ଫକୀର ମୋହନ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେଲା ଓଡ଼ିଶା ଗଣିତ ସଂସଦର ୫୧ତମ ବାର୍ଷିକ ଅଧିବେଶନ

ଯୋଗ ଦେବେ ଦେଶ ବିଦେଶର ପ୍ରତିଷ୍ଠିତ ୧୨ ଜଣ ଗଣିତଜ୍ଞ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗ ଦ୍ବାରା ଆୟୋଜିତ ତଥା ଓଡ଼ିଶା ଗାଣିତିକ ସମାଜ ସହଯୋଗରେ, ଓଡ଼ିଶା ଗାଣିତିକ ସମାଜ ( ଓ.ଏମ.ଏସ୍)ର ୫୧ତମ ବାର୍ଷିକ ସମ୍ମିଳନୀ ଏବଂ ତଥ୍ୟ ବିଜ୍ଞାନର ସାମ୍ପ୍ରତିକ ବିକାଶ ଉପରେ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ଏଥରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସଭାପତିତ୍ବ କରିଥିଲେ।

ବିଶ୍ବବିଦ୍ୟାଳୟର ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକଙ୍କ ସହ ଉପସ୍ଥିତ ପ୍ରମୁଖ ଅତିଥିମାନଙ୍କ ମଧ୍ଯରେ ଓ.ଏମ୍.ଏସ୍.ର ସଚିବ ପ୍ରଫେସର ସବ୍ୟସାଚୀ ପାଣି ବାର୍ଷିକ ରିପୋର୍ଟ ଉପସ୍ଥାପନା କରିଥିଲେ। ସେହିଭଳି ଓ.ଏମ୍.ଏସ୍.ର ପ୍ରେସିଡେଣ୍ଟ ପ୍ରଫେସର ପ୍ରମୋଦ କୁମାର ଦାସ ଏହି ଅଧିବେଶନର ମୂଳ ଉଦ୍ଦେଶ୍ଯ ସଂପର୍କରେ ଆଲୋକପାତ କରିବା ସହ ଗଣିତ ସହ ସାହିତ୍ୟ ଏବଂ ସଂଗୀତର ସଂପର୍କକୁ ନେଇ ଏକ ସମ୍ଯକ ଆଲୋଚନା କରିଥିଲେ।

କୁଳପତି ପ୍ରଫେସର ତ୍ରିପାଠୀ ନିଜ ଅଭିଭାଷଣରେ ଏହି କାର୍ଯ୍ୟକ୍ରମରେ ଗଣିତ ପ୍ରେମୀ ମାନେ ବିଶେଷ ଉପକୃତ ହେବାର ସୁଯୋଗ ଲାଭ କରିବେ ବୋଲି ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ ଗଣିତର ସାମ୍ପ୍ରତିକ ବ୍ଯବହାର ଓ ବିକାଶର ସମୀକ୍ଷା ଦ୍ବାରା ଏହାର ସଂପ୍ରସାରିତ ଜ୍ଞାନ ଆହରଣ କରାଯାଇପାରିବ ବୋଲି ମତପ୍ରକାଶ କରିଥିଲେ।

ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଦେଶ ବିଦେଶର ପ୍ରତିଷ୍ଠିତ ୧୨ ଜଣ ଗଣିତଜ୍ଞ ଯୋଗଦେଇ ସେମାନଙ୍କର ଗବେଷଣାର ବକ୍ତୃତା ଉପସ୍ଥାପନ କରିବେ । ପ୍ରଥମ ଦିନର କାର୍ଯ୍ୟକ୍ରମରେ ପ୍ରଫେସର ରାଧାନାଥ ମହାପାତ୍ର (ୟୁଏସଏ) ଓ ପ୍ରଫେସର ତପନ କୁମାର ଗାନ୍ଧୀ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଏଥିସହ ପ୍ରଫେସର ଗୋକୁଳାନନ୍ଦ ଦାସ, ପ୍ରଫେସର ଯଶୋବନ୍ତ ଜେନା, ପ୍ରଫେସର ଅକ୍ଷୟ କୁମାର ଓଝା, ପ୍ରଫେସର ସୁଦର୍ଶନ ପାଢୀ, ଡ଼କ୍ଟର ଯଯାତି କେଶରୀ ସାହୁ, ଡ଼କ୍ଟର ଜବନ ମେହେର, ପ୍ରଫେସର ପ୍ରତିମା ପାଣିଗ୍ରାହୀ, ପ୍ରଫେସର ଗୀତାଞ୍ଜଳି ପଣ୍ଡା, ପ୍ରଫେସର ଚନ୍ଦ୍ର କୁମାର ଦାଶ, ପ୍ରଫେସର ପ୍ରଶାନ୍ତ କୁମାର ରାୟ ପ୍ରମୁଖଙ୍କ ଗଣିତର ବିଭିନ୍ନ ବିଷୟଗୁଡ଼ିକୁ ନେଇ ନିଜର ଉଦବୋଧନ ଓ ଉପସ୍ଥାପନା କରିଥିଲେ। ଏଥିସହ ୫୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ନିଜର ଗବେଷଣା ସନ୍ଦର୍ଭ ଉପସ୍ଥାପନ କରିବାର କାର୍ଯକ୍ରମ ରହିଛି। ଏହି ଅବସରର ୨୦୨୨ର କନିଷ୍ଠ ଗଣିତ ଅଲମ୍ପିଆଡ ( ଜେଏମଓ) ରେ ଉପକୃତ ଛାତ୍ରଛାତ୍ରୀଙ୍କ ମଧ୍ଯରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଅନିମେଶ ହଳଦରଙ୍କୁ ପ୍ରଥମ ଓ କୁମାରୀ ଆଦ୍ରୀକା ସରଙ୍କୁ ଦ୍ବିତୀୟ ପୁରସ୍କାର ପ୍ରଦାନ କରାଯାଇଛି ।

୨୦୨୨-୨୩ ଶିକ୍ଷାବର୍ଷ ପାଇଁ କୁମାରୀ ସୁନିତା କରଙ୍କୁ ପ୍ରଫେସର ବାମାଚରଣ ଦାସ ଶ୍ରେଷ୍ଠ ଗଣିତ ସମ୍ମାନ ପୁରସ୍କାର ଦିଆଯାଇଛି। ଆଜିର ପ୍ରାରମ୍ଭିକ କାର୍ଯ୍ୟକ୍ରମ ସହ ବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ୬ ଜଣ ମନୋନୀତ ଗଣିତ ଶିକ୍ଷକ ଯଥା ସଂଜୟ କୁମାର ମହାନ୍ତି, ନୃସିଂହ ଚରଣ ନାୟକ, ଜଗନ୍ନାଥ ପ୍ରସାଦ ଦେବତା, ବୁଦ୍ଧିରାଜ ପ୍ରଧାନ,ଦିବାକର ଦାସ, ରାମଚନ୍ଦ୍ର ନାୟକ ଙ୍କୁ ମଧ୍ଯ ସମ୍ମାନୀତ କରାଯାଇଛି। ଦେଶର ପ୍ରମୁଖ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଓ ଦିଲ୍ଲୀ, ଖଡଗପୁର ସ୍ଥିତ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଗୁଡିକର ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଯୋଗଦାନ ଦେଇ ଏହି ଅଧିବେଶନର ଆଭିମୁଖ୍ଯକୁ ବିଶେଷ ପ୍ରଶଂସା କରିଛନ୍ତି। ଏହି ଅବସରରେ ‘ସୋଭେନିୟର’ ପୁସ୍ତିକା, ‘ଅଭିନବ ଗଣିତ ବିଚିତ୍ରା’, ଓଏମଏସର ଜର୍ନାଲ, ଓ ‘ଗଣିତ ସାହିତ୍ୟର ସାଧକ’ ନାମିତ ଚାରିଗୋଟି ପୁସ୍ତିକାର ଉନ୍ମୋଚନ କରାଯାଇଛି। ବିଶ୍ବବିଦ୍ୟାଳୟର ଗଣିତ ବିଭାଗର ମୁଖ୍ଯଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଏହି ଦୁଇଦିନିଆ ଜାତୀୟ ଅଧିବେଶନରେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମକୁ ଡ଼କ୍ଟର ଗୌରାଙ୍ଗ ଚରଣ ସାମନ୍ତ ସଂଯୋଜନା କରିଥିଲେ ଓ ସଂଗଠିତ ସଚିବ ଡ଼କ୍ଟର ଅମିତ କୁମାର ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.