ସାଧାରଣ ନିର୍ବାଚନ ୨୦୨୪ ଉପଲକ୍ଷେ କାର୍ଯ୍ୟନିର୍ବାହୀ ଦଣ୍ଡାଧିକାରୀ ଓ ନୋଡାଲ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଶୀଷ ଠାକରେଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆଜି ଅପରାହ୍ନ ଘ ୩.୩୦ ମି ସମୟରେ ସାଧାରଣ ନିର୍ବାଚନ ୨୦୨୪ ଉପଲକ୍ଷେ ଆଲୋଚନା କରିବା ନିମନ୍ତେ ଏଫ.ଏସ.ଟି ଓ ଏସ.ଏସ.ଟିର କାର୍ଯ୍ୟକାରୀ ଦଣ୍ଡାଧିକାରୀ ଓ କାର୍ଯ୍ୟକାରୀ ଏଜେନ୍ସିଗୁଡିକର ନୋଡାଲ ଅଧିକାରୀଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱ ରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ନିରଞ୍ଜନ ବେହେରା, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ନୀଳଗିରି ଉପଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଦୀପ କୁମାର ଦଳାଇ ଓ ଆୟକର, ଅବକାରୀ, ସୂଚନା ଓ ଲୋକସମ୍ପର୍କ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।

ଏହି ବୈଠକରେ ଆଦର୍ଶ ଆଚରଣ ସଂହିତା (ଏମ.ସି.ସି.), ନିର୍ବାଚନ ଜବତ ପରିଚାଳନା ପ୍ରଣାଳୀ (ଇ.ଭି.ଏମ.ଏସ) ଓ ଗଣମାଧ୍ୟମ ପ୍ରମାଣନ ଏବଂ ଯାଞ୍ଚ୍ କମିଟି (ଏମ.ସି.ଏମ.ସି) ର କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଥିଲା। ଏଥିସହିତ ଜିଲ୍ଲାପାଳ ଅଧିକାରୀଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ନିର୍ବାଚନ ସମୟରେ ନୈତିକତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ଏହାବ୍ୟତୀତ ନିର୍ବାଚନ ନିର୍ଦ୍ଦେଶାବଳୀର ଉଲ୍ଲଙ୍ଘନ ଉପରେ ନଜର ରଖିବା ଏବଂ ରିପୋର୍ଟ ଦେବା ଲାଗି ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା ଯାହାଫଳରେ ଯେ କୌଣସି ଅସଦାଚରଣ ବିରୋଧରେ ତ୍ୱରିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ସେହିପରି ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନର ସଫଳ ଆୟୋଜନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଏଥିରେ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କ ସୁସଙ୍ଗଠିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ନାଥ କହିଥିଲେ I

ଏହି ବୈଠକରେ ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ତଦାରଖ ଏବଂ ନିୟନ୍ତ୍ରଣ ସୁନିଶ୍ଚିତ କରିବା ଲାଗି ପୋଲିସ, ଆୟକର ଏବଂ ଅବକାରୀ ଭଳି ବିଭିନ୍ନ ସଂସ୍ଥା ମଧ୍ୟରେ ନିରବଚ୍ଛିନ୍ନ ସହୟୋଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା I ପରିଶେଷରେ ନିର୍ବାଚନ ପ୍ରକ୍ରିୟାରେ ସମ୍ପୃକ୍ତ ବିଭିନ୍ନ ଗଠିତ ଦଳଗୁଡିକ ନିର୍ଦ୍ଧାରିତ ସମୟ ମଧ୍ୟରେ କିପରି ତ୍ୱରାନ୍ୱିତ କାର୍ଯ୍ୟ ସମ୍ପାଦନ କରିପାରିବେ ସେଥି ପ୍ରତି ମଞ୍ଚାସୀନ ଅଧିକାରୀମାନେ ଉପଦେଶ ଦେଇଥିଲେ I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.