ଭାଲିଆ ପଦର ପ୍ରାଥମିକ ବିଦ୍ୟାଳୟରେ ପଡ଼ିଛି ତାଲା: ସପ୍ତାହରେ ସ୍କୁଲ ଦୁଇ ଦିନ ଖୋଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଳକ ବିଜେପୁର କ୍ଲଷ୍ଟର ଭାଲିଆପଦର ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟରେ ପଡ଼ିଛି ତାଲା। ଶନିବାର ସକାଳୁ ସ୍କୁଲ ଯାଇ ସ୍କୁଲରେ ତାଲା ପଡ଼ିଥିବା ଦେଖି ଫେରି ଆସିଥିଲେ ଛାତ୍ରଛାତ୍ରୀ। ଏହାକୁ ନେଇ ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ୨୦୧୦ ମସିହାରେ ଏହି ସ୍କୁଲ ସ୍ଥାପନ ହୋଇଥିଲା। ଗାଁର ୩୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ସ୍କୁଲରେ ପାଠପଢୁଥିବା ବେଳେ ଜଣେ ପ୍ରଧାନ ଶିକ୍ଷକ ଓ ଜଣେ ସହ ଶିକ୍ଷକ ରହିଛନ୍ତି। ତେବେ ଆଦିବାସୀଙ୍କ ସରଳତା ଦେଖି ବିଭିନ୍ନ ଆଳ ଦେଖାଇ ସ୍କୁଲଟି ନିୟମିତ ନଖୋଲି ସପ୍ତାହରେ ମାତ୍ର ଦୁଇ ଦିନ ଖୋଲୁଥିବା ଅଭିଯୋଗ ହେଉଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ  ସିଆରସିସି ତଦନ୍ତ କରିବାକୁ ଯିବା ପାଇଁ ଇଛା ପ୍ରକଟ କରୁନଥିବା କହିଛନ୍ତି ଗ୍ରାମବାସୀ। ଶନିବାର ସ୍କୁଲରେ ତାଲା ପଡିଥିବା ନେଇ ପ୍ରଧାନ ଶିକ୍ଷକଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ହେଁ ସେ ତୁତୁ ମେମେ ହୋଇ ସନ୍ତୋଷ ଜନକ ଉତ୍ତର ନଦେଇ ଫୋନ୍ କାଟିଦେଇଥିଲେ। ତେବେ ଏବିଷୟରେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ନମିତାରାଣୀ ଭୋଇଙ୍କୁ ପଚାରିବାରୁ ଶିକ୍ଷକମାନେ କାହିଁକି ସ୍କୁଲ ଖୋଲୁ ନାହାଁନ୍ତି ସେ ବିଷୟରେ ତଦନ୍ତ ଦାୟିତ୍ବରେ ଥିବା ସିଆରସିସିଙ୍କ ସହିତ ଆଲୋଚନା କରି ସେହି ଶିକ୍ଷକ ମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.