ଆମପାଣି ଠାରେ କଳସ ଯାତ୍ରା ସହ ଆରମ୍ଭ ହେଲା ନବକୁଣ୍ଡିଅ ମହାବିଷ୍ଣୁ ଯଜ୍ଞ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ପଞ୍ଚାୟତ କନ୍ଦାଗଡ଼ଠାରେ ରବିବାରଠାରୁ କାଳୀକୃଷ୍ଣ ସଂଘର ୪୧ତମ ବାର୍ଷିକ ଉତ୍ସବ ତଥା ନବକୁଣ୍ଡିଅ ବିଶ୍ଵଶାନ୍ତି ମହାବିଷ୍ଣୁଯଜ୍ଞ ଆରମ୍ଭ ହୋଇଛି। ଏହି କ୍ରମରେ ଶନିବାର ଅଙ୍କୁରାରୋପଣ କାର୍ଯ୍ୟ, ସନ୍ଧ୍ୟାରେ କାଳୀକୃଷ ମେଳା ଓ ରବିବାର ସକାଳେ କଳଶ ଯାତ୍ରା ଅନୁଷ୍ଠିତ ହୋଇଛି। ବିଭିନ୍ନ ଅଞ୍ଚଳରୁ ୧୧୦୧ କଳସ ଧାରଣ କରି ମହିଳା ଓ ଯୁବତୀମାନେ ଭାଲିଆଯୋର ସ୍ଥିତ ମୁଟୁରା ନଦୀରେ ପହଞ୍ଚିଥିଲେ। ସେଠାରେ ପୂଜାର୍ଚ୍ଚନା କରି ଜଳପୂର୍ଣ୍ଣ କଳଶ ଧାରଣ କରି ବିରାଟ ଶୋଭାଯାତ୍ରାରେ ଯଜ୍ଞ ମଣ୍ଡପକୁ ପହଞ୍ଚିଥିଲେ। ଏହି ସମୟରେ ସଂକୀର୍ତ୍ତନ ଦଳ, ଘଣ୍ଟଦଳ, ଲୋକନୃତ୍ୟ ଘୁମୁରା ଦଳ ଆଦି ସାମିଲ ହୋଇଥିବାବେଳେ ଆଜିଠାରୁ ଅଞ୍ଚଳରେ ଆଧ୍ୟମିକ ପରିବେଶ ସୃଷ୍ଟି ହୋଇଛି। ଏହି ବିଶ୍ବଶାନ୍ତି ମହାଯଜ୍ଞ ଅବସରରେ ମନ୍ତ୍ରଦୀକ୍ଷା, ବ୍ରତୋପନୟନ, କୁଣ୍ଡାବରୀ, ମୁଣ୍ଡନ, ଅନ୍ନପ୍ରଶାନ, ବିଦ୍ୟାରମ୍ଭ ଆଦି ସଂସ୍କାର କାର୍ଯ୍ୟ ରହିଛି। ପ୍ରତିଦିନ ସନ୍ଧ୍ୟାରେ ଭଜନ ସମାରୋହ ସହ ଆଧ୍ୟାତ୍ମିକତ ଗବେଷକ, ଜଗନ୍ନାଥ ସଂସ୍କୃତିକ ପ୍ରଚାରକ ତଥା କାଳୀକୃଷ୍ଣ ସଂଘର ପରିଚାଳକ ଶ୍ରୀଜଗଦାନ୍ଦ ଜୀଙ୍କ ଦ୍ବାରା ପ୍ରବଚନ କାର୍ଯ୍ୟକ୍ରମ ରହିଛି। ଏହି ମହାଯଜ୍ଞ ଆସନ୍ତା ୧୦ ତାରିଖରେ ସମାପନ ହେବା ନେଇ ସୂଚନା ରହିଛି। କଳସ ଯାତ୍ରାରେ ସଂଘ ପ୍ରମୂଖ ପୂଜ୍ୟ ଜଗଦାନନ୍ଦଜୀ ସମେତ ବେଦବ୍ରହ୍ମା ସରୋଜାନନ୍ଦଜୀ, ପ୍ରଜାପତି ସଦାନନ୍ଦ, ତୋଷାନନ୍ଦ, ଆମପାଣି ଶାଖା ସଭାପତି ଜିତେନ୍ଦ୍ର ପଣ୍ଡା, କାଳୀକୃଷ୍ଣ ସଂଘ ବିଭିନ୍ନ ଶାଖାର କର୍ମକର୍ତ୍ତା ସମେତ ଆଖପାଖ ଅଞ୍ଚଳର ଶହସ୍ରାଧିକ ଲୋକେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.