ଦ୍ୱିତୀୟ ଦିବସରେ ବିଶ୍ୱନାଥପୁର ଧନୁଯାତ୍ରା ମହୋତ୍ସବ

ଇନ୍ଦୁମତୀ ହରଣ, ଦୁର୍ମିଳାସୁର ବଧ ଓ ଅଷ୍ଟମଲ୍ଲ ପ୍ରାପ୍ତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମହାରାଜ ଉଗ୍ରସେନଙ୍କ ସୁଶାସନରେ ଉତ୍‌ଫୁଲ୍ଲିତ ଅଛନ୍ତି ସମଗ୍ର ମଥୁରାବାସୀ। ନାଚଗୀତ, ହର୍ଷୋଲ୍ଲାସରେ ପ୍ରଜା ପ୍ରତିପାଳିତ ହେଉଥିବାବେଳେ ଉଗ୍ରସେନ ରାଜା ପୁତ୍ରେଷ୍ଟି ଯଜ୍ଞର ଆୟୋଜନ ସହିତ ରାଜ ଦରବାରରେ ଭାଗବତ, ହରିବଂଶ ଭଳି ଧର୍ମଶାସ୍ତ୍ର ଚର୍ଚ୍ଚା କରିଛନ୍ତି। ସେହିପରି ନିଜର ବଂଶଚରିତ ଶ୍ରବଣ କରି ସେ ପାତ୍ରମନ୍ତ୍ରୀଙ୍କୁ ପୁରସ୍କୃତ କରିଛନ୍ତି। ନ୍ୟାୟ, ଧର୍ମ ଓ ଶାସ୍ତ୍ରାର୍ଥ ବଳରେ ପ୍ରଜା ପାଳୁଥିବାବେଳେ ରାଜ୍ୟ ଉପରେ ସଂକଟ ପଡ଼ିଛି। ମଥୁରା ରାଜ୍ୟ ଉପରେ ଆକ୍ରମଣ କରି ମହାରାଣୀ ଇନ୍ଦୁମତୀଙ୍କୁ ବଳପୂର୍ବକ ଅପହରଣ କରିନେଇଛି ଦୁର୍ମିଳାସୁର। ମହାରାଣୀଙ୍କ ଅପହରଣ ପରେ ସମଗ୍ର ମଥୁରା କଟକରେ ଭାଳେଣି ପଡ଼ିଛି। ଏଇ ସମୟରେ ଯୁବରାଜ କଂସ ଦେଖାଇଛନ୍ତି ନିଜର ଅମିତ ପରାକ୍ରମ। ମହର୍ଷି ନାରଦଙ୍କ ପରାମର୍ଶ କ୍ରମେ ଦୁରାଚାରୀ ଦୁର୍ମିଳାସୁରକୁ ବଧ କରିବା ସହିତ ମହାରାଣୀ ଇନ୍ଦୁମତୀଙ୍କୁ ଉଦ୍ଧାର କରିଛନ୍ତି। ସେହିପରି ନିଜର ବାହୁବଳ ବୃଦ୍ଧି ପାଇଁ ଅଙ୍ଗିରା ନଦୀ କୂଳ ବିଜୟବନରେ ଘୋରତପସ୍ୟା କରିବା ସହିତ ବ୍ରହ୍ମାଙ୍କ ବରରେ ବଳୀୟାନ ହୋଇଛନ୍ତି। ଏହାସହିତ ଅଷ୍ଟମଲ୍ଲ ପ୍ରାପ୍ତି ହେବାପରେ ମଥୁରା ସିଂହାସନ ଦଖଲ କରିବାକୁ ସେ ମନ୍ତ୍ରଣା ଆରମ୍ଭ କରିଛନ୍ତି। ଅଷ୍ଟମ ବର୍ଷରେ ପଦାର୍ପଣ କରିଥିବା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଧନୁଯାତ୍ରା ମହୋତ୍ସବର ଏହିସବୁ ଦୃଶ୍ୟକୁ ହଜାରହଜାର ଦର୍ଶକ ବିଳମ୍ବିତ ରାତିଯାଏଁ ଉପଭୋଗ କରିଥିଲେ। ଧନୁଯାତ୍ରା ଦ୍ୱିତୀୟ ସନ୍ଧ୍ୟାରେ ରାଜ ଦରବାରରେ ରାଜଅତିଥି ଭାବେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର, ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସଭାପତି କୈଳାସ ସାହୁ, ବରିଷ୍ଠ ନାଗରିକ ରଘୁବୀର ନାଗ, କ୍ରୁଷ୍ଣଚନ୍ଦ୍ର ଘଡ଼େଇ, ସୁପ୍ରଭା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ରାଜ ଦରବାରରେ ସଭାକାର୍ଯ୍ୟ ପରିଚାଳନା କରିଥିଲେ କିଶୋର କୁମାର ଘଡ଼େଇ। ଧନୁଯାତ୍ରା ପରିଚାଳନା କମିଟିର ସଭାପତି ଅନନ୍ତ ପ୍ରଧାନୀ, କାର୍ଯ୍ୟକାରୀ ସଭାପତି ଅଚ୍ୟୁତାନନ୍ଦ ଘଡ଼େଇ, ଉପସଭାପତି ମୀନକେତନ ଦଳେଇ, ସାଧାରଣ ସମ୍ପାଦକ ମନୋରଞ୍ଜନ ବିଶି, ଯୁଗ୍ମ ସଂପାଦକ ତରୁଣ କୁମାର ଦାସ, କ୍ଷୀରସିନ୍ଧୁ ସାହୁ, କୋଷାଧ୍ୟକ୍ଷ ମନମୋହନ ନାଏକ ଏବଂ କମିଟିର ଅନ୍ୟାନ୍ୟ ସଦସ୍ୟ, ଉପଦେଷ୍ଟା ପ୍ରମୁଖ ଉପସ୍ଥିତ ଥିଲେ। କୋହଲା ପାଗ ସତ୍ତ୍ୱେ ଆଜି ଦ୍ୱିତୀୟ ଦିନରେ ପ୍ରବଳ ଜନସମାଗମ ହୋଇଥିବାବେଳେ ମୀନାବଜାର, ମୌତ୍ କା କୁଆଁ, ଫୁଡବଜାର ଆଦି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.