ରାତିରେ ପୋଖରୀରୁ ମାଛ ଚୋରୀ ସହ କୁଡ଼ିଆ ପୋଡି ଦେଲେ ଦୁର୍ବୁତ୍ତ: ଚିନ୍ତାରେ ମାଛ ଚାଷ କରିଥିବା ମହିଳା ଏସଏସଜି 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା କେରମେଳି ପଞ୍ଚାୟତ ସ୍ଥିତ ପାଇକସମରା ଗାଁର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ସ୍ଥାନୀୟ  ପୋଖରୀରେ ମାଛ ଚାଷ କରାଯାଇଛି। ଜଣେ ବ୍ୟକ୍ତି ରାତ୍ରି ଜଗୁଆଳି ଭାବେ ଏକ କୁଡ଼ିଆ ଗୃହ ନିର୍ମାଣ କରି ମାଛ ଜଗୁଛନ୍ତି। ତେବେ  ରାତ୍ର ଜଗୁଆଳି ଜଣକ ଘରୋଇ କାମ ନେଇ ଅନୁପସ୍ଥିତ ଥିବାର ସୁଯୋଗ ନେଇ ଦୁର୍ବୁତ୍ତମାନେ ପୋଖରୀରୁ ମାଛ ଚୋରୀ କରିବା ସହ ଜଗୁଥିବା କୁଡ଼ିଆ ଗୃହକୁ ପୋଡି ଦେଇଥିବା ନେଇ ସଇଁତଲା ଥାନାରେ ଏସଏସଜି ଗ୍ରୁପର ସମ୍ପାଦିକା ପଦ୍ମିନୀ ମଲ୍ଲିକ ଏତଲା ଦେଇଛନ୍ତି। ପ୍ରକାଶ ଯେ, ପାଇକସମରା ଗାଁର ମା ଆଦି ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ପଞ୍ଚାୟତ ତରଫରୁ ସ୍ଥାନୀୟ ପୋଖରୀରେ ୧ ଲକ୍ଷ ଟଙ୍କାର ମାଛ ଜାଆଁଳା ଛାଡି ବ୍ୟବସାୟ ଆରମ୍ଭ କରିଥିଲେ। ପୋଖରୀ ହୁଡ଼ା ଠାରେ ଏକ ଅସ୍ଥାୟୀ କୁଡ଼ିଆ ଘର ନିର୍ମାଣ କରିଥିଲେ। ଏଥିରେ ଜଣେ ରାତ୍ରି ଜଗୁଆଳି ସହ ମାଛ ଖାଦ୍ୟ ବାବଦରେ ୫୦ ହଜାର ଟଙ୍କା, ଭିଟାମିନ ୭ହଜାର ଟଙ୍କା ଓ ମାଛମରା ଜାଲ ରହିଥିଲା। ପ୍ରତି ଦିନ ରାତ୍ରି ଜଗୁଆଳି ଜଗୁଥିବା ବେଳେ ଘଟଣା ଦିନ ବିବାହ କାର୍ଯ୍ୟରେ ବ୍ୟସ୍ତ ଯୋଗୁଁ ସେ ଆଉ ରାତିରେ ଆସି ନଥିଲେ। ଏହାର ସୁଯୋଗ ନେଇ ଦୁର୍ବୁତ୍ତମାନେ ପୋଖରୀରୁ ମାଛ ମାରି ନେଇଥିବା ସହ କୁଡ଼ିଆ ଘରକୁ ପୋଡି ଦେଇଥିଲେ। ଏନେଇ ସଇଁତଲା ଥାନାକୁ ଯାଇ ଗ୍ରୁପର ସଭାନେତ୍ରୀ ସୁମିତ୍ରା ସାହୁ, ସମ୍ପାଦିକା ପଦ୍ମିନୀ ମଲ୍ଲିକ, ୱାର୍ଡ ମେମ୍ବର କୁମାରୀ ମଲ୍ଲିକ ପ୍ରମୁଖ ଏତଲା ଦେଇଛନ୍ତି। ଦୁବୃର୍ତ୍ତମାନେ ମାଛ ଚୋରୀ କରି ନେବା ସହ ସାମଗ୍ରୀଗୁଡିକକୁ କୁଡ଼ିଆ ସହ ପୋଡି ନଷ୍ଟ କରି ଦେଇଥିବା ଯୋଗୁଁ ମା ଆଦି ଶକ୍ତି ଗ୍ରୁପ ସଦସ୍ୟାମାନେ ଭାଙ୍ଗି ପଡିଛନ୍ତି। ପଞ୍ଚାୟତକୁ ଟଙ୍କା ପରିଶୋଧ କରିବା ସହ ଲୋକଙ୍କ ଠାରୁ ଧାରଉଧାର କରି ମାଛ ଚାଷ ଆରମ୍ଭ କରିଥିଲୁ, ଏବେ ଆମେ କ’ଣ କରିବୁ ବୋଲି ଗୃପର ସଦସ୍ୟା ଓ କର୍ମକର୍ତ୍ତାମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏଣୁ ପୋଲିସ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରି କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.