ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗ୍ରାମ ପଞ୍ଚାୟତର ଅସୁରଗଡ ସାଗରରେ ଜନୈକ ବ୍ୟକ୍ତିଙ୍କ ଶବ ଭାସୁଥିବାର ଦେଖିବାକୁ ମିଳିଛି । ଅସୁରଗଡ କେଇ ଜଣ ଚାଷୀ ରବି ଧାନ ଫସଲରେ ପାଣି ମଡେଇବା ପାଇଁ ସକାଳୁ ସାଗରର ହୁଡା ଦେଇ ଯାଉଥିବା ବେଳେ ପାଣିରେ ଜଣେ ଲୋକର ଶବ ଭାସୁଥିବା ଦେଖି ଗ୍ରାମର କିଛି ଯୁବକଙ୍କୁ ଏ ପ୍ରସଙ୍ଗ କହିବା ପରେ ଯୁବକମାନେ ନର୍ଲା ପୋଲିସକୁ ଫୋନ କରିଥିଲେ । ଏପଟେ ଶବ ଭାସୁଥିବାର ଖବର ପାଇ ମାଣ୍ଡେଲ ଗ୍ରାମର ଭୁଜନ୍ଦ୍ରଙ୍କ ପରିବାରର ଲୋକେ କାନ୍ଦ ବୋବାଳି କରି ସାଗର ନିକଟରେ ପହଞ୍ଚି ଭୂଜନ୍ଦ୍ରକୁ ଚିହ୍ନିଥିଲେ । ଶବଟି ମୁହଁମାଡି ପାଣିରେ ଭାସୁଥିବାରୁ ପ୍ରଥମେ ଲୋକେ ଶବକୁ ଚିହ୍ନଟ କରିପାରି ନଥିଲେ । ଖବର ପାଇ ନର୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ମାନସିକ ଭାରସାମ୍ୟ ହରାଇ ମାଣ୍ଡେଲ ଗ୍ରାମର ଭୁଜନ୍ଦ୍ର ସେନାପତି (୬୨) କୁଆଡେ ଚାଲିଯାଇଥିଲେ । ଘର ଲୋକେ ବହୁତ କୋଜାଖୋଜି ପରେ ନର୍ଲା ଥାନାରେ ମିସିଂ ରିପୋର୍ଟ ମଧ୍ୟ ଲେଖାଇଥିବା ଖବରରରୁ ଜଣାପଡିଛି । ଶବଟି ବହୁତ ଦୁର୍ଗନ୍ଧ ହେଉଥିରୁ ଭୁଜନ୍ଦ୍ର ଦୁଇ/ତିନି ଦିନ ତଳେ ପାଣିରେ ବୁଡିଯାଇ ମୃତ୍ୟୁ ବରଣ କରିଥିବା ପୋଲିସ ସନ୍ଦେହ କରୁଛି । ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି କହିଛି ପୋଲିସ ।