ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ଲାଲମନି କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ନାଗପୁର କରିମ୍ ସ୍ପୋର୍ଟିଂ ସୋନପୁର ଜିଲ୍ଲା କ୍ରିକେଟ୍ ସଂଘକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି । ଟି ୨୦ ମ୍ୟାଚରେ ନାଗପୁର ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ଓଭରରେ ନାଗପୁର ଦଳ ୬ ଉଇକେଟ୍ ହରାଇ ୧୩୫ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଆଶୁତୋଷ ସିଂହ ସର୍ବାଧିକ ୨୯ ବଲ୍ରେ ୫୧ ରନ୍ କରିଥିବା ବେଳେ ରକି ରାଜ ୨୪ ବଲ୍ରେ ୨୭ ରନ୍ କରିଥିଲେ। ସୋନପୁର ଦଳର ସୁମନ ମହାରଣା ଓ କେଜି କ୍ରିଷ୍ଣା ୨ଟି ଲେଖାଏଁ ଉଇକେଟ୍ ନେଇଥିଲେ ଏହାର ଜବାବରେ ସୋନପୁର ଦଳ ୯ ଉଇକେଟ୍ ହରାଇ ୧୧୧ ରନ୍ରେ ସିମୀତ ରହିଥିଲା। ଦଳ ପକ୍ଷରୁ ସୁରଜ ମହାପାତ୍ର ୨୮ ବଲ୍ରେ ୩୭ ରନ୍ ଓ କେ.ଗୋପାଳ କ୍ରିଷ୍ଣା ୧୪ ବଲ୍ରେ ୧୮ ରନ୍ କରିଥିଲେ । ସେହିପରି ଟି ୧୦ ମ୍ୟାଚରେ ନାଗପୁର ଦଳ ୫ ଉଇକେଟ୍ ହରାଇ ୧୦୦ ରନ୍ କରିଥିଲା। ଜବାବରେ ସୋନପୁର ଦଳ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ୍ ହରାଇ ୯୩ ରନ୍ କରିବାକୁ ସକ୍ଷମ ହୋଇଥିଲା । ନାଗପୁର ଦଳର ଆଶୁତୋଷ ସିଂହଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଘୋଷଣା କରାଯାଇଥିଲା। ସୋନପୁର ଥାନା ଆଇଆଇସି ପଦ୍ମାସିନୀ ମେହେର ଅତିଥି ଭାବେ ଯୋଗ ଦେଇ ଆଜିର ମ୍ୟାଚକୁ ଶୁଭାରମ୍ଭ କରିଥିଲେ । ଓସିଏ ସ୍ୱିକୃତି ପ୍ରାପ୍ତ ଅମ୍ପାୟାର ଅମିୟ ଭୂଷଣ ସାହୁ ଏବଂ ଶ୍ୟାମ ସୁନ୍ଦର ପଣ୍ଡା ମ୍ୟାଚ ପରିଚାଳନା କରିଥିଲେ । ସେହିପରି ଗତ କାଲି ଦ୍ବିତୀୟ ଦିନ ର ମ୍ୟାଚ୍ ରେ ସୁନ୍ଦରଗଡ଼ ନବ ଜୀବନ ଦଳ କୁ ସୁପର ଓଭର୍ ରେ ହରାଇ ଏମଏମସିସି ସମ୍ବଲପୁର ଦଳ ବିଜୟୀ ହୋଇ ପ୍ରଥମ ସେମି ଫାଇନାଲରେ ପ୍ରବେଶ କରିଛି। ବୁଧବାର ପ୍ରଥମ ସେମି ଫାଇନାଲ ଏମଏମସିସି, ସମ୍ବଲପୁର ଓ କରିମ୍ ସ୍ପୋର୍ଟିଂ, ନାଗପୁର ମଧ୍ୟରେ ଅନୁଷ୍ଠିତ ହେବାର ଅଛି।