ଦଳୀୟ କାର୍ଯ୍ୟକ୍ରମ ପରିଚାଳନାରେ ବ୍ୟସ୍ତ ରାୟଗଡା ଜିଲ୍ଳା ପ୍ରଶାସନ : କଂଗ୍ରେସ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡାରେ ଜିଲ୍ଳାସ୍ତରୀୟ ନୂଆ-ଓ ଉତ୍ସବ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ୨ଛାତ୍ରୀ ଗୁରୁତର ହେବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ରାୟଗଡା ଜିଲ୍ଳା କଂଗ୍ରେସ କମିଟି । ଏବଂ କାର୍ଯ୍ୟକ୍ରମ ଆୟୋଜକ ଓ ଛାତ୍ରଛାତ୍ରୀଙ୍କୁ ପଠାଇଥିବା ସମସ୍ତ କଲେଜଗୁଡିକର ଅଧ୍ୟକ୍ଷଅଧ୍ୟକ୍ଷାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଳା ଆରକ୍ଷୀ ଅଧକ୍ଷୀକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି । ଏହି ଦାବିପତ୍ରକୁ ଏକ ଏଫଆଇଆର ଭାବେ ପରିଗଣିତ କରି ପଦକ୍ଷେପ ତଦନ୍ତ କରିବାକୁ ଅନୁରୋଧ କରିଛି ଡିସିସି କମିଟି । ରାୟଗଡା ଜିଲ୍ଳା କଂଗ୍ରେସ କମିଟି ସଭାପତି ବିଜୟ କୁମାର ଗମାଙ୍ଗଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଦିନ ସ୍ଥାନୀୟ କଂଗ୍ରେସ ଭବନ ଠାରେ ଜିଲ୍ଳା କଂଗ୍ରେସ କମିଟିର ମୁଖ୍ୟ ମୁଖପାତ୍ର ତଥା ଉପସଭାପତି ଶଙ୍କର୍ଷଣ ମଙ୍ଗରାଜଙ୍କ ତତ୍ୱାବଧାନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି) ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡା,ରାୟଗଡା ନିର୍ବାଚନ ମଣ୍ଡଳି ବିଧାୟକ ପ୍ରାର୍ଥୀ ତଥା ଆଦିବାସୀ ଯୁବ ନେତା କାଡ୍ରକା ଆପଲାସ୍ୱାମୀ,ରାଜ୍ୟ କୃଷକ ସେଲ୍ ଉପସଭାପତି ଦେବେନ୍ଦ୍ର କୁମାର,ଜିଲ୍ଳା ଯୁବ କଂଗ୍ରେସ ଉପସଭାପତି ଆସଲାମ୍ ଖାନ୍ ପ୍ରମୁଖ ଉପସ୍ଥିତ ରହିଥିଲେ । ବୁଧବାର ଜାନୁଆରୀ ୧୦ତାରିଖରେ ରାୟଗଡାର ବାରିଝୋଲା ଠାରେ ବିଜୁ ଜନତା ଦଳ ଦ୍ୱାରା ‘ନୂଆ-ଓ ଉତ୍ସବ ଯୁବ ଓଡିଶା ନବୀନ ଓଡିଶା’ଏକ ଦଳୀୟ କାର୍ଯ୍ୟକ୍ରମ କରାଯାଇଥିଲା । ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ସୁଯୋଗରୁ ଛାତ୍ରଛାତ୍ରୀଙ୍କୁ ବଂଚିତ କରି ‘ଯୁବ ଓଡିଶା ନବୀନ ଓଡିଶା’ଦଳୀୟ ରାଜନୈତିକ କାର୍ଯ୍ୟକ୍ରମରେ ସୁଲଭ ଛାତ୍ରଛାତ୍ରୀଙ୍କୁ ଯୋଗ ଦେବା ପାଇଁ ବାଧ୍ୟ କରୁଛନ୍ତି । ଛାତ୍ରଛାତ୍ରୀଙ୍କ ମୁଣ୍ଡ ଉପରେ ବାର୍ଷିକ ପରୀକ୍ଷା ଥିବା ବେଳେ ସେମାନଙ୍କୁ କାହିଁକି ପଥଭ୍ରଷ୍ଟ କରାଯାଉଛି ବୋଲି ଓପିସିସି ସାଧାରଣ ସଂପାଦକ ଶ୍ରୀ ପଣ୍ଡା ଜିଲ୍ଳା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଦଳୀୟ କାର୍ଯ୍ୟକ୍ରମରେ ସୁଲଭ ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରାଯାଉଥିବାରୁ କଂଗ୍ରେସ ଏହାକୁ ଦୃଢ ନିନ୍ଦା କରୁଛି ବୋଲି କହିବା ସହ ଦଃଖ ଓ ପରିତାପର ବିଷୟ ରାୟଗଡା ଜିଲ୍ଳା ପ୍ରଶାସନ ଉତ୍ସାହିତ ହୋଇ ଶାସକ ଦଳର ଦଳୀୟ କାର୍ଯ୍ୟକ୍ରମ ପରିଚାଳନାରେ ବ୍ୟସ୍ତ ରହୁଛନ୍ତି ଯାହା ଜନସାଧାରଣ ଚକିତ ହେବା ସଙ୍ଗେ ସଙ୍ଗେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ହୃଦୟଙ୍ଗମ କରୁଥିବା ଶ୍ରୀ ପଣ୍ଡା କହିଛନ୍ତି । ଜିଲ୍ଳାପାଳ ତେଲରେ ପଡି ଆହାତ ହୋଇଥିବା ଛାତ୍ରୀଙ୍କୁ ୩୦ହଜାର ଟଙ୍କା ଓ ଅଣନିଶ୍ୱାସୀ ହୋଇ ଯାଇଥିବା ଛାତ୍ରୀଙ୍କୁ ଯେଉଁ ୨୦ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ କାହିଁକି ଦିଆଗଲା । କାର୍ଯ୍ୟକ୍ରମ ପରିଚାଳକ ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ କାହିଁକି ତାଙ୍କ ଦରମାରୁ ଦେବେ ନାହିଁ ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି । ସେହିପରି ଏହି ଅବ୍ୟବସ୍ଥା କାର୍ଯ୍ୟକ୍ରମରେ କାହିଁକି ଛାତ୍ରଛାତ୍ରୀଙ୍କୁ ସାମିଲ କରାଗଲା । ଶଙ୍ଖ ଚିହ୍ନ ଥିବା ଟି-ସାର୍ଟ ପିନ୍ଧାଇ ଦିଆଗଲା ଏହା କଣ ଦଳୀୟ ପ୍ରଚାର ନୁହେଁ କି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ନୂଆ – ଓ ଉତ୍ସବ କାର୍ଯ୍ୟକ୍ରମରେ ଦଳୀୟ ମନ୍ତ୍ରୀ,ବିଧାୟକ ଓ ଦଳୀୟ କର୍ମକର୍ତା ଯୋଗ ଦେଇଥିଲେ ଯାହା ଜିଲ୍ଳା ପ୍ରଶାସନ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ ଜିଲ୍ଳା ପ୍ରଶାସନ ଜିଲ୍ଳାର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନର କର୍ତୁପକ୍ଷଙ୍କ ଉପରେ ଚାପ ପ୍ରୟୋଗ କରି ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଯୁବ ମେଳାରେ ଯୋଗ ଦେବା ପାଇଁ ବନ୍ଦୋବସ୍ତ କରିଥିଲେ । ଆୟୋଜକଙ୍କ ଅବହେଳା ଯୋଗୁଁ ରାୟଗଡା ମହିଳା ମହାବିଦ୍ୟାଳୟର ଛାତ୍ରୀ ଦୀପାଂଜଳୀ ନାଏକ ଠେଲାପେଲା ଭିତରେ ଗରମ ତେଲ କଢେଇରେ ପଡି ଗୁରୁତର ଭାବେ ଆହାତ ହୋଇଥିବା ବେଳେ ଗୁଣପୁର ସ୍ଥିତ ଥାୟାରାମା ମହିଳା ମହାବିଦ୍ୟାଳୟର ଛାତ୍ରୀ ମେନକା ଶବର ଦଳାଚକଟାରେ ଗଭୀର ଆହାତ ହୋଇଥିଲେ । ପରେ ଉଭୟଙ୍କୁ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇ ଚିକିତ୍ସା କରାଯାଇଥିଲା । ଜିଲ୍ଳା ପ୍ରଶାସନ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଖୋଲାଖୋଲି ଭାବେ ଦଳୀୟ କାର୍ଯ୍ୟକ୍ରମରେ ସଂପୃକ୍ତ ହେବାରୁ ନିବୃତ ହେବା ପାଇଁ କଂଗ୍ରେସ ଅନୁରୋଧ କରିବା ସହ ନୂଆ –ଓ ଉତ୍ସବ କାର୍ଯ୍ୟକ୍ରମରେ ଦୁର୍ଘଟଣା ଜନୀତ ପରିସ୍ଥିତି ନିମନ୍ତେ ସମାବେଶର ଆୟୋଜକଙ୍କ ଅବହେଳା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ କଂଗ୍ରେସ ଦାବି କରୁଛି । ଯଦି ଦାବି ପୂରଣ କରା ନ ଗଲେ ଜନ ଆନ୍ଦୋଳନ ଆରମ୍ଭ ହେବ ବୋଲି ମୁଖ୍ୟ ମୁଖପାତ୍ର ଶ୍ରୀ ମଙ୍ଗରାଜ ପ୍ରକାଶ କରିଛନ୍ତି ।