ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): କେନ୍ଦ୍ର ଓ ରାଜ୍ଯ ସରକାର ଗରିବ ନିରୀହ ଲୋକଙ୍କ ପାଇଁ ଅନେକ ସରକାରୀ ଯୋଜନା କରି ସହାୟତା କରୁଛନ୍ତି। ହେଲେ ସ୍ଥାନୀୟ ବିଭାଗୀୟ କିଛି ଲାଞ୍ଚୁଆ ସରକାରୀ ଅଧିକାରୀ ମାନଙ୍କ ପାଇଁ ପ୍ରକୃତ ହିତାଧିକାରୀ ମାନେ ସେହି ଯୋଜନାର ସହାୟତା ପାଇବାରୁ ବଞ୍ଚିତ ରହୁଛନ୍ତି। ଏମିତି ଏକ ଗରିବ ପରିବାର ଯାହାଙ୍କ ପାଇଁ ଭଲରେ ଦୁଇଓଳି ଖାଇବାକୁ ଦୁଇମୁଠା ମିଲୁନଥିବା ବେଳେ ଆବାସ ଘର ସାତ ସପନ ହୋଇଛି। ପୁଣି ପୁଅର ମୃତ୍ୟୁ ହେଲାପରେ ବୋହୂ ପାଇନାହିଁ ବିଧବା ଭତ୍ତା। ଏମିତିରେ ପରିବାର ଚଲିବା କଷ୍ଟକର ହେଉଛି। ପରିବାର ବସବାସ କରିବାକୁ ଘର ଖଣ୍ତିଏ ନଥିବା ବେଳେ ଏକ ସରକାରୀ ସ୍ଥାନରେ ପଲିଥିନ ଓ ଟିନା ଢାଙ୍କି ବହୁତ ଦୁଃଖରେ ଦିନରାତି କାଟୁଥିବା ଜଣାପଡିଛି। ସିନାପାଲି ବ୍ଲକ ଅନ୍ତର୍ଗତ ହାତିବନ୍ଧା କଲୋନୀ ପଡାରେ ଯୁଧିଷ୍ଠିର ଭୋଇଙ୍କ ପରିବାର ବସବାସ କରୁଛନ୍ତି। ପରିବାର କହିଲେ ତାଙ୍କ ସ୍ତ୍ରୀ ପାଟ ଭୋଇ, ବିଧବା ବୋହୂ କୁମେ ଭୋଇ, ନାତି ଝଙ୍କାର ଭୋଇ (୪) ଓ ସବ୍ୟ ଭୋଇ (୨) ମିଶି ୫ଜଣ ସଦସ୍ଯ ରହୁଛନ୍ତି। ଯୁଧିଷ୍ଠିର ଭୂମିହିନ ହୋଇଥିବା ବେଳେ ଏକ ସରକାରୀ ସ୍ଥାନରେ ବିପଦପୂର୍ଣ୍ଣ ଭାବେ ପଲିଥିନ ଓ ଟିନା ଢାଙ୍କି ବହୁତ ଦୁଃଖ ରେ ପରିବାରକୁ ନେଇ ଦିନରାତି କାଟୁଛନ୍ତି। ବର୍ଷା ପବନ ସାଙ୍ଗକୁ ସାପ ବିଛା ଭଲି ଅନେକ ପ୍ରକାରର ବିଷାକ୍ତ ଜୀବ ପ୍ରତି ସବୁବେଳେ ଭୟ ରହୁଛି। ତାଙ୍କୁ ଆଜି ଯାଏଁ ସରକାରୀ ଯୋଜନା ତରଫରୁ ଆବାସ ଘର ଖଣ୍ତିଏ ମିଲି ନାହିଁ। ଯାହା ଫଳରେ ପରିବାରକୁ ନେଇ ଯାଯାବର ଭଲି ଦିନ କାଟୁଛନ୍ତି। ଯୁଧିଷ୍ଠିରଙ୍କୁ ଏକ ଅଜଣା ରୋଗ ହୋଇଥିବା ବେଳେ ତାଙ୍କ ହାତ ଗୋଡର ଆଙ୍ଗୁଠି ଗୁଡିକ ମୋଡି ମୋଡି ହୋଇ ଯାଉଛି। ଯାହା ଫଳରେ କାମଧନ୍ଦା କରି ଚଲିବା ତାଙ୍କ ପାଇଁ ଅଭିଶାପ ସାଜିଥିବା ବେଳେ ତାଙ୍କ ଶରୀର ଅସୁସ୍ଥତା ଦେଖି ଲୋକେ କାମଧନ୍ଦା ପାଇଁ ଡାକୁମଧ୍ଯ ନାହାଁନ୍ତି। ଯାହା ଫଳରେ ସେ ଦୁଇପଇସା ରୋଜଗାର କରିବାରେ ମଧ୍ଯ ସକ୍ଷମ ହେଉନାହାଁନ୍ତି। ତାଙ୍କ ଏଭଳି ଅସୁବିଧା ଯୋଗୁ ପରିବାର ଚଲାଇବା କଷ୍ଟ ହୋଇଯାଇଛି। ତାଙ୍କ ଗୋଟିଏ ବୋଲି ପୁଅ କିଶୋର ଭୋଇ ଏକ ଅଜଣା ରୋଗରେ ପଡି ଆରପାରିକୁ ଚାଲି ଯାଇଥିବା ବେଳେ ବୋହୂ କୁମେ ଭୋଇଙ୍କୁ ଏଯାଏଁ ବିଧବା ଭତ୍ତା ମିଲିନାହି। ତାଙ୍କ ଦୁଇ ନାତି ରହିଥିବା ବେଳେ ବର୍ତ୍ତମାନ ପରିବାର ପ୍ରତିପୋଷଣ କରିବା ଅସମ୍ଭବ ହୋଇଯାଇଛି। କେତେବେଳେ କେମିତି କାମଟିଏ ମିଲିଗଲେ ସ୍ତ୍ରୀ ଓ ବୋହୁ କାମକରି ଦୁଇ ପଇସା ଆଣିଲେ ପରିବାର ଚଲୁଛି। ଏଣୁକରି ଯୁଧିଷ୍ଠିରଙ୍କ ଉତ୍ତମ ଚିକିତ୍ସା, ଆବାସ ଘର, ବିଧବା ଭତ୍ତା ଜରୁରୀ ହୋଇ ପଡିଥିବା ବେଳେ ସରକାରୀ ସହାୟତା ପାଇଁ ପରିବାର ଲୋକେ ସରକାରଙ୍କୁ କୋହଭର କଣ୍ଠରେ କରିଛନ୍ତି। ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଦୁଷ୍ଟିଦେଇ ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣ ରେ ଦାବୀ ହୋଇଛି।