ମାର୍ଚ୍ଚ ୫ରେ ନର୍ଲା ଲୋକୋମୋଟିଭ କାରଖାନାର ଶିଳାନ୍ୟାସ

ବିଭିନ୍ନ ଅନୁଷ୍ଠାନ ଓ ବୁଦ୍ଧିଜୀବୀ ମହଲରୁ ମୋଦୀଙ୍କୁ ଶୁଭେଚ୍ଛା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ପ୍ରସ୍ତାବିତ ଲୋକୋମୋଟିଭ କାରଖାନାର ଭୂମି ପୁଜନ ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସୁଥିବା ବେଳେ ବିଭିନ୍ନ ପ୍ରକଳ୍ପର ଉଦ୍ଗାଟନ ଓ ଶିଳାନ୍ୟାସ ଭଳି କାର୍ଯ୍ୟକ୍ରମ ମାନ ରହିଛି। ସେଥି ମଧ୍ୟରେ ନର୍ଲା ବାସୀଙ୍କ ବହୁ ପ୍ରତିକ୍ଷିତ, ସ୍ୱପ୍ନର ଲୋକୋମୋଟିଭ କାରଖାନାର ଭର୍ଚୁଆଲ ମୋଡରେ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦୀ। କଳାହାଣ୍ଡିବାସୀଙ୍କୁ ମୋଦୀଙ୍କ ଏହା ଏକ ବଡ ଉପହାର। ଏ ଖବର ପ୍ରସାରିତ ହେବାପରେ ନର୍ଲାରେ ଖୁସିର ଲହରୀ ଖେଳିଯାଇଛି। ଦୀର୍ଘ ୧୩ ବର୍ଷର ଲଢେଇ ପରେ ନର୍ଲାରେ ଲୋକୋମୋଟିଭ ୱାର୍କସପ ପାଇଁ ଭୂମି ପୂଜନ ହେବାକୁ ଯାଉଛି । ଉପା ସରକାରଙ୍କ ତତ୍କାଳୀନ ରେଳବାଇ ମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜି ୨୦୧୦/୧୧ ରେ ଘୋଷଣା କରିଥିଲେ ଓଡିଶା କଳାହାଣ୍ଡି କିମ୍ବା ଭୂବନେଶ୍ୱରରେ ରେଳ ୱାଗନ ମରାମତି କାରଖାନା ଓ ଏଥିପାଇଁ ୨୦୧୦ ମସିହା ଫେବୃୟାରୀ ମାସର ବଜେଟରେ ୧୮୬ କୋଟି ଟଙ୍କା ଏହି ପ୍ରକଳ୍ପ ପାଇଁ ମଞ୍ଜୁର କରାଯାଇଥିଲା । ହେଲେ ୨୫୦ ଏକର ଜମିର ଆବଶ୍ୟକତା ହେତୁ ଏଥିପାଇଁ ବାଧା ଉପୁଜିଥିଲା। କଳାହାଣ୍ଡି ଜିଲ୍ଲାର ନର୍ଲାର ଚପଟଖଣ୍ଡା ଠାରେ ଶେଷରେ ବିଦ୍ୟୁତ ଚାଳିତ ରେଳ ଇଞ୍ଜିନ ମରାମତି ୱାର୍କସପ ପାଇଁ ସ୍ଥିର କରାଯାଇ ଜମି ଅଧିଗ୍ରହଣ ପ୍ରକ୍ରୀୟା ମଧ୍ୟ ସରିଯାଇଛି। ନର୍ଲାରେ ପ୍ରସ୍ତାବିତ ଏହି ଲୋକୋମୋଟିଭ କାରଖାନା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ତତ୍କାଳୀନ କଳାହାଣ୍ଡି ସାଂସଦ ଭକ୍ତଚରଣ ଦାସଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ କଳାହାଣ୍ଡିରୁ ରେଳୱାଗନ କାରଖାନା ସ୍ଥାନାନ୍ତର ସମୟରେ ଜିଲ୍ଲାର ଅନେକ ଅନୁଷ୍ଠାନ ସଙ୍ଗଠିତ ହୋଇ ଏଥିପାଇଁ ଦୀର୍ଘ ୧୨ ବର୍ଷ ଧରି ଲଢେଇ କରି ଆସୁଥିଲେ। ଗତ ୨୦୧୭/୧୮ରେ ତତ୍କାଳୀନ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ବଜେଟରେ ପୁଣି ୧ କୋଟି ଟଙ୍କା ମଞ୍ଜୁର କରିବା ପରେ ପୁଣିଥରେ ଉଦ୍‌ଜୀବିତ ହୋଇଥିଲା କଳାହାଣ୍ଡିରେ ରେଳୱାଗନ କରାଖାନାର ଆଶା। ସେବେଠୁଁ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଲଢେଇ ଆରମ୍ଭ କଲେ। ରାସ୍ତା ରୋକ, ରେଳ ରୋକ, ଗଣ ଧାରଣା, ପ୍ରତିବାଦ ସଭା ଭଳି କାର୍ଯ୍ୟକ୍ରମ ମାନ ଚାଲିଲା। ଶେଷରେ ନର୍ଲାର ଚପଟଖଣ୍ଡା ଠାରେ ବିଦ୍ୟୁତ ଚାଳିତ ରେଳ ଇଞ୍ଜିନ ମରାମତି ୱାର୍କସପ ପାଇଁ ସ୍ୱିକୃତି ମିଳିଲା। ୨୦୨୨ ଓ ୨୦୨୩ ରେ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପନ୍ନ ହେଲା। ଶେଷରେ କଳାହାଣ୍ଡି ବାସୀଙ୍କ ସ୍ୱପ୍ନ ସାକାର ହୋଇଛି। ନର୍ଲାରେ ଖୁସିର ଲହରୀ ଖେଳିଯାଇଛି। ନର୍ଲାରେ କାରଖାନା ଗଢି ଉଠିଲେ ଅଞ୍ଚଳର ବିକାଶ ସାଧିତ ହେବ। ବାଣିଜ୍ୟ, ବ୍ୟବସାୟ ଚାଲିବ। ଲୋକଙ୍କ ଆର୍ଥିକ ସ୍ୱଚ୍ଛଳତା ଆସିବ। ଏହି ଯୁଗାନ୍ତକାରୀ ପଦକ୍ଷେପ ପାଇଁ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ନାଏକ, ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ, ଜିଲ୍ଲା ବିଜେପି ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ଜିଲ୍ଲା ଉପସଭାପତି ଭବେନ୍ଦ୍ର ପଣ୍ଡା, ପୂର୍ବତନ ମନ୍ତ୍ରୀ ହିମାଂଶୁଶେଖର ମେହେରଙ୍କ ସମେତ ଜିଲ୍ଲାର ଅନେକ ଅନୁଷ୍ଠାନ ଓ ବୁଦ୍ଧିଜୀବୀ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.