଂଚାୟତ କାର୍ଯ୍ୟାଳୟକୁ ଆସିଲେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବା ପିଇଓ ରହୁନଥିବାର ଅଭିଯୋଗ କରିଛନ୍ତି। ପିଇଓ ପଂଚାୟତ କାର୍ଯ୍ୟାଳୟକୁ ଆସୁନଥିବାରୁ ତଳ କର୍ମଚାରୀ ଗ୍ରାମ ରୋଜଗାର ସେବକ, ଯୋଗାଣ ସହାୟକ, ଡାଟା ଏଣ୍ଟ୍ରି ଅପରେଟର ମଧ୍ୟ ଏହାର ଫାଇଦା ଉଠାଇ ପଂଚାୟତ କାର୍ଯ୍ୟାଳୟରେ ଦେଖାଦେଉ ନାହାନ୍ତି। ଏକ ଆଦର୍ଶ ପଂଚାୟତରେ ଅଧିକାରୀ ଓ କର୍ମଚାରୀଙ୍କ ଏଭଳି କାର୍ଯ୍ୟରେ ଅବହେଳା ଦ୍ୱାରା ଏଠିକାର ବିକାଶ ଉପରେ ଏକ ବୃହତ ପ୍ରଶ୍ନବାଚି ସୃଷ୍ଟି କରୁଛି।  ବିକାଶ ମୂଳକ କାର୍ଯ୍ୟ ପଂଚାୟତରେ ଠପ ହୋଇ ଯାଇଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ପ୍ରକାଶ ଯେ, ସରକାର ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଜନସାଧାରଣଙ୍କୁ ନିଜର ମୌଳିକ ସୁବିଧା ଯୋଗାଇଦେବା ସହିତ ଡିଜିଟାଲ ଯୁବ ସହିତ ଯୋଡିବା ପାଇଁ ପଂଚାୟତ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। କିନ୍ତୁ ଅଧିକାରୀଙ୍କ ଅବହେଳା ଫଳରେ ଲୋକେ ତାର ସୁବିଧା ସୁଯୋଗ ପାଇ ପାରୁନାହାନ୍ତି। ଏଣୁ ସ୍ଥାନୀୟ ଜନ ପ୍ରତିନିଧି ଏବଂ ବ୍ଲକ ପ୍ରଶାସନ ଏହା ଉପରେ ଦୃଷ୍ଟି ପ୍ରଦାନ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ତେବେ ଜିଲ୍ଲାର ସମସ୍ତ ପଂଚାୟତରେ ଏଭଳି ହେଉଥିବ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.