ଭାରତ ପରାଧିନତାର ବେଡିରୁ ମୁକୁଳିବା ପରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ନେତୃତ୍ୱରେ ଏକ ଅନ୍ତରୀଣ ସରକାର ସ୍ଥାପିତ ହୋଇଥିଲା। ଏହି ସରକାରଙ୍କର ପ୍ରଥମ ଓ ପ୍ରଧାନ ଲକ୍ଷ୍ୟ ଥିଲା ଦେଶରେ ଗଣତାନ୍ତ୍ରର ଶାସନ ପ୍ରତିଷ୍ଠା କରି ସାଧାରଣ ନିର୍ବାଚନ ମାଧ୍ୟମରେ ଏକ ନିର୍ବାଚିତ ସରକାର ପ୍ରତିଷ୍ଠା କରିବା। ୧୯୫୦ ଜାନୁଆରୀ ୨୬ରେ ଭାରତର ସମ୍ବିଧାନ ପ୍ରଣୟନ ହେଲା। ଏହିପରେ ୧୯୫୧ ମସିହା ଅକ୍ଟୋବର ୨୫ ରୁ ୧୯୫୨ ମସିହା ଫେବୃଆରୀ ୨୧ ପ୍ରାୟ ସାଢେ଼ ଚାରିମାସ ଧରି ୬୮ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ସ୍ବାଧିନ ଭାରତର ପ୍ରଥମ ସାଧାରଣ ନିର୍ବାଚନ। ସଂସଦର ୪୮୯ ଆସନ ପାଇଁ ମୋଟ ୧୮୭୪ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ। ୫୩ଟି ରାଜନୈତିକ ଦଳ ଏଥିରେ ଅଂଶଗ୍ରହଣ କରିଥିବାବେଳେ ୧୭୩,୧୧୨,୩୪୩ ମତଦାତା ସେମାନଙ୍କ ଭୋଟ ଦେଇଥିଲେ। ଦେଶର ପ୍ରଥମ ସାଧାରଣ ନିର୍ବାଚନ କେବଳ ସଂସଦର ନିମ୍ନ ସଦନ ଲୋକସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇ ନଥିଲା। ସମାନ ଭାବରେ କେତୋଟି ରାଜ୍ୟର ବିଧାନସଭା ପାଇଁ ମଧ୍ୟ ନିର୍ବାଚନ କରାଯାଇଥିଲା। ଦେଶର ଜନସଂଖ୍ୟା ୩୬ କୋଟି ଥିବାବେଳେ ନିରକ୍ଷରତା ହାର ଥିଲା ୮୦% ରୁ ଉର୍ଦ୍ଧ୍ବ। ଦେଶର ରାସ୍ତାଘାଟ ଓ ଗମନାଗମନ ଅସୁବିଧା ସହିତ ବିଭିନ୍ନ ଭାଗରେ ପ୍ରାକୃତିକ, ପରିବେଶ ଓ ପାଣିପାଗ ଜନିତ ଉତ୍କଟ ସମସ୍ୟାମାନ ଥିଲା। ଏପରି ସ୍ଥିତିରେ ନିରପେକ୍ଷ ଓ ସଫଳ ନିର୍ବାଚନ କିପରି ସମ୍ଭବ ହୋଇ ପାରିବ ତାହା ଥିଲା ସମୟର ବଡ଼ ଆହ୍ବାନ। ବିଟ୍ରିଶ ଶାସନରୁ ମୁକ୍ତି ପାଇ ଭାରତ କିପରି ଗଣତନ୍ତ୍ର ପ୍ରତିଷ୍ଠା କରିବାକୁ ସାଧାରଣ ନିର୍ବାଚନ କରାଇବ ଏହାରି ଉପରେ ସାରା ବିଶ୍ବର ଦୃଷ୍ଟି ନିବଦ୍ଧ ହୋଇଥିଲା। ତେବେ ସବୁ ସମସ୍ୟା, ବହୁ ପ୍ରତିବନ୍ଧକ ସତ୍ତ୍ୱେ ଭାରତୀୟ ସମ୍ବିଧାନର ନୀତିନିୟମ ଓ ବିଧି ବ୍ୟବସ୍ଥା ଅନୁସାରେ ପ୍ରଥମ ସିଧାରଣ ନିର୍ବାଚନ ସଫଳତାର ସହ ସମାପନ ହୋଇଥିଲା। ଭାରତର ପ୍ରଥମ ନିର୍ବାଚନ କମିଶନର ଭାବେ ସୁକୁମାର ସେନ ନିଯୁକ୍ତ ହୋଇଥିଲେ। ସେହି ସମୟରେ ସାବାଳକ ବୟସସୀମା ୨୧ ବର୍ଷ ବୟସ। ପ୍ରଥମ ସାଧାରଣ ନିର୍ବାଚନ ଫଳାଫଳ ଅନୁଯାୟୀ ଭାରତୀୟ ଜାତୀୟ କଂଗ୍ରେସ ସର୍ବାଧିକ ୩୬୪ଟି ଆସନ ପାଇ କେନ୍ଦ୍ରରେ ସରକାର ଗଠନ ନିମନ୍ତେ ଯୋଗ୍ୟତା ଅର୍ଜନ କରିଥିଲା। ଅନ୍ୟ ରାଜନୈତିକ ଦଳମାନଙ୍କ ମଧ୍ୟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୧୬ ଆସନ ପାଇ ଦ୍ବିତୀୟରେ ରହିଥିଲା। ସୋସାଲିଷ୍ଟ ପାର୍ଟି ୧୨, କିସାନ ମଜଦୂର ପାର୍ଟି ୯, ପିପୁଲ୍ସ ଡେମୋକ୍ରାଟିକ ଫ୍ରଣ୍ଟ ୭, ଓଡ଼ିଶାର ଆଞ୍ଚଳିକ ଦଳ ଗଣତନ୍ତ୍ର ପରିଷଦ ୬, ଶିରୋମଣି ଅକାଳି ଦଳ, ହିନ୍ଦୁ ମହାସଭା, ତାମିଲନାଡୁ ଟଏଲର୍ସ ପାର୍ଟି ପ୍ରତ୍ୟେକ ୪ଟି ଲେଖାଏଁ, ଭାରତୀୟ ଜନସଂଘ, ଅଖିଳ ଭାରତୀୟ ରାମରାଜ୍ୟ ପରିଷଦ, ଝାଡ଼ଖଣ୍ଡ ପାର୍ଟି, ରିଭୋଲ୍ୟୁସନାରୀ ସୋସାଲିଷ୍ଟ ପାର୍ଟି ୩ଟି ଲେଖାଏଁ, ସିଡ୍ୟୁଲ୍ଡ କାଷ୍ଟ ଫେଡରେସନ, ପିଜାଣ୍ଟସ ଆଣ୍ଡ୍ ଓ୍ବାର୍କସ୍ ପାର୍ଟି ଅଫ ଇଣ୍ଡିଆ, ଲୋକସେବକ ସଂଘ ପ୍ରତ୍ୟେକ ୨ଟି ଲେଖାଏଁ, କୃଷିକାର ଲୋକ ପାର୍ଟି, ଫରଓ୍ବାର୍ଡ ବ୍ଲକ (ଏମ୍), ଛୋଟ ନାଗପୁର ସାନ୍ତାଳ ପ୍ରଗଣା ଜନତା ପାର୍ଟି, ଟ୍ରାଭାନକୋର ତାମିଲନାଡୁ କଂଗ୍ରେସ, ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ୍ ପ୍ରତ୍ୟେକ ଗୋଟିଏ ଲେଖାଁଏ ଏବଂ ୩୭ ଜଣ ସ୍ବାଧିନ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ପ୍ରଥମ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବାପରେ ୧୭ ଅପ୍ରେଲ ୧୯୫୨ରେ ଭାରତର ପ୍ରଥମ ଲୋକସଭା ଗଠନ ହୋଇଥିଲା। ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ ପଣ୍ଡିତ ଜବାହାରଲାଲ ନେହେରୁ।