କପା ବ୍ୟବସାୟରେ କ୍ଷତି ସହୁଛି ଚାଷୀ, ଲାଭାବାନ୍ ହେଉଛନ୍ତି ସାହୁକାର ଓ ଦଲାଲ୍
କ୍ୱିଂଟାଲ ପିଚ୍ଛା ୧୫ହଜାର ଟଙ୍କା ସରକାରୀ ଦର ନିର୍ଦ୍ଧାରିତ କରିବା ଦାବି
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାରେ କପା ଚାଷୀଙ୍କ ସମସ୍ୟା ସୀମା ଟପିଲାଣି । ଅନେକ କପା ଚାଷୀ ଦୁଇ ପଇସା ରୋଜଗାର ବଦଳରେ କପା ବ୍ୟବସାୟରେ କ୍ଷତି ସହୁଛନ୍ତି । ସରକାରୀ କ୍ରୟ କେନ୍ଦ୍ର ଓ ଋଚ୍ଚର ଅଭାବ ହେତୁ କପା ଚାଷୀମାନେ ଚଢା ସୁଧରେ ସାହୁକାରମାନଙ୍କ ଠାରୁ ଋଣ ଆଣିବାକୁ ବାଧ୍ୟ ହେଉଛନ୍ତି ଏବଂ ସୁଧ ଶୁଝି ଶୁଝି ଚାଷୀ ହତାଶ ହେଲେଣି । ଏପରିକି ଚାଷୀ ଅଭାବୀ ଦରରେ କପା ବିକ୍ରି ପାଇଁ ବାଧ୍ୟ ହେଉଛି । ଏହି ପରିସ୍ଥିତିରେ ଥିବା କପା ଚାଷୀମାନଙ୍କ ସ୍ୱାର୍ଥକୁ ନେଇ ୭ଦଫା ଦାବି ଉଠାଇଛି ରାୟଗଡା କୃଷକ ସଭା ସଂଗଠନ । ଶୁକ୍ରବାର ଦିନ ରାୟଗଡା କୃଷକ ସଭା ସଭାପତି ଲାଚିଗା ଜାକାକାଙ୍କ ନେତୃତ୍ୱ କ୍ରମେ ଜିଲ୍ଳାର ବିଭିନ୍ନ ବ୍ଳକରୁ ଆସିଥିବା କପା ଚାଷୀଗଣ ସ୍ଥାନୀୟ କପିଲାସ ଛକଠାରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସି ପଂହଚିଥିଲେ । ରାୟଗଡା ଜିଲ୍ଳାର କପା ଚାଷୀମାନେ କପା ଅମଳ ପରେ ବିକ୍ରି କରିବାରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କୀତ ଦାବିଗୁଡିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କ ଜରିଆରେ ଲିଖିତ ଦାବିପତ୍ରକୁ ଅତିରିକ୍ତ ଜିଲ୍ଳାପାଳ ଭାସ୍କର ଚନ୍ଦ୍ର ରଇତଙ୍କୁ ପ୍ରଦାନ କରିଥିଲେ । ଏହି ଦାବିପତ୍ରରେ ଓଡିଶାରେ କପା ଉତ୍ପାଦନକାରୀ ଜିଲ୍ଳା ଭାବେ ରାୟଗଡା ଜିଲ୍ଳାର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ତେବେ ବହିନ, ସାର, କୀଟନାଶକ, ଔଷଧ ଆଦିର ଦରଦାମ ବଜାରରେ ବୃଦ୍ଧି ପାଇଥିବା ବେଳେ ଉତ୍ପାଦିତ କପା ବିକ୍ରି ବେଳେ ଉପଯୁକ୍ତ ଦର ମିଳୁ ନ ଥିବା ଯୋଗୁଁ ଚାଷୀ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି ବୋଲି ଉଲ୍ଳେଖ ରହିଛି । ସରକାରୀ କପା ମଣ୍ଡି ଜରିଆରେ କ୍ରୟ ଦର କ୍ୱିଂଟାଲ ପିଚ୍ଛା ୧୫ହଜାର ଟଙ୍କାକୁ ବୃଦ୍ଧି କରିବା, ବିକ୍ରିର ଏକ ସପ୍ତାହନ ମଧ୍ୟରେ ଚାଷୀଙ୍କୁ ବିକ୍ରି ଧନ ପ୍ରଦାନ କରିବା, ସାର, ବିହନ, କୀଟନାଶକ, ଔଷଧ ଆଦି ରିହାତି ଦରରେ ଯୋଗାଇ ଦେବା, ଚଢା ଦରରେ ବିକ୍ରି କରୁଥିବା ଓ ସାର କଳା ବଜାରୀ କରୁଥିବା ବ୍ୟବସାୟୀମାନଙ୍କୁ କଠୋର ଦଣ୍ଡ ଦେବା, କପା ବ୍ୟବସାୟରେ ଥିବା ଦଲାଲ ଓ ମଧ୍ୟସ୍ଥିଙ୍କୁ ଚିହ୍ନଟ କରି ଦଣ୍ଡ ଦେବା, କପା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଓ ଋଣଛାଡ କରିବା ଏବଂ ସ୍ୱଳ୍ପସୁଧରେ ଚାଷୀଙ୍କୁ ଦୀର୍ଘ ମିଆଦି ସରକାରୀ ଋଣ ପ୍ରଦାନ କରିବା, ଚାଷ ଜମିରେ ଜଳସେଚନ ନିମନ୍ତେ ବ୍ୟବସ୍ଥା କରିବା, ବଢି ମରୁଡିର ପ୍ରତିକାର ସହିତ ବାରହା ଓ ଅନ୍ୟ ବନ୍ୟଜନ୍ତୁ ଆକ୍ରମଣ ଯୋଗୁଁ କ୍ଷତିଗ୍ରସ୍ତ ଫସଲର କ୍ଷତିପୂରଣ ଦେବା, ବୟସ୍କ କପା ଚାଷୀଙ୍କୁ ଚାଷୀ ଭତା ପ୍ରଦାନ କରିବା ଏବଂ ବର୍ଷ ବର୍ଷ ଧରି ଚାଷ କରୁଥିବା ଦଖଲ ଜମିର ପଟ୍ଟା ପ୍ରଦାନ କରିବା ଭଳି ଦାବି ଉଲ୍ଳେଖ ରହିଛି । ଏହି ଦାବିପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ମୂର୍ତି ମିଣିଆକା,ସଂପାଦକ କୈଳାସ ମାଣ୍ଡିଆକା,ମାନୁ ସିକକା,ଗଜେନ୍ଦ୍ର ହୁଇକା,ଦୋରା କୋଣ୍ଡାଗରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।