ଗୋସିଙ୍ଗ ଦୈତ୍ୟଙ୍କ ଉପବନ ସୁନାମୁଖି ଶାନ୍ତିବନ: ଜମୁଛି ବଣଭୋଜିର ଆସର, ଆତ୍ମ ବିଭୋର ପର୍ଯ୍ୟଟକ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: ପୁରାଣ ବର୍ଣ୍ଣିତ ଅସୁର ରାଜ ଗୋସିଙ୍ଗ ଦୈତ୍ୟଙ୍କ ବନ ବିହାର ସ୍ଥଳ ‘ସୁନାମୁଖି ଶାନ୍ତିବନ’ ପିକନିକ ଋତୁରେ ଉତ୍ସବ ମୁଖର ହୋଇଉଠିଛି। ପ୍ରକୃତିର ନୈସର୍ଗିକ ଶୋଭା ସମ୍ଭାର ମଧ୍ୟରେ ଲୋକେ ଏଠାରେ ବଣଭୋଜି କରିବା ସହ ଏହି ବନର ଆରାଧ୍ୟ ଦେବୀ ସୁନାମୁଖିଙ୍କ ଦର୍ଶନ କରୁଛନ୍ତି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଦେଓଗାଁ ପଞ୍ଚାୟତର ମହଗାଁଠାରେ ରହିଛି ଐତିହାସିକ ସୁନାମୁଖି ଶାନ୍ତିବନ। ଏହାକୁ ଲାଗି ରହିଛି ନର୍ଲା ବ୍ଲକର ସୀମା। ପୂର୍ବେ ଏଠାରେ ଚୋର ଖଣ୍ଟଙ୍କ ପ୍ରାଦୁର୍ଭାବ ରହିଥିବାବେଳେ ମହଗାଁ ଗ୍ରାମବାସୀ ଓ ସୁନାମୁଖି ଶାନ୍ତିବନ କମିଟିର ଅକ୍ଲାନ୍ତ ପରିଶ୍ରମ ଫଳରେ ଏହି ସ୍ଥାନ ଏବେ ବିପଦମୁକ୍ତ ହେବାସହ ଏକ ରମଣୀୟ ଉପବନ ଭାବେ ଉଭା ହୋଇଛି। ସୁନାମୁଖି ଦେବୀଙ୍କ ଆସ୍ଥାନ ପରିସରରେ ଏକ କଲ୍ୟାଣ ମଣ୍ଡପ, ମଞ୍ଚ, ମହିମା ଆଶ୍ରମ ସହ ପାନୀୟ ଜଳର ସୁବ୍ୟବସ୍ଥା କରାଯାଇଛି। ଡିସେମ୍ବର ମାସରୁ ଏଠାରେ ଆରମ୍ଭ ହୋଇଥିବା ବଣଭୋଜି ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଏଠାକୁ ଆସି ବଣଭୋଜିର ମଜା ଉଠାଇବା ସହ ପ୍ରାକୃତିକ ପରିବେଶରେ କିଛି ସମୟ ଅତିବାହିତ କରୁଛନ୍ତି। ସୁନାମୁଖି ଶାନ୍ତିବନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାପାଇଁ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା କୈାଣସି ସୁଫଳ ମିଳି ପାରିନାହିଁ। ଅପରପକ୍ଷରେ ଏହି ସ୍ଥାନକୁ ଆସି ବଣଭୋଜିର ଭରପୁର ମଜା ନେବାପାଇଁ ପର୍ଯ୍ୟଟକମାନଙ୍କୁ ଅନୁରୋଧ କରିଛନ୍ତି ସୁନାମୁଖି ଶାନ୍ତିବନ କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ବୃନ୍ଦ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.