ବେଣ୍ଟକାର ଉପ ଡାକଘର ଉପଭୋକ୍ତା ଖରା ବର୍ଷାରେ

ଓଡ଼ିଆ ବାର୍ତ୍ତା/ କଟକ: ସର୍ବ ପୁରାତନ ବେଣ୍ଟକାର ଉପ ଡାକଘରେ ଥିବା ମୁଖ୍ୟ କାଉଣ୍ଟର ପରିସୀମା ଅତୀବ ସଂକୀର୍ଣ୍ଣ। ସେ ସ୍ଥାନରେ ଅଜିତ୍ କୁମାର ମହାନ୍ତି, ମିର୍ଜା କରିବ୍ ବେଗ୍, ଲଲାଟେନ୍ଦୁ ପରିଡ଼ା, ଅନନ୍ତ ବେହେରା ଓ ତୃପ୍ତି ରଞ୍ଜନ ଦାସ ଏହି ପାଞ୍ଚ ଜଣ ପୋଷ୍ଟଲ୍ ଏଜେଣ୍ଟ ଓ ମାତ୍ର ଚାରି ପାଞ୍ଚ ଜଣ ଉପଭୋକ୍ତା ଠିଆ ହୋଇ ପାରିବେ। ସେଥିରେ ପୁଣି ପ୍ରଶାସନିକ ନିର୍ଦ୍ଦେଶ କ୍ରମେ ୨୦୧୭ ମସିହାରୁ ଝାରକଟା ଶାଖା ଡାକଘରକୁ ବେଣ୍ଟକାର ଉପ ଡାକଘରକୁ ଉଠାଇ ନିଆଯାଇଛି। ସେବେଠାରୁ ଝାରକଟା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଝାରକଟା, ମଣିବାଡ, ପଟଣା, ନହରପଦା, ଅଇନି, ଗୋବିନ୍ଦପୁର ଓ ଶିଶୁଆ ଗ୍ରାମର ଉପଭୋକ୍ତା ମାନେ ବେଣ୍ଟକାର ଉପ ଡାକଘର ଆସୁଛନ୍ତି। ବେଣ୍ଟକାର ଉପ ଡାକଘର ଦକ୍ଷିଣ ପଟ ଝରକା ପଟେ ଖୋଲା ଆକାଶ ତଳେ ଝାରକଟା ଶାଖା କାଉଣ୍ଟର ଚାଲୁଅଛି। ଉପଭୋକ୍ତା ମାନେ ବର୍ଷ ବର୍ଷ ଧରି ଖରା ବର୍ଷା ଖାଉଛନ୍ତି। ଡାକଘରକୁ ଲାଗି ପର୍ଯ୍ୟାପ୍ତ ସରକାରୀ ଜାଗା ଅଛି। ଉପଭୋକ୍ତାଙ୍କ ପାଇଁ ଏକ ସେଡ୍ ନିର୍ମାଣ କରିବା ଦାଵୀକୁ ବିଭାଗୀୟ ଅଧିକାରୀ ଆଦୌ କର୍ଣ୍ଣପାତ କରୁ ନାହାନ୍ତି। ଉପଭୋକ୍ତାଙ୍କ ପାଇଁ ତୁରନ୍ତ ଏକ ସେଡ୍ ନିର୍ମାଣ କରିବାକୁ ୪୨ମୌଜା ବିକାଶ ପରିଷଦ ଉପଦେଷ୍ଟା ତଥା ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା ବିଭାଗୀୟ ଅଧିକାରୀଙ୍କ ଠାରେ ଦୃଢ଼ ଦାବୀ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.