ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ନୂତନ ପେନସନ୍ ବ୍ୟବସ୍ଥା (ଏନପିଏସ)ରଦ୍ଧ କରି ପୁରୁଣା ବ୍ୟବସ୍ଥାରେ ପେନସନ୍ ପ୍ରଦାନ ଦାବିରେ ପୂର୍ବତଟ ରେଳବାଇ ଶ୍ରମିକ କଂଗ୍ରେସ ରାୟଗଡା ଶାଖା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାୟଗଡା ଶାଖାର ସଭାପତି ସନ୍ତୋଷ କୁମାର ବେହେରାଙ୍କ ନେତୃତ୍ୱରେ ରେଳବାଇ କର୍ମଚାରୀ ତଥା ପୂର୍ବତଟ ରେଳବାଇ ଶ୍ରମିକ କଂଗ୍ରେସ ସଂଘର ପଦାଧିକାରୀ ଓ ସଦସ୍ୟସଦସ୍ୟାମାନେ ବିକ୍ଷୋଭ ପ୍ରଦର୍ଶନ କରି କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟର ଏଭଳି ନିଷ୍ପତିକୁ ପ୍ରତିବାଦ କରିଛନ୍ତି । ଆଜି ପୂର୍ବାହ୍ନରେ ରାୟଗଡା ରେଳ ଷ୍ଟେସନ ସମ୍ମୁଖରେ ଥିବା ପୂର୍ବତଟ ରେଳବାଇ ଶ୍ରମିକ କଂଗ୍ରେସ କାର୍ଯ୍ୟାଳୟ ଆଗରେ ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ହୋଇଥିଲା । ୨୦୦୪ବର୍ଷ ଠାରୁ ରେଳବାଇରେ ନୂତନ ନିଯୁକ୍ତି ପାଇ କାମ କରି ଆସୁଥିବା କର୍ମଚାରୀମାନେ ବର୍ତମାନ କିଏ ପଚାଶ, ଷାଠିଏ, ସତୁରୀ, ଅଶିଏ ହଜାର ଟଙ୍କା ଦରମା ପାଇ ଆସୁଛନ୍ତି । ନୂତନ ପେନସନ୍ ବ୍ୟବସ୍ଥାରେ ସେମାନଙ୍କୁ ସାମିଲ କରାଯାଇଥିବାରୁ ଚାକିରିରୁ ଅବସର ନେବା ପରେ ସେମାନଙ୍କୁ ମାସିକ ଏକ ହଜାର ଟଙ୍କା ମଧ୍ୟରେ ପେନସନ୍ ଲାଗୁ କରାଯିବ । ଯାହାକି ଜଣେ କର୍ମଚାରୀ ଭବିଷ୍ୟତରେ ଅବସରକାଳୀନ ଜୀବନ ଅତିବାହିତ କରିବା ସମ୍ଭବପର ନୁହେଁ । ତେଣୁ କେନ୍ଦ୍ର ସରକାରଙ୍କ ରେଳ ବିଭାଗ ପକ୍ଷରୁ ନୂତନ ପେନସନ୍ ବ୍ୟବସ୍ଥା ରଦ୍ଧ କରାଯାଇ ପୁରୁଣା ପେନସନ୍ ବ୍ୟବସ୍ଥାରେ ହିଁ ପେନସନ୍ ପ୍ରଦାନ କରାଯାଉ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।