ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି : ଦୂର୍ଲଭ ହାତୀବେଶରେ ଭକ୍ତଜନଙ୍କୁ ଦର୍ଶନ ଦେବେ ମହାପ୍ରଭୂ

ପୁରୀ,୧୭/୬ : ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ପର୍ବ ମହୋତ୍ସବ ମଧ୍ୟରୁ ଦେବସ୍ନାନ ପୂର୍ଣ୍ଣ୍ଣିମା ବେଶ ଗୁରୁତ୍ବ ବହନ କରେ । ଆଜି ହେଉଛି ସେହି ଦେବସ୍ନାନ ପୂର୍ଣ୍ଣିମା । ଭକ୍ତ ଭାବରେ ବନ୍ଧା ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହ ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇ ଆସିବେ । ସେଠାରେ ସ୍ନାନ ନିତି ସମାପନ କରି ହାତୀ ବେଶରେ ଭକ୍ତଜନ ମାନଙ୍କୁ ଦର୍ଶନ ଦେବେ ।ପ୍ରତିଦିନ ବିମ୍ବ (ଆଇନା) ସ୍ନାନ କରୁଥିବା ଚତୁର୍ଦ୍ଧାମୂର୍ତ୍ତି ଆଜି ପ୍ରତ୍ୟକ୍ଷ ସ୍ନାନ କରିବେ। ଶ୍ରୀମନ୍ଦିରର ନିତି ଅନୁସାରେ ପରଂପରା ଅନୁକ୍ରମେ ସୁନା ଗୋସେଇଁ ପରିବାରର ସେବାକାରୀ ମାନେ ସୁନା କୂଅରୁ ୧୦୮ ଗଡୁ ପବିତ୍ର ପାଣିଆଣି ଜଳଗୃହରେ ରଖିବେ। ଚୁଆ, ଚନ୍ଦନ, କର୍ପୂର ଆଦି ପକାଯାଇ ଜଳକୁ ଅଧିବାସ କରାଯିବ। ଅଧିବାସ ଗୃହରୁ ୧୦୮ ଗଡୁ ଜଳ ନେଇ ୪ଟି ପନ୍ତିରେ ସ୍ନାନବେଦିରେ ରଖାଯିବ। ଜଳପୂଜା ପରେ ମହାପ୍ରଭୁଙ୍କ ସ୍ନାନନୀତି ସମ୍ପନ୍ନ ହେବ। ଶ୍ରୀବଳଭଦ୍ର ୩୦ଗଡୁ, ସୁଭଦ୍ରା ୨୭ଗଡୁ, ଶ୍ରୀଜଗନ୍ନାଥ ୩୩ଗଡୁ ଏବଂ ସୁଦର୍ଶନ ୧୮ଗଡୁ ଜଳରେ ସ୍ନାନ କରିବେ। ଗଜପତି ମହାରାଜା ଛେରାପହଁରା ନୀତି ସମ୍ପନ୍ନ କରିବା ପରେ ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶ ଅନୁଷ୍ଠିତ ହେବ। ଏହି ବେଶ ଥାଇ ଘଣ୍ଟଛତା ସକାଳ ଧୂପ ଭୋଗ ସମ୍ପନ୍ନ ହେବ। ଏହାପରେ ସନ୍ଧ୍ୟା ସାଢେ ୭ଟାରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ହାତୀବେଶ ଥାଇ ମହାପ୍ରଭୁଙ୍କ ସାହାଣମେଲା ଦର୍ଶନ ଚାଲିବ। ସାହାଣ ମେଲା ଦର୍ଶନ ସରିବା ପରେ ପୁଷ୍ପାଞ୍ଜଳି ଓ ଡୋର ଲାଗି ହେବ। ଏହାପରେ ମହାପ୍ରଭୁ ସ୍ନାନବେଦିରୁ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିବେ। ବିଳମ୍ବିତ ରାତିରେ ଆରମ୍ଭ ହେବ ଅଣସର ନୀତି। ଜ୍ୱରରେ ପଡିବେ ମହାପ୍ରଭୁ। ଏହାପରେ ଉପଶମ ପାଇଁ ଚାଲିବ ଉପଚାର। ମହାପ୍ରଭୁ ସୁସ୍ଥ ହୋଇ ଆସନ୍ତା ୨ ତାରିଖରେ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ୪ ତାରିଖରେ ରଥରେ ବସି ଯିବେ ଗୁଣ୍ଡିଚାମନ୍ଦିର । ମହାପ୍ରଭୂଙ୍କ ସ୍ନାନଯାତ୍ରା ଦେଖିବାପାଇଁ ପୁରୀରେ ପ୍ରବଳ ଜନ ସମାଗମ ପରିଳକ୍ଷିତ ହେଉଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

 

For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.