କଳାହାଣ୍ଡି ଲୋକସଭା ଆସନ: କିଏ ହେବେ ବିଜେଡ଼ି ପ୍ରାର୍ଥୀ?

ଚର୍ଚ୍ଚାରେ ଲମ୍ବୋଦର, ଭୁପିନ୍ଦର ଓ ସୁଜିତ କୁମାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନିର୍ବାଚନୀ ବିଗୁଲ ବାଜିବା ପରେ କଳାହାଣ୍ଡିର ରାଜନୈତିକ ପାଣିପାଗ ସରଗରମ ହୋଇ ଉଠିଛି। ନିକଟରେ ରାଜ ପରିବାରର ସଦସ୍ୟା ତଥା ପୂର୍ବତନ ଲୋକସଭା ସାଂସଦ ଅର୍କ କେଶରୀ ଦେଓଙ୍କ ଧର୍ମପତ୍ନୀ ମାଳବିକା କେଶରୀ ଦେଓଙ୍କୁ କଳାହାଣ୍ଡି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। କଳାହାଣ୍ଡି ରାଜ ପରିବାରର ପ୍ରତାପ କେଶରୀ ଦେଓ ୫ ଥର, ବିକ୍ରମ କେଶରୀ ଦେଓ ୩ ଥର ଓ ଅର୍କ କେଶରୀ ଦେଓ ଥରେ ସାଂସଦ ନିର୍ବାଚିତ ହୋଇଛନ୍ତି। ବର୍ତ୍ତମାନ ବିଜେପି ସେହି ରାଜ ପରିବାରର ମାଳବିକାଙ୍କୁ ପ୍ରାର୍ଥୀ କରି ନୂତନ ଢଙ୍ଗରେ ନିର୍ବାଚନ ଲଢେଇ କରିବାକୁ ଲକ୍ଷ୍ୟ ରଖିଛି। ଏପଟେ ବିଜେଡ଼ି ଓ କଂଗ୍ରେସ ପକ୍ଷରୁ କିଏ କିଏ ପ୍ରାର୍ଥୀ ହେବେ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ୨୦୧୪ ନିର୍ବାଚନରେ ବିଜେଡ଼ି କଳାହାଣ୍ଡି ଲୋକସଭା ଆସନରେ ବିଜୟୀ ହୋଇଥିବାବେଳେ ୨୦୧୯ରେ ବିଜେପି ହାତକୁ ଚାଲି ଯାଇଥିଲା ଏହି ଆସନ। ୨୦୨୪ ନିର୍ବାଚନରେ ବିଜେପି ହାତରୁ କଳାହାଣ୍ଡି ଲୋକସଭା ଆସନକୁ ଛଡ଼େଇ ଆଣିବା ପାଇଁ ରଣନୀତି ପ୍ରସ୍ତୁତ କରି ମଇଦାନକୁ ଓହ୍ଲାଇବ ବିଜେଡ଼ି। ଦଳରେ ଅନେକ ଆଶାୟୀ ଥିବାବେଳେ ବରିଷ୍ଠ ନେତା ଲମ୍ବୋଦର ନିଆଲ, ସୁଜିତ କୁମାର ଓ ଭୁପିନ୍ଦର ସିଂଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି। ଖଡ଼ିଆଳ ବିଧାନସଭା ପାଇଁ ଗତ ନିର୍ବାଚନରେ ଲମ୍ବୋଦର ନିଆଲଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିବାବେଳେ ସେ କମ୍ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀଙ୍କ ଠାରୁ ପରାଜିତ ହୋଇଥିଲେ। ଲମ୍ବୋଦର ଉତ୍କଳ ଯାଦବ ମହାସଭାର ମହାସଚିବ ଥିବା ସହ ପଶ୍ଚିମ ଓଡ଼ିଶାର ଯାଦବମାନଙ୍କ ନେତୃତ୍ୱ ନେଉଛନ୍ତି। ଜଣେ ବିଶିଷ୍ଟ ସମାଜସେବୀ ଏବଂ ଓବିସି ବର୍ଗର ନେତା ଶ୍ରୀ ନିଆଲଙ୍କୁ ଦୁଇ ଥର ଖଡ଼ିଆଳ ବିଧାସଭା ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ଛିଡା କରିସାରିଛି ବିଜେଡ଼ି। ନିକଟରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ବିଜେଡ଼ିରେ ସାମିଲ ହେବାପରେ ତାଙ୍କୁ ବିଧାୟକ ପ୍ରାର୍ଥୀ କରିବା ଏକ ପ୍ରକାରର ନିଶ୍ଚିତ ହୋଇ ସାରିଛି। ଏହାକୁ ନେଇ ଯାଦବ ସଂପ୍ରଦାୟ ମଧ୍ୟରେ ଅସନ୍ତୋଷର ବାତାବରଣ ପ୍ରକାଶ ପାଇଛି। କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଓବିସି ଭୋଟ ହାର ଅଧିକ ରହିଛି। ତେଣୁ ଲମ୍ବୋଦରଙ୍କୁ ଲୋକସଭା ପ୍ରାର୍ଥୀ କରି ଅସ୍ଥିରତାକୁ ଦୂର କରିବାକୁ ଚାହିଁବ ବିଜେଡ଼ି। ଅନ୍ୟପକ୍ଷରେ ନର୍ଲା ବିଧାୟକ ଥିବା ଭୁପିନ୍ଦର ସିଂ ବରିଷ୍ଠତା ଭିତ୍ତିରେ ଲୋକସଭା ଟିକେଟ ପାଇ ପାରନ୍ତି। ଭୁପିନ୍ଦର ନର୍ଲା ବିଧାନସଭାରେ ପୁଣିଥରେ ପ୍ରାର୍ଥୀ ହେବାକୁ ଇଚ୍ଛା କରୁଥିଲେ ମଧ୍ୟ ଦଳ ତାଙ୍କୁ ସାଂସଦ ପ୍ରାର୍ଥୀ କରି ଲଢାଇ ପାରେ ବୋଲି ଚର୍ଚ୍ଚା ହେଉଛି। ସେହିପରି ଭାବେ ରାଜ୍ୟସଭା ସାଂସଦ ଥିବା ସୁଜିତ କୁମାରଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ସୁଜିତ କୁମାର କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରତ୍ୟକ ବ୍ଲକକୁ ବୁଲି ଜନସଂପର୍କରେ ରହି ଆସୁଛନ୍ତି। ତେବେ ଏହି ତିନିଜଣଙ୍କ ମଧ୍ୟରୁ ଲମ୍ବୋଦର ନିଆଲଙ୍କ ଟିକେଟ ଫାଇନାଲ ହେବା ସମ୍ଭାବନା ଅଧିକ ରହିଛି ବୋଲି ବିଶ୍ବସ୍ଥ ସୂତ୍ରରୁ ଜଣାପଡିଛି। ଏପଟେ କଂଗ୍ରେସ ମଧ୍ୟ ଉତ୍ତମ ପ୍ରାର୍ଥୀ ଚୟନକରି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବ। ତେଣୁ ଏଥରର ଲୋକସଭା ନିର୍ବାଚନ ରୋଚକ ହେବାକୁ ଥିବାବେଳେ ବିଜେଡ଼ି ଓ କଂଗ୍ରେସ ପ୍ରାର୍ଥୀ ଉପରେ କଳାହାଣ୍ଡି ଏବଂ ନୂଆପଡାବାସୀଙ୍କ ନଜର ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.