ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାସ୍ତରୀୟ ‘ନୂଆ-ଓ ଉତ୍ସବ ଯୁବ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ ଠେଲାପେଲା ମଧ୍ୟରେ ଜଣେ ଛାତ୍ରୀଙ୍କ ଗୋଡରେ ଗରମ ତେଲ ପଡିଯିବା ଏବଂ ଅନ୍ୟ ଜଣେ ଛାତ୍ରୀ ଅଣନିଶ୍ୱାସୀ ହୋଇ ଅଳ୍ପକେ ବର୍ତିଥିବା ଘଟଣାକୁ ନିନ୍ଦା କରି ଶନିବାର ଏ ନେଇ ରାୟଗଡା ଥାନାରେ କାର୍ଯ୍ୟକ୍ରମ ଆୟୋଜକ ଜିଲ୍ଳା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଜିଲ୍ଳାପାଳ ଏବଂ ରାୟଗଡା ମହିଳା ମହାବିଦ୍ୟାଳୟ ଓ ଗୁଣପୁର ଥାଏରାମା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି। ନ୍ୟାସନାଲ ଷ୍ଟୁଡେଣ୍ଟ୍ ୟୁନିୟନ୍ ଅଫ୍ ଇଣ୍ଡିଆ ରାୟଗଡା ଜିଲ୍ଳା ଶାଖା ସଭାପତି ନିଖିଲ ପଟ୍ଟନାୟକ ଏହି ଏତଲା ଦେଇଛନ୍ତି। ସେ ଏହି ଘଟଣାକୁ ଏକ ଅପରାଧିକ ଅବହେଳାର କାରଣ ବୋଲି ଉଲ୍ଳେଖ କରିଛନ୍ତି। ଅଭିଭାବକଙ୍କ ବିନା ଅନୁମତିରେ ଜିଲ୍ଳା ପ୍ରଶାସନ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଧ୍ୟକ୍ଷାମାନେ ହଜାର ହଜାର ସଂଖ୍ୟକ ନାବାଳକ ନାବାଳିକା ଛାତ୍ରଛାତ୍ରୀଙ୍କୁ ବସ ଯୋଗେ ବାରିଝୋଲା ସ୍ଥିତ ଜିଆଏସିଆର ପଡିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ସ୍ଥଳରେ ପଂହଚାଇଥିଲେ। ସେଠାରେ ଆୟୋଜକଙ୍କ କୁପରିଚାଳନା ଯୋଗୁୁଁ ହଜାର ହଜାର ସଂଖ୍ୟକ ଛାତ୍ରଛାତ୍ରୀଙ୍କ ନିମନ୍ତେ ରନ୍ଧା ଖାଦ୍ୟର ଅଭାବ ହୋଇଥିଲା। ରନ୍ଧା ଖାଦ୍ୟ ଖାଇବା ପାଇଁ ଖାଦ୍ୟ ଷ୍ଟଲ ସମେତ ରୋଷେଇ ସ୍ଥାନରେ ମଧ୍ୟ ଛାତ୍ରଛାତ୍ରୀମାନେ ଗହଳି ଜମାଇଥିଲେ। ଏହି ସମୟରେ ରାୟଗଡା ମହିଳା ମହାବିଦ୍ୟାଳୟର ଛାତ୍ରୀ ଦୀପାଂଜଳି ନାୟକଙ୍କ ଗୋଡରେ କଢେଇରେ ଥିବା ଗରମ ତେଲ ପଡି ଯାଇଥିବା ବେଳେ ଠେଲାପେଲାରେ ଗୁଣପୁର ଥାୟରାମା ମହିଳା ମହାବିଦ୍ୟାଳୟର ଛାତ୍ରୀ ମେନକା ଶବର ଅଣନିଶ୍ୱାସୀ ହୋଇ ଗୁରୁତର ହୋଇପଡିଥିଲେ। ଉଭୟଙ୍କୁ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ବର୍ତମାନ ଛାତ୍ରୀ ଦୀପାଂଜଳିଙ୍କ ଗୋଡରେ ଗରମ ତେଲ ପଡିଥିବା ଯୋଗୁଁ ଭବିଷ୍ୟତରେ ଏହାର ସ୍ଥାୟୀ କ୍ଷତି ହେବାର ସମ୍ଭାବନା ରହୁଛି। ତେଣୁ ଏଥିରୁ ସ୍ପଷ୍ଟ ଯେ କାର୍ଯ୍ୟକ୍ରମର ଆୟୋଜକଙ୍କ ଦ୍ୱାରା ଅପରାଧିକ ଅବହେଳା ରହିଥିବା ବେଳେ ଦୁଇଟି ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ପକ୍ଷରୁ ମଧ୍ୟ ଅପରାଧିକ ଅବହେଳା ହୋଇଛି ବୋଲି ଉଲ୍ଳେଖ କରାଯାଇଛି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାୟଗଡା ଥାନା ଅଧିକାରୀ କେକେବିକେ କହଁରଙ୍କୁ ନିବେଦନ କରାଯାଇଛି। ଏହି ଏଫଆଇଆର ପ୍ରଦାନ ସମୟରେ ଓପିସିସି ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡା, ଜିଲ୍ଳା ଡିସିସି ଉପସଭାପତି ତଥା ମୁଖ୍ୟ ମୁଖପାତ୍ର ଶଙ୍କର୍ଷଣ ମଙ୍ଗରାଜ, ସୁନୀଲ ଚନ୍ଦ୍ର ପଣ୍ଡା, ସାଧାରଣ ସଂପାଦକ ପାର୍ଥ ବର୍ଦ୍ଧନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ।