ମାଳି ଚଗା ସହ ଶେଷ ହେଲା ଆଦିବାସୀଙ୍କ ପୌଷ ପର୍ବ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ମାଳି ଚଗା ଏବଂ ରାଜାରାଣୀ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ ପୌଷ ପର୍ବ। ବୁଧବାର ଥୁଆମୂଳ ରାମପୁର ବ୍ଲକ ହେଲୋ ପଏଣ୍ଟ ଠାରେ ରାଜାରାଣୀ ଝାମୁଯାତ୍ରା ଏବଂ ମାଳିଚଗା ସହିତ ସମ୍ପନ୍ନ ହୋଇଯାଇଛି ଚଳିତ ବର୍ଷ ପୌଷ ପର୍ବର ଅନ୍ତିମ ଉତ୍ସବ। ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁଲୋକଙ୍କ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା।ହେଲୋ ପଏଣ୍ଟ ରାଜାରାଣୀ ଉତ୍ସବ କମିଟି କୋଷାବରା ଦ୍ବାରା ଆୟୋଜିତ ଏହି ଉତ୍ସବ ଶାନ୍ତି ଶୃଙ୍ଖଳାର ସହିତ ଉଦଯାପିତ ହୋଇଥିଲା। ଆଦିବାସୀଙ୍କ ମହାନ ପର୍ବ “ଟୋକିମରା” ପରବ୍ ପାଳନ ଅବସରରେ ବର୍ଷର ବିଭିନ୍ନ ସମୟରେ ପର୍ଯ୍ୟାୟ କ୍ରମେ ପାରମ୍ପରିକ ରୀତିନୀତି ଅନୁଯାୟୀ ଭିନ୍ନ ଭିନ୍ନ ଉତ୍ସବ ପାଳନ କରୁଥିବାର ଦେଖାଯାଇଥାଏ। ମୁଖ୍ୟ ପର୍ବ “ଟୋକିମରା” ଉତ୍ସବ ପରେ ଅନ୍ତିମ ପର୍ଯ୍ୟାୟରେ ବାଲିପଟା, ଧାଙ୍ଗଡି ଝୁଲା ଏବଂ ଧାଙ୍ଗଡି ଦେଖା ଭଳି ଉତ୍ସବ ପାଳନ ହୋଇଥାଏ। ହେଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ହେଲୋ ପଏଣ୍ଟ ଠାରେ ଦୀର୍ଘ ୨୦ ବର୍ଷ ହେବ ପୌଷ ପର୍ବର ଶେଷ ଉତ୍ସବ ଭାବେ ଏହି ଉତ୍ସବ ପାଳନ ହେଇ ଆସୁଛି। ରାଜାରାଣୀ ଝାମୁଯାତ୍ରା ବା ମାଳିଚଗା ଉତ୍ସବ ଭାବେ ପାଳନ ହେଇ ଆସୁଥିବା ଏହି ଉତ୍ସବରେ ସ୍ଥାନୀୟ ରାଜା ଏବଂ ରାଣୀ ନାମକ ଦୁଇ ପାହାଡକୁ ପୂଜା କରାଯାଇଥାଏ। ଏହି ଅବସରରେ ଉକ୍ତ ସ୍ଥାନରେ ସ୍ଥାନୀୟ ଦେବାଦେବୀଙ୍କ ଆସ୍ଥାନରେ ପୂଜାର୍ଚ୍ଚନା କରାଯାଇଥାଏ।ସେଠାରେ ଦେବୀଙ୍କ କାଳିସି ଲାଗି ହେଲା ପରେ କଣ୍ଟା ଦୋଳିରେ ଝୁଲି ଥାଆନ୍ତି ଏବଂ ପରେ ଅଗ୍ନି ପରୀକ୍ଷା ପାଇଁ ନିଆଁରେ ଚାଲିଥାଆନ୍ତି। ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁଲୋକଙ୍କ ସମାଗମ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.