ନୂଆଗାଁ ପଞ୍ଚାୟତରେ ଜନତା ପକାଇଲେ ତାଲା; ବଣ୍ଟନ ବ୍ୟବସ୍ଥା ନିଜ ପଞ୍ଚାୟତକୁ ହସ୍ତାନ୍ତର ଦାବୀ, ଧାରଣାରେ ପଞ୍ଚାୟତବାସୀ

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): କଲମପୁର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟକୁ ସାଧାରଣ ବଣ୍ଟନ ବ୍ୟବସ୍ଥା ହସ୍ତାନ୍ତରରେ ବିଳମ୍ବତା ହେତୁ ପଞ୍ଚାୟତ ବାସୀ ଉତ୍ତେଜିତ ହୋଇ ସୋମବାର ତାଲା ବନ୍ଦ କରି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି l ସୂଚନାମୁତାବକ ନୂଆ ଗାଁ ପଞ୍ଚାୟତ ପୂର୍ବରୁ ମଣ୍ଡଳ ପଞ୍ଚାୟତରେ ସାମିଲ ରହିଥିଲା l ଏହି ପଞ୍ଚାୟତ ବିଭାଜନ ହୋଇ ଦୀର୍ଘ ୭ ବର୍ଷ ହେଲାଣି l ବଣ୍ଟନ ବ୍ୟବସ୍ଥା ପାଇଁ ସରକାରୀ ଅନୁଦାନରୁ ଏକ ଗୋଦାମ ଘର ମଧ୍ୟ ନିର୍ମାଣ ହୋଇ ସାରିଛି l ତଥାପି ମୂଳ ପଞ୍ଚାୟତ ମଣ୍ଡଳ ଉପରେ ଆଜି ପର୍ଯ୍ୟନ୍ତ ନିର୍ଭର କରିବାକୁ ପଡୁଛି l ମଣ୍ଡଳ ପଞ୍ଚାୟତ ଯିବାକୁ ହେଲେ ୫ କିମି ରୁ ଅଧିକ ଦୂର ଯିବାକୁ ପଡୁଥିବାରୁ ସାଧାରଣରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l ଏହି ସକାଶେ ବହୁଦିନରୁ ଆବଶ୍ୟକୀୟ କାଗଜ ପତ୍ର ସହ ସେକୁରିଟି ଡିପୋଜିଟ ମଧ୍ୟ ଦିଆଯାଇଛି l ତେବେ ପଞ୍ଚାୟତବାସୀ ଗତ ଫେବୃଆରୀ ୯ ତାରିଖରେ ସରପଞ୍ଚ ସୁଶାନ୍ତ ମାଝୀଙ୍କ ସହ ବ୍ଲକ ଯୋଗାଣ ଅଧିକାରୀ ଦେବଧର ଧାରୁଆ ଙ୍କୁ ଅଭିଯୋଗ କରିଥିଲେ l ଶ୍ରୀ ଧାରୁଆ କହିଥିଲେ ଯେ, ଏହି କାର୍ଯ୍ୟ ଆଗକୁ ବଢିଛି, ଉପଜିଲ୍ଲାପାଳଙ୍କ ଠାରୁ ମଧ୍ୟ ସୁପାରିଶ ହୋଇ ସାରିଲାଣି l ଏହି ମାସ ମଧ୍ୟରେ ନିଶ୍ଚୟ ହେବ ବୋଲି କହିଥିଲେ l କିନ୍ତୁ ଆଜି ପର୍ଯ୍ୟନ୍ତ ଦାବୀ ପୂରଣ ନ ହେବାରୁ ପଞ୍ଚାୟତବାସୀ ଉତ୍ୟକ୍ତ ହୋଇ ପଞ୍ଚାୟତ କାର୍ଯ୍ୟାଳୟକୁ ତାଲା ପକାଇ ସମ୍ମୁଖରେ ଧାରଣାରେ ବସିଛନ୍ତି l ବର୍ତମାନ ଓଡିଶା ସରକାରଙ୍କ ଦ୍ୱାରା ଦିଆଯାଉ ଥିବା ଝୋଟ ବ୍ୟାଗ ଏବଂ ରେସନ କାର୍ଡ ପ୍ରତି ୧ ହଜାର ଟଙ୍କା ଲେଖାଏଁ ପାଇବା ପାଇଁ ହିତାଧିକାରୀ ମଣ୍ଡଳ ପଞ୍ଚାୟତକୁ ଯାଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଅଧିକାଂଶ ହିତାଧିକାରୀ ଏହି ସୁବିଧା ପାଇ ପାରି ନାହାନ୍ତି ବୋଲି ଅଭିଯୋଗ ହେଉଛି l ବ୍ଲକ ଯୋଗାଣ ଅଧିକାରୀ ଶ୍ରୀ ଧାରୁଆ ଏବଂ ପଞ୍ଚାୟତ ପିଇଓ ରାମ ଚନ୍ଦ୍ର ନାଏକ ଜବାବ ଦେଇ ଜବାବର ଖିଲାପ କରୁଥିବା ଏବଂ ଜାଣି ଜାଣି ନିଜ ସ୍ୱାର୍ଥ ପାଇଁ ସାଧାରଣ ଜନତାଙ୍କୁ ହଇରାଣ କରୁଥିବାକୁ ନେଇ ସାଧାରଣରେ ଉତ୍ତେଜନା ବୃଦ୍ଧି ପାଇଛି l ସାଧାରଣ ବଣ୍ଟନ (ପିଡ଼ିଏସ ) ନୂଆଗାଁ ପଞ୍ଚାୟତ କୁ ହସ୍ତାନ୍ତର କରାଯିବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି ଧାରଣା ସ୍ଥଳରେ ସମସ୍ତେ ଦାବୀ କରିଛନ୍ତି l ଏହି ଆନ୍ଦୋଳନ ରେ ରାଧାମୋହନ ସାହୁ, କିଶୋର ହଂସ, ଗୋବିନ୍ଦ ଦଣ୍ଡସେନା, ସମେତ ଶତାଧିକ ପଞ୍ଚାୟତ ବାସୀ ସାମିଲ ରହି ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.